ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଉତ୍ତର ବାଲେଶ୍ୱର ଅଂଚଳରେ ସୁବର୍ଣ୍ଣରେଖା ନଦୀ ଲାଇଫଲାଇନ୍ ହୋଇଥିବା ବେଳେ ଏହାର ବାଲି ଆନ୍ତରାଜ୍ୟ ସ୍ତରରେ ଚାହିଦା ବୃଦ୍ଧି ପାଉଛି । ବାଲି ମାଫିଆ-ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ଅବସ୍ଥା ଉପୁଜୁଥିବା ବେଳେ ଆଜି ଶିଖରପୁର ପଞ୍ଚାୟତର ଶତାଧିକ ଗ୍ରାମବାସୀ ବାଲି ସୈରାତ ବନ୍ଦ ଲାଗି ଜିଲ୍ଲା ପ୍ରଶାସନଠାରେ ନିବେଦନ କରିଛନ୍ତି । ତେଣୁ ୬ଦଫା ଦାବିରେ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ସହିତ ଜଳେଶ୍ୱର ତହସିଲଦାର ଓ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁବର୍ଣ୍ଣରେଖାର ବାଲି ବାଲେଶ୍ୱର, ମୟୂରଭଂଜ ଓ ମେଦିନୀପୁର ଜିଲ୍ଲା ଗୁଡିକରେ ଚାହିଦା ଅଧିକ ରହିଥିବାରୁ ଏହାର ମୂଲ୍ୟ ମଧ୍ୟ ବହୁଗୁଣା ଅଧିକ ହୋଇଛି । ବାଲି ମାଫିଆମାନେ କମ୍ ସ୍ଥାନ କମ୍ ଗଭୀରର ବାଲି ଉତ୍ତୋଳନ ଲାଗି ଚୁକ୍ତିପତ୍ର ସ୍ୱାକ୍ଷରିତ କରିଥିବା ବେଳେ ବହୁ ଅଧିକ ଅଂଚଳରୁ ଓ ଅଧିକ ଗଭିର କରି ବାଲି ଉତ୍ତୋଳନ ଦ୍ୱାରା ମାଲେମାଲ ହେଉଛନ୍ତି । ବେଧଡକଭାବେ ବାଲି ଉତ୍ତୋଳନ ସମୟରେ କୌଣସି ନିତି ନିୟମ ପ୍ରତି ଗୁରୁତ୍ୱ ଦିଆନଯିବା ଏବଂ କେତେକ କ୍ଷେତ୍ରରେ ପ୍ରଶାସନୀକ ଅଧିକାରୀଙ୍କ ଜ୍ଞାତ ସାରରେ ଏପରି କାର୍ଯ୍ୟ ଚାଲୁଥିବାରୁ ଜନଅଶାନ୍ତି ଦେଖା ଦେଇ ଆସୁଛି । ବିଭିନ୍ନ ସମୟରେ ଜିଲା ପ୍ରଶାସନ ଏପରିକି ରାଜ୍ୟ ପ୍ରଶାସନକୁ ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏନ୍ଜିଟି ଏଥିଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ବେଧଡକ ବାଲି ବେଆଇନ୍ ଭାବେ ଯାତାୟାତକୁ ରୋକାଯାଇ ପାରିନାହିଁ । ଏ ପରିସ୍ଥିତିରେ ଜଳେଶ୍ୱର ତହସିଲ ଅନ୍ତର୍ଗତ ଶିଖରପୁର ପଂଚାୟର ସମସ୍ତ ରାଜସ୍ୱ ଗ୍ରାମର କେତେକ ଅଧିବାସୀ ବାଲି ଉତ୍ତୋନକୁ ବିରୋଧ କରିଛନ୍ତି । ଗ୍ରାମ୍ୟ ରାସ୍ତା ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାର ଦୁର୍ଗତି ଲାଗି ବାଲି ମାଫିଆଙ୍କ ଶହ ଶହ ଯାନ ଚଳାଚଳ ଦାୟୀ ବୋଲି ସେମାନେ ଜିଲାପାଳଙ୍କୁ ଜଣାଇବା ସହ ଗ୍ରାମଗୁଡିକରେ ଧୂଳିବାଲି ଉଡିବାଯୋଗୁଁ ପରିବେଶ ପ୍ରଦୋଷିତ ହେବା ସହିତ ବିଭିନ୍ନ ରୋଗରେ ଗ୍ରାମବାସୀମାନେ ସଢୁଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଛି । ବାଲି ପରିବହନ କରୁଥିବା ଟ୍ରାକ୍ଟର ଓ ଡମ୍ପର ଦ୍ରୁତଗତିରେ ଯାତାୟାତ କରୁଥିବାରୁ ପଥାଚାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏପରିକି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଗତ କିଛିଦିନ ତଳେ ଶିଖରପୁର ପଂଚାୟତର କେତେକ ଆବାସ ଯୋଜନାର ହିତାଧିକାରୀ ବାଲି ଆଣିବାକୁ ଯାଇଥିବା ବେଳେ ସେମାନଙ୍କଠାରୁ ବାଲି ନିଲାମଧାରୀ ୧ ଟ୍ରାକ୍ଟର ବାଲିକୁ ବାଲିର ମୂଲ୍ୟ ବାବଦକୁ ୬୦୦ଟଙ୍କା ଓ ରୟାଲିଟି ବାବଦକୁ ଅନ୍ୟ ୬୦୦ ଟଙ୍କା ଆଦୟ କରୁଥିବାରୁ ସେମାନେ ଗ୍ରାମ ମାଲିକମାନଙ୍କ ନିକଟରେ ଅଭିଯୋଗ କରିବାରୁ ଗ୍ରାମସଭାରେ ଆଲୋଚନା ହୋଇଥିଲା । ଗତ ୨୬ ତାରିଖରେ ଶିଖରପୁର ଗ୍ରାମର କେତେକ ଭଦ୍ରବ୍ୟକ୍ତି ବାଲି ଖାଦାନ ମାଲିକମାନଙ୍କ ସହ ଆଲୋଚନା କରୁଥିବା ବେଳେ କେତେକ ଗୁଣ୍ଡା ଶ୍ରେଣୀର ଲୋକଙ୍କ ଦ୍ୱାରା ଅଶ୍ଳିଳ ଭାଷା ଓ ଆକ୍ରମଣର ଶିକାର ହୋଇଥିଲେ । ସେମାନଙ୍କ ଗ୍ରାମ ନିକଟରୁ ବାଲି ଉତ୍ତୋଳନ ହେଉଥିବା ବେଳେ ସେମାନଙ୍କୁ ବାଲି ମିଳୁନଥିବାରୁ ୬ଦଫା ଦାବି ନେଇ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଶିଖରପୁର ପଂଚାୟତଟି ନଦୀ ଗର୍ଭରେ ଲିନ ହେବା, ପ୍ରାକୃତିକ ପରିବେଶ ନଷ୍ଟ ହେବା, ମହୁଲିଆ ଗ୍ରାମଠାରୁ ମଥୁରାନାଥ ପର୍ଯ୍ୟନ୍ତ ନଦୀ କୂଳରେ ଅତଡା ଖସିବା, ଦୁର୍ଘଟଣା ବଢୁଥିବା, ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବିପଦ ଶଙ୍କୁଳ ଅବସ୍ଥାରେ ଯାତାୟାତ କରିବା, ରାତ୍ରୀକାଳରେ ଅସାମାଜିକ ବ୍ୟକ୍ତିଙ୍କୁ ଦୌରାତ୍ମ୍ୟ ବୃଦ୍ଧି ହେବା, ଏପରିକି ପ୍ରତିବାଦ କଲେ ବାଲି ମାଫିଆଙ୍କ ଦ୍ୱାରା ମୃତ୍ୟୁର ଧମକ୍ ଦେବା ଇଦ୍ୟାଦି ଦାବି ନେଇ ସରୋଜ କିମାର ଗିରି, ଲକ୍ଷ୍ମିକାନ୍ତ ଗିରି, ମନୋଜ ଗିରି, ରବିନ୍ଦ୍ର ମହାନ୍ତି, ଅଲେଖ ଜେନା, ନରେଶ ମହାନ୍ତି, ବଳରାମ ଓଝା, ଅରୁଣ ବେହେରା, ଗଂଗାଧର ବ୍ରହ୍ମ, ମିହିର କୁମାର ଗିରି, ତ୍ରିଲୋଚନ ସାମଲ, ଦେବାଶିଷ ଜେନା, ମୁକ୍ତେଶ୍ୱର ବ୍ରହ୍ମ, ଶାନ୍ତିଲାତ ବେହେରା,ମିନତୀ ଦାସ, ଜ୍ୟୋତ୍ସା ଗିରି, ପଦ୍ମାବତୀ ସେନାପତି ପ୍ରମୁଖଙ୍କୁ ନେତୃତ୍ୱରେ ଶହ ଶହ ବ୍ୟକ୍ତି ଭାରପ୍ରାପ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବାଲି ପରିବହନ କରୁଥିବା ଟ୍ରାକ୍ଟର ଓ ଡମ୍ପରକୁ ଯିବାକୁ ନ ଦେବାଲାଗି ଗ୍ରାମ୍ୟ ଜଙ୍ଗଲ ସ୍ଥାନରେ ଗ୍ରାମବାସୀଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା