

ଯାଜପୁର (ସମୃଦ୍ଧ ଓଡିଶା) ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀ ରୋଡ଼ ଠାରେ ଏକ ନିଷ୍ପେସିତ ପରିବାର ରହିଛନ୍ତି । ସୂଚନା ଯେ, ସମୟର କ୍ରୁର କରାଳ ସ୍ରୋତରେ ପାଞ୍ଚ ପାଞ୍ଚଟି କନ୍ୟା ଆଜି ଅନାଥ ଅର୍ଥାତ ବାପାମାଆ ଛେଉଣ୍ଡ ହୋଇଯାଇଛନ୍ତି । ସେମାନଙ୍କ ଏକମାତ୍ର ଅନ୍ଧୁଣି ଜେଜେମା ହିଁ ସାହାରା ଅଛନ୍ତି । ଏଭଳି ପରିସ୍ଥିତିରେ ଆଜିର ସମାଜରେ ତିଷ୍ଠିବା ପାଇଁ ସଂଘର୍ଷରତ ଅଟେ । ସମସ୍ତ କନ୍ୟାଙ୍କ ମନରେ ନିଜର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ରହିଛି । ହେଲେ ବାସ୍ତବ ଚିତ୍ର ଅତି ଦୟନୀୟ ଅଟେ । ସୁତରାଂ ଅଭାବ ଅନଟନ ଭିତରେ ସମସ୍ତ ପରିବାର ଆଜି ନିଷ୍ପେସିତ । ନା ଅଛି ଆର୍ଥିକ ସ୍ୱଚ୍ଛଳତା ନା ଅଛି ଉପଯୁକ୍ତ ବାସଗୃହ ଟିଏ । ନା ଅଛି ଆଗାମୀ ଭବିଷ୍ୟତ ପାଇଁ କିଛି ନିର୍ଣ୍ଣୟ ନେବାର ଶକ୍ତି । ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଯାଜପୁର ଜିଲ୍ଲାର “ସୂର୍ଯ୍ୟାଲୋକ ସମାଜ ସେବା” ପରିବାର ପହଞ୍ଚି ସେମାନଙ୍କୁ ମାସକ ପାଇଁ ରାସନ ସାମଗ୍ରୀ ଦେବା ସହ ଆଗ୍ରହୀ ଥିବା କନ୍ୟା ମାନଙ୍କର ଉଚ୍ଚଶିକ୍ଷାର ସମସ୍ତ ପ୍ରକାର ସହଯୋଗର ପ୍ରତିଶୃତି ସହ କିଛି ନଗଦ ଅର୍ଥ ରାଶି ପ୍ରଦାନ କରିଛନ୍ତି ଏବଂ ଆଗାମୀ ଦିନରେ ଏହି ପରିବାର ସହ ସବୁବେଳେ ଛିଡା ହେବାର ପ୍ରତିଶୃତି ଦେଇଛନ୍ତି । ତେଣୁ ‘ସୂର୍ଯ୍ୟାଲୋକ ସମାଜ ସେବା’ ପରିବାର ବର୍ଗଙ୍କ ଏଭଳି ମହତ ଏବଂ ପୁର୍ଣ୍ୟ ଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।