ସୁବର୍ଣ୍ଣରେଖା ଫୁଲୁଛି : ପଶ୍ଚିମବଙ୍ଗର ଉଦବୃତ୍ତ ବର୍ଷାପାଣି ସୃଷ୍ଟିକଲା ବନ୍ୟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲଘୁଚାପ ଜନୀତ ବର୍ଷା ସୁବର୍ଣ୍ଣ ରେଖାର ଉପର ମୁଣ୍ଡରେ ଲାଗି ରହିବାରୁ ତଥା ଗାଲୁଡିହ ବ୍ୟାରେଜ ଅଧିକ ବନ୍ୟାପାଣି ଛାଡିବାରୁ ସୁବର୍ଣ୍ଣରେଖା ଫୁଲୁଛି । ଏଣେ ଉତ୍ତର ବାଲେଶ୍ୱରରେ ପ୍ରାୟ ୫୦୦ ମିମି. ବର୍ଷା ୨ ଦିନ ପୂର୍ବରୁ ହୋଇଥିବା ଏବଂ ପଶ୍ଚିମବଂଗର ଉଦବୃତ୍ତ ବର୍ଷାପାଣି ଗଡି ଆସୁଥିବାରୁ ବିସ୍ତର୍ଣ୍ଣ ଅଂଚଳ ଜଳମଗ୍ନ ହୋଇଛି । ସୁବର୍ଣ୍ଣରେଖାର ରାଜଘାଟଠାରେ ସତର୍କ ସଳଚନା ୯.୫ ମିଟର ଥିବା ବେଳେ ଆଜି ସଂଖ୍ୟାରେ ୯.୧ ମିଟରେ ପାଣି ପ୍ରବାହିତ ହେଉଛି । ବନ୍ୟାର ସୂଚନା ନଥିବା ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ତଳିଆ ଅଂଚଳରେ ବନ୍ୟାର କକୂଆଭୟ ସୃଷ୍ଟି ହୋଇଛି । ଗତ ୧୭ ତାରିଖ ରାତି ତମାମ ଲଘୁଚାପ ଜନୀତ ବର୍ଷା ଲାଗି ରହିବା ଫଳରେ ଉତ୍ତର ବାଲେଶ୍ୱର ଓ ପଶ୍ଚିମବଂଗ ଅଂଚଳର ବହୁସ୍ଥାନ ଜଳମଗ୍ନ ହୋଇଥିଲା । ପଶ୍ଚିମ ବଂଗର ଉଦ୍ବୃତ୍ତ ବର୍ଷାପାଣି ବିଭିନ୍ନ ନାଳ ଓ ଖାଳ ଦ୍ୱାରା ଗଡି ଆସିବାରୁ ଏବେ ତଳି ଅଂଚଳର ଶତାଧିକ ଗ୍ରାମ ପାଣି ଘେରରେ ରହିଛି । ନାମ୍ପୋ ଖାଳ, ନହରା ଖାଳ, ଟୋପି ନାଳ, ତିତେଇ ନଈ, ଗୋବର ଖାଳ, ଗୋପ ଖାଳ, ଟ୍ରେନ୍ ଲାଇନ୍ର ୨ ପାଶ୍ୱର୍ ଓ ୬୦ ନଂ ଜାତୀୟ ରାଜପଥର ୨ ପାଶ୍ୱର୍ରେ ଥିବା ନୟନଯୋରୀ ମାଧ୍ୟମରେ ପାଣି ଆସି ଉତ୍ତର ବାଲେଶ୍ୱରରେ କୃତ୍ରିମ ବନ୍ୟା ସୃଷ୍ଟି କରିଛି । ଉତ୍ତର ବାଲେଶ୍ୱରରେ ଥିବା ୨୩ଟି ନାଳ ଓ ଖାଳ ଦ୍ୱାରା ଏହି ବର୍ଷାପାଣି ସୁବର୍ଣ୍ଣରେଖା ନଦୀକୁ ଗଡିଯିବା କଥା କିନ୍ତୁ ୧୮ ତାରିଖରେ ରାତିରେ ସୁବର୍ଣ୍ଣରେଖା ଉପର ମୁଣ୍ଡରେ ଜାମସେଦପୁର, ଜାମଶୋଳାଘାଟ, ଘାଟଶିଳା, ଫେକଘାଟ ଅଂଚଳରେ ବର୍ଷା ହୋଇଥିବାରୁ ସୁବର୍ଣ୍ଣରେଖା ନଦୀ ଅଦ୍ୟାବଧି ଫୁଲୁଛୁ । ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଥିବା ଗାଡିଡିହ ବ୍ୟାରେଜରୁ ୧ଲକ୍ଷ ୯୦ହଜାର କ୍ୟୁସେକ୍ ପାଣି ଛଡାଯିବାରୁ ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ଦେଖା ଦେଇଛି । ଆଜି ସଂଧ୍ୟାରେ ରାଜଘାଟ ରେଳପୋଲ ଠାରେ ଥିବା କେନ୍ଦୀୟ ଜଳ ଆୟୋଗର ଗେଜ୍ଠାରେ ୯.୧ମିଟର ଜଳ ପ୍ରବାହିତ ହେଉଥିବା ଜଣାଯାଇଛି । ଏହା ଏହା ୯.୨୨ ମିଟର ଛୁଇଁବ ବୋଲି ସହକାରୀ ନିର୍ବାହୀ ଅଧିକାରୀ ଇଂ ପ୍ରିୟବ୍ରତ ସିଂ ସୂଚନା ଦେଇଛନ୍ତି । ବନ୍ୟାର ସମ୍ଭାବନ ନଥିବାର ସେ କହିଥିଲେ ମଧ୍ୟ ଖାଲିନା, ନାମ୍ପୋ, ବାଇଗଣବାଡିଆ, ଝାଡପିମ୍ପଳ, ପଶ୍ଚିମବାର୍ଡ ପାଇକସିଦା, ଗଡସାହି, ରାୟାଁରାମଚନ୍ଦ୍ରପୁର, ବର୍ତ୍ତନା, ସମ୍ପତ୍ତିଆ, ନେତୁଆ, ନାଚିନ୍ଦା, ଗବଗାଁ, କୁସୁଡା, ପୁଟିଣା, ନହରା, ବାଉଁଶଡିହା ଇତ୍ୟାଦି ପଂଚାୟତର ଚାଷଜମି ଜଳମଗ୍ନ ଅବସ୍ଥାରେ ରହିଛି । ନଦୀରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ବର୍ଷାପାଣି ନଦୀକୁ ନିଷ୍କାସୀତ ହୋଇନପାରୁଥିବା ତଳି ଅଂଚଳରେ କୃତ୍ରୀମ ବନ୍ୟା ଦେଖା ଦେଇଛି ।