ରାୟଗଡା (ସମୃଦ୍ଧ ଓଡିଶା) ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ୧୦୯ତମ ଜନ୍ମ ଜୟନ୍ତୀ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପାଳନ କରାଯାଇଛି । ଏହି ଦିବସର ଶୁଭ ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗଦାନ କରି ନିଜର ବକ୍ତବ୍ୟରେ ଡ଼ଃ. ତ୍ରିପାଠୀଙ୍କ ସରଳ, ନିରାଡ଼ମ୍ବର ଓ ଆଦର୍ଶ ଜୀବନ ପ୍ରତି ଯୁବପିଢ଼ିଙ୍କୁ ଅନୁପ୍ରାଣିତ ହେଲେ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି କହିଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାହିତ୍ୟକ ଡ଼ମ୍ବରୁଧର ପଟ୍ଟନାୟକ ଯୋଗଦାନ କରି ଡ଼ଃ. ସଦାଶିବ ତ୍ରିପାଠୀଙ୍କ ତ୍ୟାଗପୁତ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ସେହିପରି ଶିକ୍ଷାବିତ ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି ଓ ବିଶିଷ୍ଟ ଗାନ୍ଧିବାଦୀ ନେତା ଜୟରାମ ଜେନା, ଡ଼ଃ ସଦାଶିବ ତ୍ରିପାଠୀଙ୍କ ସରଳ ଜୀବନଯାପନ ଓ ସମାଜ ସେବା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କେଦାର ପଣ୍ଡା, ଗୋପୀ ସାହୁ, ବିଦୁଲତା ହୁଇକା, ୱାକର୍ସ କ୍ଳବର ସଭାପତି ସତ୍ୟବାଦୀ ପତି ଏବଂ ତାଙ୍କର କର୍ମକର୍ତ୍ତା, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ଜିଲ୍ଲା ସାମ୍ବାଦିକ ସଂଘର ଉପଦେଷ୍ଟା ବାଦଲ କୁମାର ଓ ସାମ୍ବାଦିକ ସଂଘର କର୍ମକର୍ତ୍ତା, ରାୟଗଡା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକବୃନ୍ଦ, ରାୟଗଡା ସହରର ନାଗରିକ ବୃନ୍ଦ ଯୋଗଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ