ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସେଲଟର ହୋମ ଗୁଡିକରେ ଯୌନ କେଳାଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣକୁ ସରକାରୀ ଦଳ ପ୍ରୋତ୍ସାହନ ଯୋଗାଇବା ଏବଂ ସମସ୍ତ ଘଟଣାକୁ ମିଥ୍ୟା ଦର୍ଶାଇ ବିଜେଡି ମହିଳା ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ବେନିୟମ ଭାବେ ଚାଲିଥିବା ଏକ ସଂସ୍ଥାକୁ ସମର୍ଥନ କରି ପୁଣି ଥରେ ମହିଳାମାନଙ୍କୁ ଅସମ୍ମାନ କରି ସେମାନଙ୍କ ସୁରକ୍ଷା ସହ ଖେଳ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ତହିଛନ୍ତି । ସେ କହିଛନ୍ତି ଯେ ମହିଳାମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆଦୌ ଚିନ୍ତିତ ନୁହଁନ୍ତି । ଏପରିକି ମହିଳାମାନଙ୍କ ସହ ର୍ଦୁବ୍ୟବହାର କରୁଥିବା ଅପରାଧୀମାନଙ୍କୁ ଶାସକ ଦଳର ନେତା ମାନେ ସୁରକ୍ଷା ଯୋଗାଇ ଆସୁଛନ୍ତି । ଗୁଡ ନିଉଜ ଇଣ୍ଡିଆ ନାମକ ସଂସ୍ଥା ନାବାଳିକାଙ୍କ ସହ ଯୌନ ବ୍ୟଭିଚାର, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ କରୁଥିବା ବେଳେ ଶାସକ ଦଳର ମହିଳା ଜନତା ଦଳ ଏହି ସଂସ୍ଥାକୁ ସମର୍ଥନ କରିଛି । ଶାସକ ବିଜେଡି ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କ ମୁଖା ଖୋଲିଯିବା ଭୟରେ ମହିଳାମୋର୍ଚ୍ଚା ନିଜ ଦୋଷକୁ ଘଂଟ ଘୋଡାଇବା ପାଇଁ ଏଭଳି ନାଟକ କରୁଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି । ଯଦି ରାଜ୍ୟ ସରକାରଙ୍କ ଏହି ସଂସ୍ଥା ସହ ସଂପୃକ୍ତି ନଥାନ୍ତା, ତେବେ ଗତ ଡିସେମ୍ବର ୨ ତାରିଖ ଦିନ ସେଲଟର ହୋମରୁ ନାବାଳିକା ଛାତ୍ରଛାତ୍ରୀମାନଙ୍କୁ ସ୍ଥାନନ୍ତରିତ କରିନଥାନ୍ତେ । ଯେଉଁ ସରକାର ରାଜ୍ୟର ମହିଳାମାନଙ୍କ ଦାୟୀତ୍ୱ ନେବା କଥା, ସେହି ସରକାର ଅନ୍ୟ ରାଜ୍ୟମାନଙ୍କର ସହ ନିଜ ରାଜ୍ୟକୁ ତୁଳନା କରି ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ନିଜର ବିଫଳତାକୁ ସ୍ୱୀକାର କରିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପ୍ରରୋଚନାରେ ଓଡିଶାରେ ଗୁଡ ନିଉଜ ଇଣ୍ଡିଆର ୨୬ଟି ସ୍ଥାନରେ ବେଆଇନ ଭାବେ ସେଲଟର ହୋମ ଚାଲୁଛି । ଏହା ଭିତରେ ମହିଳାମାନଙ୍କୁ ଆଶ୍ରୟ ଦେବା ନାଁରେ ଯୈାନ ବ୍ୟଭିଚାର, ଚୋରାଚାଲାଣ ଏବଂ ଧର୍ମାନ୍ତୀକରଣ ଚାଲିଛି । ମୁଖ୍ୟମନ୍ତ୍ରୀ ବି ଏହି ପ୍ରସଙ୍ଗରେ ନିଜର ମନ୍ତବ୍ୟ ନଦେଇ ଘଟଣାକୁ ସମର୍ଥନ କରିଚାଲିଛନ୍ତି ବୋଲି ଶ୍ରୀମତା ପରିଡା କହିଛନ୍ତି । ବିଜେଡି ସରକାର ମହିଳା ବିରୋଧୀ ସରକାର ବୋଲି ଆଜିର ପ୍ରେସମିଟରେ ପ୍ରମାଣିତ ହୋଇଛି । ଏହି ସମସ୍ତ ଘଟଣାରେ ସଂପୃକ୍ତଥିବା ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ତଦନ୍ତ ପରିସରଭୃକ୍ତ କରିବା ସହ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ ସାମଲ ତୁରନ୍ତ ନିଦ ମନ୍ତ୍ରୀପଦରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର