

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ଅଧିନସ୍ଥ ସିଦ୍ଧେଶ୍ୱର, କୋଟିନଡା ଏବଂ ବାସୁଦେବପୁର ଭଳି ତିନିଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇନଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ବିନା ସୂଚନା ନଥିବା ସୂଚନା ଫଳକ ଔପଚାରିକତା ଦୃଷ୍ଟିରୁ ଲଗାଇ ଦେଇ କେବଳ ଲୋକଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁଆଁ ବୁଲାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ନିୟମ ଅନୁସାରେ ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରିବା ପାଇଁ ବାଧ୍ୟତାମୂଳକ ରହିଥିବା ବେଳେ ତାହା ସଠିକ୍ ଉଦ୍ଧେଶ୍ୟରେ କରାଯାଇନଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ବ୍ଳକର ଆଦିବାସୀ ଅଧୁଷିତ ଅପହଞ୍ଚ ଇଲାକା ଭାବେ ଡଙ୍କାରୀ, ସାନବୁରୁଡା, ବଡବୁରୁଡା, ଚଢେୟାଗରଦ ଆଦି ଅଞ୍ଚଳ ବେଶ୍ ପରିଚିତ । ଦୀର୍ଘ ଦିନ ଧରି ଉକ୍ତ ଗ୍ରାମ ଗୁଡିକ ଯୋଗାଯୋଗରୁ ବିଚ୍ଛିନ୍ନ ରହିଆସୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ସମସ୍ତ ଗ୍ରାମ ଗୁଡିକୁ ସଂଯୋଗ କରିଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିକଟରେ ଏକ ରାସ୍ତା ନିର୍ମାଣ କରାଯାଇଛି । ତେବେ ଉକ୍ତ ରାସ୍ତା ପ୍ରକଳ୍ପ ନିର୍ମାଣ ହୋଇ ଉଦଘାଟନ ହୋଇଯାଇଥିବା ବେଳେ ସୂଚନା ଫଳକରେ କୌଣସି ପ୍ରକାର ତଥ୍ୟ ଲୋକଙ୍କୁ ସାର୍ବଜନୀନ କରାଯାଇନଥିବା ବେଳେ ରାସ୍ତାର ରକ୍ଷଣାବେକ୍ଷଣ ନହେବା ଏବଂ ସମ୍ପୂର୍ଣ୍ଣ ରାସ୍ତା ନହେବା ପ୍ରସଙ୍ଗକୁ ନେଇ ସନ୍ଦେହ ସୃଷ୍ଟି କରିଛି । ସେହିପରି ରାସ୍ତା ନିର୍ମାଣ ପ୍ରକଳ୍ପର ସମ୍ପୂର୍ଣ୍ଣ ବ୍ୟୟ ଅଟକଳ, କାର୍ଯ୍ୟର ଅବଧି, ଠିକାଦାରଙ୍କ ନାମ ଉଲ୍ଲେଖ ହୋଇନଥିବା ବେଳେ ରାସ୍ତା ନିର୍ମାଣ ପ୍ରକଳ୍ପର ପର୍ଯ୍ୟାୟ ସାରଣୀ ମଧ୍ୟ କେବଳ ଚିତ୍ର କରିଦିଆଯାଇ ଛାଡି ଦିଆଯାଇଛି । ରାସ୍ତା ପ୍ରକଳ୍ପରେ ଘାସଡାଳ ପତ୍ର କାଟି ସଫା କରିବା, ପାଣି କଟାଧାର ପୁନଃ ମରାମତି, ପିଚୁ ରାସ୍ତାର ଉଭୟ ପାଶ୍ୱର୍ର ମୋଟାର ସୋଲୁର ମରାମତି, ରାସ୍ତା ଉପରେ ଗର୍ତ୍ତ ଏବଂ ଫାଟ ମରାମତି, ରାସ୍ତା ପାଶ୍ୱର୍ ନାଳର ମରାମତି, ତିଆରି ହୋଇଥିବା ଶଙ୍ଖ ଏବଂ ପୋଲର ମରାମତି, ରାସ୍ତାରେ ଲାଗିଥିବା କିଲୋମିଟର ଖୁଣ୍ଟି ଏବଂ ସାଇନ୍ ବୋର୍ଡ୍, ଶଙ୍ଖ ଓ ପୋଲରେ ଧଳାରଙ୍ଗ ମାରିବା କାର୍ଯ୍ୟ ଆଦି ବିଧିବଦ୍ଧ ଭାବେ କରିବା ପାଇଁ ନିୟମ ରହିଥିବା ବେଳେ ସେ ସବୁ କରାଯାଇନଥିବା ନେଇ ସିପିଆଇ ସିଦ୍ଧେଶ୍ୱର ଶାଖା ସହସମ୍ପାଦକ ଦୀନବନ୍ଧୁ ରେଡ୍ଡି ଅଭିଯୋଗ କରିଛନ୍ତି । ସମ୍ପ୍ରତ୍ତି ହୋଇଥିବା ଲଘୁଚାପ ଜନିତ ବର୍ଷାରେ ଉକ୍ତ ରାସ୍ତା ଏବେ ଧୋଇ ହୋଇସାରିଥିବା ବେଳେ ରକ୍ଷଣାବେକ୍ଷଣ କରିବା ପାଇଁ ଦାବୀ ହୋଇଛି । ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନ କରିଲେ ବର୍ଷା ଋତୁରେ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଚର୍ଚ୍ଚା ହେଉଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



