
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗୁଡ୍ ନିୟୁ୍ଜ୍ ଇଣ୍ଡିଆ ସଂସ୍ଥା ଦ୍ୱାରା ପରିଚାଳିତ ସେଲ୍ଟରହୋମ ଦ୍ୱାରା ମାନବଚାଲାଣ, ଧର୍ମାନ୍ତିକରଣ, ବିଦେଶୀ ପୁଞ୍ଜି ଏବଂ ବେନିୟମ କାର୍ଯ୍ୟକଳାପର ତଦନ୍ତ ପାଇଁ ବିଜେପି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛି । ଏନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗୁଡ୍ ନିୟୁ୍ଜ୍ ଇଣ୍ଡିଆ ତରଫରୁ ସେଲ୍ଟର ହୋମ ଚାଲୁଥିଲା । ଏହି ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍ଟର ହୋମ ଲଜ୍ଜା ଘଟଣା ଲୋକଲୋଚନକୁ ଆସିଛି । ବିଭିନ୍ନ ବେଆଇନ କାର୍ଯ୍ୟକଳାପ ବିଶେଷ କରି ନାବାଳିକା ଯୈାନ ନିର୍ଯାତନା, ମାନବ ଚାଲାଣ, ବିଦେଶୀ ପୁଞ୍ଜି କାରବାର ଭଳି ଅତ୍ୟନ୍ତ ସାଂଘାତିକ ଏବଂ ଉଦବେଗଜନକ ଘଟଣାମାନ ଦୀର୍ଘ ୨ ବର୍ଷ ଧରି ଏହି ସଂସ୍ଥା ଦ୍ୱାରା ଚାଲିଥିବାର ଅଭିଯୋଗ ଗୁଡିକର ତଦନ୍ତ ହେବା ନିହାତି ଆବଶ୍ୟକ । ରାଜ୍ୟରେ କିପରି ଓ କାହା ଇଙ୍ଗିତିରେ ଗୁଡ଼୍ ନିୟୁଜ୍ ଇଣ୍ଡିଆ ପରିଚାଳିତ ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଠାରେ ଥିବା ବେଆଇନ୍ ଭାବେ ଚାଲିଥିଲା ? ଏ ସମସ୍ତ ସଂସ୍ଥାମାନଙ୍କୁ ବିଦେଶରୁ କେତେ ଅର୍ଥ ଆସୁଥିଲା ? ବିଦେଶରୁ ଆସୁଥିବା ଏହି ସମସ୍ତ ଅର୍ଥକୁ ବେଆଇନ୍ ଭାବେ ଧର୍ମନ୍ତୀକରଣରେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ଆସିବା ସତ୍ୱେ ରାଜ୍ୟ ସରକାର କାହିଁକି ନୀରବଦ୍ରଷ୍ଟା ସାଜିଥିଲେ ? ଏ ସମସ୍ତ ଘଟଣାର ସତ୍ୟାସତ୍ୟର ତଦନ୍ତ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଅଛି । ରାଜ୍ୟରେ ୨୬ ଟିରୁ ୧୫ ଟି ବେଆଇନ୍ ସେଲ୍ଟର ହୋମ ଗୁଡ୍ ନିୟୁ୍ଜ୍ ଇଣ୍ଡିଆ ପକ୍ଷରୁ କାର୍ଯ୍ୟ କରୁଥିଲା । ଏଥିରେ ସେଲଟର ହୋମର କର୍ତୁପକ୍ଷମାନେ ଜବରଦସ୍ତି ଧର୍ମାନ୍ତୀକରଣ ପାଇଁ ବାଧ୍ୟ କରୁଥିଲେ । ଏହି ସେଲଟର ହୋମର ମୁଖ୍ୟ କିଭଳି ସେଠାରେ ରହୁଥିବା ଅନ୍ତୋବାସୀଙ୍କୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଉଥିଲେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଭଳି ସମ୍ବେଦଶୀଳ ଘଟଣା ବିଷୟରେ ସଂପୂର୍ଣ୍ଣ ଅବଗତ କରାଇବା ସହ ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି । ଏଭଳି ଏକ ସ୍ପର୍ଶକର୍ତ୍ତା ପ୍ରସଙ୍ଗକୁ ଗରୁତ୍ୱର ସହ ଗ୍ରହଣ କରି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବିହୀତ ପଦକ୍ଷେପ ନେବାକୁ ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧୀ ଦଳରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସାଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ନିୟତି ଗିରି, କାନନବାଲା ପଟ୍ଟନାୟକ, ବବିତା ପାତ୍ର ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର