ସୁଭଦ୍ରା କଲ୍‌ ସେଣ୍ଟର ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା : ନିଜେ କଥା ହୋଇ ଅଭିଯୋଗକାରୀଙ୍କ ସନ୍ଦେହ ଦୂର କଲେ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଭୁବନେଶ୍ୱରସ୍ଥିତ ସୁଭଦ୍ରା କଲ ସେଣ୍ଟରକୁ ପରିଦର୍ଶନରେ ଯାଇ ଏହାର କାର୍ଯ୍ୟକରିତାକୁ ସମୀକ୍ଷା କରିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କଲ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି ଓ ଲୋକମାନଙ୍କୁ ଠିକ ସୂଚନା ଦେବା ସେମାନଙ୍କ ଗୁରୁଦାୟିତ୍ୱ ବୋଲି ଉଲ୍ଲେଖ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିଜେ ଏହି ସେଣ୍ଟରରେ ଏକ କଲ୍‌ରେ କଥା ହୋଇ ଅଭିଯୋଗକାରୀଙ୍କ ସନ୍ଦେହ ଦୂର କରିଛନ୍ତି । ସୂଚନାଯୋଗ୍ୟ, ସମସ୍ତଙ୍କୁ ସହଜରେ ସୂଚନା ପ୍ରଦାନ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ହେଲ¬ଲାଇନ ନମ୍ବର – ୧୪୬୭୮ ଜାରି କରାଯାଇଛି । ଏହି ହେଲ¬ଲାଇନ ନମ୍ବର ପ୍ରତିଦିନ ସକାଳ ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଛି । ଏହି କଲ ସେଣ୍ଟରଟି ମହିଳା ଓ ଶିଶୁ ବିକାଶ ବିଭାଗ ଓ ‘ତତ୍ତ୍ୱ ଟେକ୍‌ନୋଲୋଜି’ର ସହଭାଗିତାରେ କାର୍ଯ୍ୟକାରୀ କରାଯାଉଛି । ଏହି ସେଣ୍ଟରରେ ୧୮୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଓ ଏଥିରେ ୧୨୦ ଜଣ ମହିଳା କାର୍ଯ୍ୟରତ ଅଛନ୍ତି । ୩୦ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ସେଣ୍ଟରରେ ଏଯାବତ ୮୨୦୦୦ କଲ୍‌ର ଉତ୍ତର ଦିଆଯାଇଛି । ପ୍ରମୁଖ ପ୍ରଶ୍ନ ମଧ୍ୟରେ ଆଧାର ଓ ମୋବାଇଲ ଲିଙ୍କ, ଫର୍ମ ଦାଖଲର ଶେଷ ତାରିଖ, ସୁଭଦ୍ରା ଫର୍ମ ପୂରଣର ପ୍ରକ୍ରିୟା, ପ୍ରଥମ କିସ୍ତି ମିଳିବା ତାରିଖ, ଆୟ ପ୍ରମାଣପତ୍ର (ଇନକମ ସାର୍ଟିଫିକେଟ) ଓ ରାସନ କାର୍ଡର ଆବଶ୍ୟକତା ସମ୍ବନ୍ଧୀୟ ପ୍ରଶ୍ନ ବହୁ ମାତ୍ରାରେ କଲ୍‌ ସେଣ୍ଟରକୁ ଆସୁଥିବାର ସୂଚନା ରହିଛି । ଏହି ସବୁ ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଇ ଲୋକଙ୍କ ମନର ଭୁଲ ଧାରଣାକୁ ଦୂର କରାଯାଉଛି ।

ରିପୋର୍ଟ : ରଜତ ମହାପାତ୍ର ଓ ତନୁଜା ମହାନ୍ତି