ସୁସ୍ଥ ସମାଜ ଗଠନ କରିବାକୁ ହେଲେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ନିହାତି ଆବଶ୍ୟକ:ଆନ୍ଧ୍ର ରାଜ୍ୟପାଳ…

ବିଜୟୱାଡା (ସମୃଦ୍ଧ ଓଡିଶା) ସୁସ୍ଥ ସମାଜ ଗଠନ କରିବାକୁ ହେଲେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ନିହାତି ଆବଶ୍ୟକ ବୋଲି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ମହିଳା ମାନଙ୍କର ସ୍ୱାସ୍ଥ୍ୟ ଠିକ ରହିଲେ ପରିବାରର ସୁଖ ସମୃଦ୍ଧି ବଢିଥାଏ ଏବଂ ସମାଜ ପାଇଁ ଉପଯୋଗୀ ହୋଇଥାଏ । ସେଥିପାଇଁ ନାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି । ବିଜୟୱାଡା ଠାରେ ଶ୍ରୀ ଶ୍ରୀ ତ୍ରିଦନ୍ତୀ ଚିନ୍ନା ଜିଆର ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ମହିଳା ଆରୋଗ୍ୟ ବିକାଶ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ମହିଳା ସ୍ୱାସ୍ଥ୍ୟ ସଚେତନତା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନାରୀ ସ୍ୱାସ୍ଥ୍ୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ନାରୀ ମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଓ କର୍କଟ ରୋଗ ଉପରେ ସଚେତନତା ଶିବିର କରାଯାଇଥିବା ସୂଚନା ପାଇ ରାଜ୍ୟପାଳ ବିଶେଷ ଖୁସି ବ୍ୟକ୍ତ କରି ନାରୀମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଏକ ମୌଳିକ ଅଧିକାର ହୋଇଥିବା ବେଳେ ସେମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରିବା ସମାଜ ପାଇଁ ଏକ ଶୁଭ ସୂଚନା ବୋଲି ଉଲ୍ଲେଖ କରିଥିଲେ । ଟ୍ରଷ୍ଟ ମୁଖ୍ୟ ଚିନ୍ନା ଜିଆର ସ୍ୱାମୀ କର୍କଟ ରୋଗ ନିରାକରଣ ପାଇଁ ଏକ ହଜାର ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିବା କହିଥିଲେ । ଏଥିରେ ୧୦ଲକ୍ଷ ମହିଳାଙ୍କୁ ଚିକିତ୍ସା କରାଯାଇଥିବା ସୂଚନା ଦେଇଥିଲେ । ଏହା ଶୁଣି ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଥିଲେ । ଏହି ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ଏଭଳି ଶିବିର ସଂଗଠନ କରାଯାଉଥିବା ଓ ମହିଳାମାନଙ୍କର ସ୍ୱାସ୍ଥ୍ୟ ସେବା କରାଯାଉଥିବା ସଂଯୋଜକ ମାଧବୀ ରବିନ୍ଦ୍ର ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ଟ୍ରଷ୍ଟ ମୁଖ୍ୟ ସ୍ୱାମୀଙ୍କ ସମେତ ପୂର୍ବତନ ରାଜ୍ୟ ମନ୍ତ୍ରୀ କମିନେନି ଶ୍ରୀନିବାସ, ପୂର୍ବତନ ସାଂସଦ ଗୋକରାଜୁ ଗଙ୍ଗାରାଜୁ, ଟ୍ରଷ୍ଟ ପରିଚାଳକ ଏମ.ସି ଦାସଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ ।