ସୁବର୍ଣ୍ଣରେଖା ବନ୍ୟାରେ ୬୪ ଗାଁ ଜଳବନ୍ଦୀ : ୩୫ ହେକ୍ଟର ଜମି ପାଣି ଘେରରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରେ ଲଗାତାର ୨ଥର ବନ୍ୟା ଆସିବାରୁ ଏବେ ନଦୀରେ ଜଳସ୍ତର କମିଥିଲେ ମଧ୍ୟ ତଳିଆ ଅଂଚଳରୁ ବନ୍ୟାପାଣି କମିନାହିଁ । ଅଦ୍ୟାବଧି ବହୁ ଗାଁ ଦାଣ୍ଡରେ ପାଣିର ସୁଅ ଛୁଟୁଛି । ଜଳ ନିଷ୍କାସନର ପଥ ବନ୍ଦ ହୋଇ ଯାଇଥିବାରୁ ହଜାର ହଜାର ଏକର ଚାଷ ଜମି ଦୀର୍ଘଦିନ ଧରି ପାଣିରେ ବୁଡି ରହିଛି । ଗତ ୧୫ ତାରିଖରୁ ସୁବର୍ଣ୍ଣରେଖା ନଦୀରେ ୨ୟଥର ଲାଗି ବନ୍ୟା ଆସିଥିବା ବେଳେ ଅଦ୍ୟାବଧି ଏହି ତଳିଆ ଅଂଚଳରୁ ପାଣି ଶୁଖିନାହିଁ । ସୁବର୍ଣ୍ଣରେଖା ବନ୍ୟା ଜଳ ଓ ପଶ୍ଚିମବଂଗର ଉଦ୍‌ବୃତ୍ତ ବର୍ଷାପାଣି ସହିତ ଆଂଚଳିକ ବର୍ଷାପାଣି ପରିସ୍ଥିତିକୁ ଜଟିଳ କରିଛି । ବ୍ଲକର ଝାଡପିମ୍ପଳ, ବାଇଗଣବାଡିଆ, ଖାଲିନା, ନାମ୍ପୋ, ସମ୍ପତ୍ତିଆ, ନେତୁଆ, ପଶ୍ଚିମବାର୍ଡ, ରାୟାଁରାମଚନ୍ଦ୍ରପୁର ଇତ୍ୟାଦି ବିଭିନ୍ନ ପଂଚାୟତର ଅବସ୍ଥା ଅବର୍ଣ୍ଣନୀୟ । ଗ୍ରାାମାଞ୍ଚଳର କଂକ୍ରିଟ ରାସ୍ତାଗୁଡିକ ପାଣିରେ ବୁଡି ରହିଥିବା ବେଳେ ଘର ଗୁଡିକ ଦୀପପରି ଦେଖା ଦେଉଛି । ଅଦ୍ୟାବଧି ସବୁଦ୍ର ଜୁଆରିଆ ରହୁଥିବାରୁ ଏହି ତଳିଆ ଅଂଚଳର ବନ୍ୟାପାଣି ସମୁଦ୍ରକୁ ନିଷ୍କାସିତ ହୋଇ ପାରୁନାହିଁ । ପ୍ରାୟ ୧୪ ଦିନ ଖରିଫ ଧାନଗଛ ପାଣିରେ ବୁଡି ରହିଥିବାରୁ ସେ ସବୁର ବ୍ୟାପକ ନଷ୍ଟ ହୋଇଥିବାର ସମ୍ଭାବନା ଦେଖା ଦେଇଛି । କୃଷି ବିଭାଗର ତଥ୍ୟ ଅନୁଯାୟୀ ଜଳେଶ୍ୱର ବ୍ଳକର ୬୪ଟି ଗାଁ ଏକ ଏକ ଦୀପଭଳି ଦେଖା ଯାଉଥିବା ବେଳେ ୩୪୯୬ ହେକ୍ଟର ଜମିର ଚାଷ ପାଣିରେ ବୁଡି ରହିଥିବା ଦର୍ଶାଯାଇଛି । ଫଳରେ ଚାଷୀ ମୁଣ୍ଡରେ ହାତ ମାରି ବସିଛି । ଏସବୁ କ୍ଷୟକ୍ଷତି ଆକଳନ କରି ସରକାର ଆର୍ଥିକ ସହାୟତା ସହିତ ବିହନ, ସାର ଓ ମଂଜି ଯୋଗାଇ ଦେବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା