ସୁବର୍ଣ୍ଣରେଖାର ଶିଖରପୁର ବିଜୁସେତୁର ସଂଯୋଗୀରାସ୍ତାର ଦୂରବସ୍ଥା ଅବର୍ଣ୍ଣନୀୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ସୁବର୍ଣ୍ଣରେଖାର ବିଜୁସେତୁକୁ ସଂଯୋଗ କରୁଥିବା ଉଭୟପଟ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । ଫଳରେ ପ୍ରତ୍ୟେକଦିନ ଛୋଟବଡ ଦୁର୍ଘଟଣା ଘଟିବାର ସହିତ ବହୁ ଲୋକ ହଇରାଇ ହରକତ ହେଉଛନ୍ତି । ବିଶେଷ କରି ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏହି ପୋଲର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପୂର୍ବରୁ ନିର୍ବାଚନୀ ସଭା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଖରପୁର ଖେଳ ପଡିଆକୁ ଆସିବା ଦିନ ଏହି ପୋଲଟି ତରବରିଆ ଭାବେ ଜନସାଧାରଣଙ୍କ ଲାଗି ବିଭାଗ ପକ୍ଷରୁ ଖୋଲା ଯାଇଥିଲା । ମାତ୍ର ଉଭୟ ପଟକୁ ସଂଯୋଗ କରୁଥିବା ରାସ୍ତା ନିମ୍ନମାନର ନିର୍ମାଣ କରାଯାଇଥିବାରୁ ୪ମାସ ବିତିଯାଇଥିଲେ ସୁଦ୍ଧା ଏବେ ବଡ ଗର୍ତ୍ତମାନ ସୃଷ୍ଟି ହେବା ଫଳରେ ଯାତାୟାତ ଠପ୍ ହେବାକୁ ବସିଲାଣି । ବିଶେଷ କରି ପ୍ରତ୍ୟେକଦିନ ଏହି ପୋଲ ଦେଇ ଶହ ଶହ ବେଆଇନ୍ ବାଲି ବୋଝେଇ ଡମ୍ପର ଓ ଟ୍ରାକ୍ଟର ଚଳାଚଳା କରୁଥିବାରୁ ରାସ୍ତଟି ଏବେ ମରଣଯନ୍ତ୍ରାରେ ପରିଣତ ହୋଇଛି । ଯଥାଶୀଘ୍ର ଉକ୍ତ ରାସ୍ତାକୁ ସଠିକ ଭାବେ ନିର୍ମାଣ କରାନଗଲେ ଶିଖରପୁର ଓ ରାଜପୁର ପଂଚାୟତବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନି ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା