ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୨୦୧୬ ମସିହାରୁ ଏମକେସିଜି ମେଡିକାଲର ସେଟଲାଇଟ ହସ୍ପିଟାଲ ଭାବେ ସିଟି ହସ୍ପିଟାଲକୁ ଘୋଷଣା ସତ୍ତ୍ୱେ ଏଠାରେ ଡାକ୍ତର ଅଭାବ ବେଳେ ଏମକେସିଜି ମେଡିକାଲରୁ ଡାକ୍ତର ନିୟୋଜିତ କରାଯାଉ ନ ଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଛି । ଏହାର ବ୍ୟତିକ୍ରମ କରାଯାଇ ଅବସରପ୍ରାପ୍ତ ଡାକ୍ତର ମାନଙ୍କୁ ପୁନଃ ନିଯୁକ୍ତ କରାଯାଉ ଥିବାରୁ ସେଟଲାଇଟ ଯୋଜନା ବିଫଳ ହୋଇଛି । ପୁନଃ ନିଯୁକ୍ତ ପାଉଥିବା ଡାକ୍ତରମାନେ ସମସ୍ତେ ନିଜ ନିଜର ଘରୋଇ ଚିକିତ୍ସାଳୟ ଖୋଲି ଥିବାରୁ ରୋଗୀଙ୍କୁ ସୁଷମ ଚିକିତ୍ସା ବଦଳରେ ଶୋଷଣ କରାଯାଉଥିବା ଦେଖିବାକୁ ମିଳୁଛି । ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଶଙ୍କର୍ଷଣ ପାତ୍ର ୨୦୧୭ ମସିହାରୁ ଅବସର ନେଇଥିଲେ ସୁଦ୍ଧା ତାଙ୍କୁ ପୁନଃ ନିଯୁକ୍ତି କରାଯାଇଥିବାରୁ ସେ ଘରୋଇ ଚିକିତ୍ସାଳୟକୁ ରୋଗୀମାନଙ୍କୁ ସୁପାରିଶ କରୁଥିବା ଅଭିଯୋଗ ହେଉଛି । ସେହିପରି କର୍ଣ୍ଣ, ନାସା, ଗଳା ବିଭାଗର ଅବସରପ୍ରାପ୍ତ ଡାକ୍ତର ଛାୟା ରମଣ ପଟ୍ଟନାୟକ ଗତ ଅକ୍ଟୋବରରୁ ଅବସର ନେଇଥିଲେ ସୁଦ୍ଧା ତାଙ୍କୁ ପୁନଃ ନିଯୁକ୍ତି କରାଯାଇଛି । ଏହିଭଳି ଅବସରପ୍ରାପ୍ତ ଡାକ୍ତର ମାନଙ୍କୁ ପୁନଃ ନିଯୁକ୍ତି ଦେଲେ ଦଲାଲ ସଂଖ୍ୟା ବଢିବା ସଂଗେ ସଂଗେ ରୋଗୀ ଶୋଷଣର ସମ୍ମୁଖୀନ ହେଉଛି । ଜିଲ୍ଲାରେ ବର୍ଦ୍ଧିତ କିଡ଼ନୀ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟି ଦେଲେ ହଜାର ହଜାର ସଂଖ୍ୟାରେ ରୋଗୀ ଡାଇଲିସିସ ପାଇଁ ଜିଲ୍ଲା ବାହାରକୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏମକେସିଜି ମେଡିକାଲ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇପାରୁ ନ ଥିବାରୁ ସିଟି ହସ୍ପିଟାଲରେ ମଧ୍ୟ ସହାୟ ଯୋଜନା ମାଧ୍ୟମରେ ଏକ ଡାଇଲସିସ ୟୁନିଟ ଖୋଲା ଯିବାକୁ ଦାବି କରାଯାଇଛି । ତାହା ସହିତ ଆସିକା ମେଡିକାଲରେ ୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲିବା, ଡିଜିଟାଲ ଅଲଟ୍ରାସାଉଣ୍ଡ ମେସିନ ସ୍ଥାପନ କରିବା, ଜନନୀ ଓ ଶିଶୁ ସୁରକ୍ଷା ଯୋଜନାରେ ସଠିକ କାର୍ଯ୍ୟକାରୀ କରିବା ଓ ଡାକ୍ତର ନିଯୁକ୍ତି କରିବା ଆଦି ଦାବି ନେଇ ଦୀର୍ଘ ଦିନରୁ ଆନ୍ଦୋଳନ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବାର ସମ୍ଭାବନା ରହିଛି ବୋଲି ମାନବ ସୁରକ୍ଷା ଅଭିଯାନ ମଞ୍ଚ ପକ୍ଷରୁ ଏକ ଦାବି ପତ୍ର ଅବନୀ କୁମାର ଗୟାଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସଦାନନ୍ଦ ମିଶ୍ରଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା