


ଭୁବନେଶ୍ୱର(ସମୃଦ୍ଧଓଡିଶା)ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଆଜି ଅପରାହ୍ଣରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭାଶର୍ମା, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟକୁମାରସିଂ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ଉଲ୍ଲେଖ ଯୋଗ୍ୟଯେ ରାଜ୍ୟର ମହିଳାମାନଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଲେଖାଏଁ ହାତଖର୍ଚ୍ଚ ରାଜ୍ୟ ସରକାର ଯୋଗାଇଦେବେ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ୨ଟି କିସ୍ତିରେ ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ସେମାନେ ନିଜ ଇଚ୍ଛାରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ । ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନଙ୍କୁ ବାଦ୍ ଦେଇ ରାଜ୍ୟର ୨୧ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳାମାନେ ଏହି ଟଙ୍କା ପାଇପାରିବେ । ପ୍ରାୟ ଏକ କୋଟିରୁ ଅଧିକ ମହିଳା ବର୍ଷକୁ ଏହି ୧୦ହଜାର ଟଙ୍କା ଲେଖାଏଁ ହାତଖର୍ଚ୍ଚ ଚଳିତ ଆର୍ଥିକ ବର୍ଷରୁ ପାଇବେ । ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ଗାଇଡଲାଇନକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଗଷ୍ଟ ୨୨ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା’ ଯୋଜନାକୁ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବା ନେଇ ନିଷ୍ପତ୍ତି ହୋଇଛି।୨୦୨୮-୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ ୫୫୮୨୫ କୋଟିର ବଜେଟ୍ ଧାର୍ଯ୍ୟ ହୋଇଛି । ଏହି ଯୋଜନାରେ ରାଜ୍ୟର ୧କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସରକାର ଅନ୍ତ୍ୟୋଦୟରେ ବିଶ୍ୱାସ କରନ୍ତି । ତେଣୁ ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯିବ । ସେହିପରି କୌଣସି ଯୋଜନାରେ ଯଦି କେହି ମହିଳା ମାସିକ ୧୫୦୦ଟଙ୍କା ଅବା ତଦୁର୍ଦ୍ଧ୍ୱ ସହାୟତା ଅବା ବାର୍ଷିକ ୧୮ହଜାର ଟଙ୍କାରୁ ଅଧିକ ସହାୟତା ରାଶି ପାଉଥିବେ ତା’ହେଲେ ସେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ । ପ୍ରତ୍ୟେକ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତିକ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏଁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରାଯିବ । ତେଣୁ ୫ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଆଧାର ପେମେଂଟ ବ୍ରିଜ୍ ସିଷ୍ଟମ(ଏପିବିଏସ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଡିବିଟି ବ୍ୟାଙ୍କ ଆକାଉଣ୍ଟାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହାସହିତ ହିତାଧିକାରୀମାନଙ୍କୁ ‘ସୁଭ୍ରଦା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।
ରିପୋର୍ଟ : ରଜତ ମହାପାତ୍ର