ସୋରଡ଼ା ପ୍ରେସ କ୍ଳବର ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ସୋରଡ଼ା (ସମୃଦ୍ଧ ଓଡିଶା) “ବୃକ୍ଷ ହିଁ ଜୀବନ” ଦିନକୁ ଦିନ ଜନ ସଂଖ୍ୟା ବୃଦ୍ଧି ପାଇବା ସହିତ ଅମ୍ଳଜାନର ପରିମାଣ ହ୍ରାସ ପାଉଛି କାରଣ ଜଙ୍ଗଲ ସବୁ କାଟି ଜନବସତି, ଶିଳ୍ପ ଇତ୍ୟାଦି ସବୁ ଗଢି ଉଠିଛି । ତେଣୁ ଆମକୁ ତଥା ଏହି ଜୀବ ଜଗତକୁ ବଞ୍ଚାଇବା ପାଇଁ ହେଲେ ବୃକ୍ଷ ରୋପଣ କରିବା ନିହାତି ଜରୁରୀ । ଦୈନଦିନ ଜୀବନରେ ସମସ୍ତେ ସେମାନଙ୍କ କାର୍ଯ୍ୟରେ ବ୍ୟସ୍ତ, ତେଣୁ ଗଛଟିଏ ରୋପଣ କରିବା ପାଇଁ ମଧ୍ୟ କାହା ପାଖରେ ସମୟ ନାହିଁ । ପ୍ରକୃତିକୁ ସବୁଜିମାରେ ଭରି ଦେବା ପାଇଁ ସାରା ରାଜ୍ୟରେ ସମ୍ବାଦ ପକ୍ଷରୁ ଚାରା ରୋପଣ ଜାରି ରହିଛି । ଆଜି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ପାଳିତ ହେଉଥିବା ଯୁବ ସ୍ୱାଭିମାନ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋରଡ଼ା ଠାରେ ସୋରଡ଼ା ପ୍ରେସ୍ କ୍ଳବ୍ ସହାୟତାରେ ଚାରା ରୋପଣ କରାଯାଇଛି । ପ୍ରେସ କ୍ଳବ୍ ସମ୍ପାଦକ ରାଜେଶ୍ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଚକ୍ଷୁ ଚିକିତ୍ସକ ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଅନେକ ଗୁଡ଼ିଏ ଚାରା ରୋପଣ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଚାରା ରୋପଣ କରିବାକୁ କହି ପ୍ରକୃତିର ସନ୍ତୁଳନ ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ସୋରଡ଼ାର ପ୍ରସିଦ୍ଧ ଶୈବ ପୀଠ ପଞ୍ଚାନନ ମନ୍ଦିର ନିକଟରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ରାସ୍ତା ପାର୍ଶ୍ଵରେ ବଉଳ, ଆତ, ଡାଳିମ୍ବ, ପିଜୁଳି, ବାଦାମ ଭଳି ବିଭିନ୍ନ ପ୍ରକାରର ଫଳନ୍ତି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା, ସୋରଡ଼ା ବନପାଳ ପି.ସୁରୋଜ୍ କୁମାର, ବନପାଳ ଜଗବନ୍ଧୁ ପାତ୍ର ,ପ୍ରେସ କ୍ଳବ୍ ସଦସ୍ୟ ସତ୍ୟକାନ୍ତ ପାତ୍ର,ସୁମନ ରଣା, କୋରେଶ୍ ମହାପାତ୍ର, ଆଶୁତୋଷ ପଟ୍ଟନାୟକ ଓ ପ୍ରେସ କ୍ଳବ୍ ଉପଦେଷ୍ଟା ଏ. ସାରଥି ମଧ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ: ଆଶୁତୋଷ ପଟ୍ଟନାୟକ