ସୌରଷ୍ଟେ ସୋମନାଥଞ୍ଚ….ଦ୍ଵାରକେ ଦ୍ଵାରକାଧୀଶମ…

  “ସୋମ ଲିଙ୍ଗ ନରୋ ଦୃଷ୍ଟା ସର୍ଵ ପାପାତ୍ ପ୍ରମୁଧ୍ୟରେ-
ଲବଧା ଫୟନ୍ ମନୋଃ ଇଷ୍ଟ ମୃତ ସ୍ୱର୍ଗ ସମ୍ଭହିତ୍ତେ ।””
ଡିସେମ୍ବର ୨୦୨୨ର ୨ୟ ସପ୍ତାହ, ପହିଲି ପଉଷର ରାତି ୯.୩୦ମି.(ନିର୍ଦ୍ଧାରିତ ସମୟ ୧୦.୦୦)ରେ ଭୁବନେଶ୍ୱର ଅହମଦାବାଦ ଫ୍ଲାଟ୍ ଅବତରଣ କଲା ଅହମଦାବାଦ ଏରୋଡ୍ରମରେ । ବିମାନରୁ ବାହାରି ଜିନିଷପତ୍ର ଧରି ବାହାରକୁ ବାହାରିଲୁ ୧୦.୦୦ରେ । ବାହାରେ ପୂର୍ବରୁ ଯାଇଥିବା ପୁଅ ଟାକ୍ସି ଧରି ଅପେକ୍ଷା କରିଥିଲା । ପ୍ରାୟ ୧୦କି.ମି.ଦୂରକୁ ଯାଇ ‘ଜିଙ୍ଗ'(ରେଡ୍ ବସ ଭଳି ଏକ ପରିବହନ ବ୍ୟବସ୍ଥା)ବସ୍ ଧରିଲୁ(ପୂର୍ବରୁ ବୁକ୍ କରା -ଯାଇଥିଲା)ଦ୍ଵାରକା ଅଭିମୁଖେ । ବସଗୁଡିକରେ ୨ମହଲାଭଳି ତଳେ ଓ ଉପରେ ୨ଥାକରେ ଡାହାଣ ପଟେ ୨ ଓ ବାମ ପାର୍ଶ୍ୱରେ ଜଣେ ଏହିପରି୮ x ୩ x ୨=୪୮ଜଣ ଶୋଇ ପାରିବାର ବ୍ୟବସ୍ଥା ଅଛି, ବସିବା ସିଟ୍ ମୋଟେ ନାହିଁ, କାରଣ ଏହି ବସଗୁଡିକ ସବୁ ରାତ୍ରିକାଳୀନ, ଏ.ସି. ସ୍ଲିପରକୋଚ୍, ତେଣୁ ଏହିଭଳି ବ୍ୟବସ୍ଥା, ଆମକୁ ଟିକେ ଅଡ଼ୁଆ ଲାଗିଲେ ମଧ୍ୟ ଶୋଇଗଲୁ, ରାତି ୧୧.୩୦ ହୋଇ ଯାଇଥିଲା, ରାତି ୩ ଓ ୫.୩୦ରେ ଦୁଇଥର ବାଟରେ ପରିସ୍ରା ନିମନ୍ତେ ଗାଡ଼ି ରଖିଥିଲା, ୭.୦୦ଵେଳକୁ ଚା’ପାନ ଓ ଜଳଖିଆ ସକାଶେ ରାସ୍ତାକଡ ଏକ ହୋଟେଲ (ହୋଟେଲ ଲିଓ ଫୁଡ୍)ରେ ରଖିଥିଲା । ଦନ୍ତମଞ୍ଜନ ନ ହୋଇଥିବାରୁ ଚା ପିଇ ବସକୁ ଫେରି ଆସିଥିଲୁ, ଦ୍ଵାରକା ଆଉ ୮୦ କି.ମି.ଦୂର ଥିଲା, ୯.୩୦ରେ ବସ୍ ପହଞ୍ଚିଲା ଦ୍ଵାରକା ଭୂମିରେ । ଉଲ୍ଲେଖନୀୟ ଏହି ବସଗୁଡିକରେ ଟ୍ରେନଭଳି ପ୍ରତ୍ୟେକ ସିଟ୍ ନିମନ୍ତେ ପଢ଼ିବା ଲାଇଟ୍, ପାଣି ବୋତଲ, ମୋବାଇଲ ଚାର୍ଜିଙ୍ଗ୍, ଏସି କଣ୍ଟ୍ରୋଲ ସକାଶେ ସୁଇଚ୍, କମ୍ବଳ ଇତ୍ୟାଦି ଦିଆଯାଏ । ମୁଖ୍ୟ ରାସ୍ତା କଡ଼ରେ ଥିବା, ପୂର୍ବରୁ ବୁକ୍ ହୋଇଥିବା ହୋଟେଲ ‘କାବ୍ୟା’ରେ ନିତକର୍ମ ସମାପନାନ୍ତେ ଆମେ ପ୍ରଭୁ ଦ୍ଵାରୀକାଧୀଶଙ୍କ ଦର୍ଶନନିମନ୍ତେ ବାହାରିଲୁ । ବାଟରେ ପ୍ରାତଃରାସ ଶେଷ କରି ନେଇଥିଲୁ, ଯାହା ପରେ ବର୍ଣ୍ଣନା ହେବ । ଆରବସାଗର କୂଳରେ ଦ୍ଵାରୀକାଧୀଶଙ୍କ ମନ୍ଦିର ଅତୀବ ସୁନ୍ଦର, ମନୋମୁଗ୍ଧକର, ସେ ଅଞ୍ଚଳର ସବୁ ମନ୍ଦିର ଗୁଡିକର ଗଢଣଶୈଳୀ ପ୍ରାୟ ଏକାଭଳି, ସବୁ ମନ୍ଦିରର ଗଡାଣିଆ ଛାତ ଉପରେ କଳସଭଳି ଅନେକ  ତଳୁ ଉପର ପର୍ଯ୍ୟନ୍ତ ସଜ୍ଜିତ ହୋଇଥାଏ, ଆକର୍ଷଣୀୟ ଢଙ୍ଗରେ । ସେଠି ମଧ୍ୟ ସେମିତି ମୋବାଇଲ, ଘଣ୍ଟା କ୍ୟାମେରା ପ୍ରଭୃତି ମନ୍ଦିରର ଉଦ୍ଦିଷ୍ଟ କ୍ଲୋକରୁମରେ ଜମାକରି(ବିନାମୂଲ୍ୟରେ)ଭିତରେ ପ୍ରଵେଶ କରିବାକୁ ହୁଏ ଧାଡ଼ିରେ । ମନ୍ଦିର ପରିବେଶ ଓ ବେଢା ଅତି ପରିଷ୍କାର ପରିଚ୍ଛନ୍ନ ଓ ସୁନ୍ଦର, ମନ୍ଦିରର ୨ଟି ମୁଖ୍ୟଦ୍ଵାର, ଗୋଟିଏ ପୂର୍ବଦ୍ଵାର, ପ୍ରବେଶପଥ, ଅନ୍ୟଟି, ପଶ୍ଚିମ ଦ୍ଵାର, ଆରବ ସାଗର ପଟକୁ, ସେ ଦ୍ଵାରଟି ଦକ୍ଷିଣର ଗୋପୁରମ ଭଳି ତଳୁ ଉପର ପର୍ଯ୍ୟନ୍ତ ସଜ୍ଜିତ ଗୁଜରାଟୀ ଏବଂ ରାଜସ୍ଥାନୀ ଶୈଳୀରେ । ମୁଖ୍ୟ ମନ୍ଦିର ବେଢ଼ାରେ ଅନେକ ଛୋଟ ବଡ଼ ମନ୍ଦିର ରହିଛି, ଯଥା:ବଳରାମ, ହନୁମାନ, କାଶୀ ବିଶ୍ଵନାଥ, ଗାୟତ୍ରୀ, ରାଧାକୃଷ୍ଣ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ, ଋକୁଣ୍ମୀ, ସତ୍ୟଭାମା, ଲକ୍ଷ୍ମୀ, ପ୍ରଭୃତି । ଦ୍ଵାରୀକାଧୀଶଙ୍କ ବିଗ୍ରହ ଅତୀବ ଚିତ୍ତାକର୍ଷକ, ଠାକୁର ପ୍ରତ୍ୟହ ଅନେକଥର ଶୃଙ୍ଗାର ତଥା ବେଶ ‌ହୁଅନ୍ତି, ବିଭିନ୍ନପରିପାଟୀରେ, ସେଥିପାଇଁ ତ ଦ୍ଵାରକା ପ୍ରଭୁଙ୍କ ଶୃଙ୍ଗାର ପୀଠ । ଉଲ୍ଲେଖଯୋଗ୍ୟ ପ୍ରଭୁଶ୍ରୀମନ୍ ନାରାୟଣ ଚାରିଧାମରୁ, ରାମେଶ୍ବରରେ ସ୍ନାନ କରନ୍ତି, ଦ୍ଵାରକାରେ ଶୃଙ୍ଗାର କରନ୍ତି, ଅର୍ଥାତ୍ ବେଶ ହୁଅନ୍ତି, ଶ୍ରୀକ୍ଷେତ୍ର ପୁରୀରେ ଭୋଜନ କରନ୍ତି ଏବଂ ବଦ୍ରିଧାମରେ ବିଶ୍ରାମ ନିଅନ୍ତି ବା ଶୟନ କରନ୍ତି । ଏଠାରେ ପ୍ରଭୁ ଶ୍ରୀବିଷ୍ଣୁ ଚତୁର୍ଭୁଜଯୁକ୍ତ “ତ୍ରୀବିକ୍ରମ’ ରୂପରେ ଆବିର୍ଭୁତ, ପ୍ରଭୁଙ୍କ ବିଗ୍ରହ ଏତେ ମନଲୋଭା ଯେ ଆଖି ଫେରାଇବାକୁ ଇଛା ହୁଏନା, ହେଲେ କ’ଣ କରାଯାଇପାରେ, ଧାଡ଼ି ଦର୍ଶନରେ ମନଭରି ଦେଖିବାର ସୁଯୋଗ କାହିଁ ? ତଥାପି ସେଠାର ସିକ୍ୟୁରିଟିଗାର୍ଡ ଆମକୁ ଆଉଥରେ ଦର୍ଶନର ସୁଯୋଗ ଦେଲେ ଏବଂ ପରଦିନ ସକାଳେ ଦର୍ଶନ ସମୟରେ’ମେରା ଓଡ଼ିଆଭାଇ ବୋଲି ପରିଚିତ କରାଇଦେଲେ ଅନ୍ୟମାନଙ୍କ ସହିତ,ତାଙ୍କୁ ଅନ୍ତରରୁ ଧନ୍ୟବାଦ । ପାଞ୍ଚମହଲାର ସୁନ୍ଦର କାରୁକାର୍ଯ୍ୟଭରା ଏହି ମନ୍ଦିରରେ ପ୍ରତ୍ୟହ ୫ଥର ପତାକା ପରିବର୍ତ୍ତନ ହୁଏ, ୫୦ ଫୁଟ ଲମ୍ବର ତ୍ରିଭୁଜାକାର, ଚନ୍ଦ୍ର, ସୂର୍ଯ୍ୟଙ୍କ ଚିତ୍ରଥିଵା ଏହି ପତାକା ପରିବର୍ତ୍ତନ କାର୍ଯ୍ୟଟି ଅଧିକ ବ୍ୟୟସାପେକ୍ଷ ହେଲେ ମଧ୍ୟ ଭକ୍ତମାନେ ପ୍ରତ୍ୟହ ଦାନକରନ୍ତି, ଏଇ ଅର୍ଥ ମନ୍ଦିରର ବ୍ୟାଙ୍କ ଖାତାରେ ଜମାରହେ ଏବଂ ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟରେ ଲାଗେ । ପାଞ୍ଚ ମହଲାର ଭିତରେ ଭିତରେ ଥିବା ଶିଡିରେ ଯାଇ ପତାକା ପରିବର୍ତ୍ତନ କରା  ଯାଏ, ଭକ୍ତମାନେ ମଧ୍ୟ ଏହି ଶିଡିରେ ଯାଇ ସେ ଅପରୂପ ଦୃଶ୍ୟ ଅବଲୋକନ କରନ୍ତି।ପଡାକାରେ ଚନ୍ଦ୍ର,ସୂର୍ଯ୍ୟ ଚିତ୍ର ରହିବାର ଅର୍ଥ ଯେତେ କାଳ ପର୍ଯ୍ୟନ୍ତ ଚନ୍ଦ୍ର, ସୂର୍ଯ୍ୟ ଅଛନ୍ତି, ଦ୍ଵାରକାଧୀଶଙ୍କ ପୀଠ ଏହିପରି ବିରାଜମାନ ଥିବ । ୭୨ ଗୋଟି ସ୍ତମ୍ଭ ଉପରେ ସ୍ଥାପିତ ଏହି ମନ୍ଦିରର ଅଭ୍ୟନ୍ତର ଅତ୍ୟନ୍ତ ସୂକ୍ଷ୍ମ କାରୁକଳାରେ ଭରା, ଚୁନପଥରର ପ୍ରତ୍ୟେକଖମ୍ବରେ ସେମିତି ସୂକ୍ଷକାରୁ କାର୍ଯ୍ୟଖୋଦିତ । ଲକ୍ଷକଲି ମନ୍ଦିର ଅଭ୍ୟନ୍ତରସ୍ଥ କେତୋଟି ଖମ୍ବକୁ ଛାଡି ଅନ୍ୟଗୁଡିକୁ ଠିକ୍ ସେହିଭଳି ଚୂନପଥରର କାରୁକାର୍ଯ୍ୟଭରା ନୂତନ ଖମ୍ବରେ ପରିବର୍ତ୍ତନ କରାଯାଇଛି । ସମୁଦ୍ରପତ୍ତନ ଠାରୁ ୪୦ଫୁଟ ଉଚ୍ଚରେଥିବା ଏହି ମନ୍ଦିରକୁ  ଜଗତ ମନ୍ଦିର ବା ନିଜ ମନ୍ଦିର ମଧ୍ୟ କୁହାଯାଏ । ଏହି ମନ୍ଦିରଟି ପ୍ରଥମେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପଣନାତି ବଜ୍ରନଭାଙ୍କ ଦ୍ଵାରା ଖ୍ରୀଷ୍ଟ ପୂର୍ବ ୨୫୦ରେ ନିର୍ମିତ ହୋଇଥିଲା ପ୍ରଭୁଙ୍କ ନିଜ ନିବାସ ସ୍ଥଳରେ, ବର୍ତ୍ତମାନର ମନ୍ଦିର ୧୬ଶ ଶତାବ୍ଦୀରେ ପୁନଃନିର୍ମିତ ହୋଇଛି, ମାରୁ-ଗୁଜର/ ଚାଲୁକ୍ୟ ଶୈଳୀରେ, ମନ୍ଦିରର ସର୍ବୋଚ୍ଚ ଚୂଡାର ଉଚ୍ଚତା ୫୧.୮ ମିଟର । ମନ୍ଦିରର ମୁଖ୍ୟଦ୍ଵାର “ମୋକ୍ଷଦ୍ଵାର” ଓ ପଶ୍ଚିମ ପଟ ଦ୍ଵାରଟି “ସ୍ବର୍ଗଦ୍ଵାର” ଭାବେ ନାମିତ । ଜଣାଯାଏ ଏହି ମନ୍ଦିରରେ ପରମ କୃଷ୍ଣଭକ୍ତ ମୀରାବାଈ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଗ୍ରହରେ ମିଶି ଯାଇଥିଲେ, କେତେ ବଡ଼ ଭକ୍ତ ନୁହଁନ୍ତି ମୀରାବାଈ ! ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ନିଜସ୍ବ ପୀଠ କେବଳ ଚାରିଧାମ ମଧ୍ୟରୁ ଏକ ନୁହେଁ, ଆହୁରି ଅନେକରେ ଏକ ଏହି ପୀଠ । ଏହା “କୃଷ୍ଣ ସର୍କିଟ”ର ୩ଟି ମୁଖ୍ୟ ସ୍ଥାନ,୪୮କୋଶ ପରିକ୍ରମା “କୁରୁକ୍ଷେତ୍ର”, ହରିଆନା, ବ୍ରଜ ପରିକ୍ରମା, “ମଥୁରା” ଏବଂ “ଦ୍ଵାରକା” ପରିକ୍ରମାରୁ ଅନ୍ୟତମ।ଗରୁଡ଼ପୁରାଣ ଅନୁଯାୟୀ ମୋକ୍ଷଲାଭର ୭ଗୋଟି ତୀର୍ଥ(ସପ୍ତ ପୁରୀ)ମଧ୍ୟରୁ ଏହା ଅନ୍ୟତମ  ଯଥା:-“ଅଯୋଧ୍ୟା, ମଥୁରା, ମାୟା, କାଶୀ, କାଞ୍ଚି, ଅବନ୍ତିକା, ପୁରୀ ଦ୍ଵାରାବତୀ ଚୈବ ସପ୍ତତେ ମୋକ୍ଷଦାୟିକା ।” ଏଠାରେ ମାୟା ଅର୍ଥ ହରିଦ୍ଵାର, କାଞ୍ଚି ଅର୍ଥ କାଞ୍ଚିପୁରମ୍ ଓ ଅବନ୍ତିକା ଅର୍ଥ ଉଜ୍ଜୟିନୀ ଏବଂ ଦ୍ଵାରାବତୀ ଅର୍ଥ ଦ୍ଵାରକା, ପୁରୀ ଅର୍ଥ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ପୁରୀ ମାନେ ଏକ ସ୍ଥାନ ବା ସହର‌ । ପୁଣି ଗୋମତୀ ନଦୀ ତୀରରେ ପ୍ରତିଷ୍ଠିତ ସହର ଦ୍ଵାରକା ବୈଷ୍ଣବପନ୍ଥୀ ଅଲଭରମାନଙ୍କର ୧୦୮ ହିନ୍ଦୁ ତୀର୍ଥସ୍ଥଳମଧ୍ୟରୁ ଅନ୍ୟତମ । ଭାରତର ୮ଗୋଟି ପ୍ରାଚୀନ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ, ଯଥା:ଵୃନ୍ଦାଵନ, ମଥୂରା, ବରସାନା, ପୁରୀ, ଗୋକୁଳ, ଦ୍ଵାରକା, ଗୋବର୍ଦ୍ଧନ ଏବଂ କୁରୁକ୍ଷେତ୍ର । ପୁନଶ୍ଚ କେନ୍ଦ୍ର ସରକାରଙ୍କ ‘ହୃଦୟ’  ଯୋଜନାନୁସାରେ ଭାରତର୧୩ଟି ଐତିହ୍ୟ ସ୍ଥଳୀ ମଧ୍ୟରେ ଦ୍ଵାରକା ଅନ୍ୟତମ ଯଥା: ଆଜମୀର, ପୁରୀ, ଅମରାବତୀ, ଅମୃତସର, ବାଦାମୀ, ଦ୍ଵାରକା, କାଞ୍ଚିପୁରମ୍, ବାରଣାସୀ, ମଥୁରା, ଭେଲଙ୍କାନୀ, ଭେଲୋର, ଗୟା ଏବଂ ୱାରାଙ୍ଗଲ । ୨୦୨୧ ମାର୍ଚ୍ଚ ୨୨ତାରିଖରେ ବିଶ୍ବ ଦକ୍ଷତା ସଂସ୍ଥା (World Talent Orgnisation) ନିଉଜର୍ସି, ଆମେରିକା ଦ୍ଵାରା ଏହି ଦ୍ଵାରକାଧୀଶଙ୍କ ଜଗତ ମନ୍ଦିର World Amazing Place ଵା”ବିଶ୍ବ ବିସ୍ମୟ ସ୍ଥଳୀ”ରମାନ୍ୟତା ପାଇଛି । ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠିତ ୪ଟି ମଠ ମଧ୍ୟରୁ ପଶ୍ଚିମ ପ୍ରାନ୍ତର ଶାରଦା ମଠ ଦ୍ଵାରକାର ଅନ୍ୟତମ ବୈଶିଷ୍ଟ୍ୟ । ଜନ୍ମାଷ୍ଟମୀ ବା ଗୋକୁଳାଷ୍ଟମୀ ଏଠାର ସର୍ବାଧିକ ମୁଖ୍ୟ ପର୍ବ ଅନ୍ୟ ପର୍ଵଗୁଡିକ ସହିତ । ଏବେ ସମୟ ସେହି ପ୍ରାତଃରାସ ବର୍ଣ୍ଣନାରେ, ଦ୍ଵାରକା ତଥା ଗୁଜରାଟର ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ନୂଆ ବ୍ୟଞ୍ଜନ, ଜଳଖିଆ, ମୁଖ୍ୟ ଖାଦ୍ୟରେ ଦୃଷ୍ଟିଗୋଚର ହେଲା । କେତୋଟି ଉଲ୍ଲେଖ କରୁଛି, ଢୋକଲା-ଦହି ଓ ବେସନ ରେ ପ୍ରସ୍ତୁତ ଏକ ଖାଦ୍ୟ, ଜଳଖିଆ ଓ ମୁଖ୍ୟ ଖାଦ୍ୟରେ ବ୍ୟବହୃତ, ଆମର ମୁଗକାନ୍ନ୍ତି ପରି ଚାରିକୋଣିଆ କଟା ଯାଇଥାଏ, ଫାପଡା-ଆମରାଜ୍ୟରେ କୋଉଠି କୋଉଠି ବିହାରୀମାନଙ୍କ ପ୍ରସ୍ତୁତ ସ୍ନାକସ୍ ରୁପେ ମିଳୁ ଥିବା ଲମ୍ବା ଲମ୍ବା ଗାଁଠିଆର ଏକ ଅଲଗାରୂପ ବିଭିନ୍ନ ମସଲା ସହିତ, ଖାକରା-କିଛି ମସଲା ମିଶିଥିବା ରୁଟି ଏବଂ ପାମ୍ପଡର ଏକସମିଶ୍ରିତ ଅବତାର, ଅଟା ଓ ବେସନର ମିଶ୍ରଣରେ ପ୍ରସ୍ତୁତ, ତୁରନ୍ତ ଖାଇବା ନିମନ୍ତେ(readymade), ଖାଣ୍ଡଭି-ଵେସନ ଓ ଲହୁଣୀର ମିଶ୍ରଣରୁ ପ୍ରସ୍ତୁତ, ନଡ଼ିଆରସ, ରାଶି ସହିତ ଭୃସୁଙ୍ଗପତ୍ର, ଜୀରା, ଧନିଆ, ସୋରିଷର ଛୁଙ୍କ ଦିଆଯାଇ ଥିବା  ଏହି ଖାଦ୍ୟଟି ଏକ ଆକର୍ଷଣୀୟ ସ୍ନାକସ୍, ଗୁଜରାଟୀ ଖିଚଡି, ଗୁଜରାଟୀକଢି, ଜଲେଵି, କଚୋରୀ, ପକୋଡା, ସେଉ ତରକାରୀ ଏସବୁ ସାଧାରଣ, ଏମିତି ଅନେକ ପ୍ରକାର ଗୁଜୁରାଟୀ ପାଟି ସୁଆଦିଆ ଖାଦ୍ୟରେ ଭରପୁର ସାରା ଗୁଜୁରାଟ।ଏସବୁ ସର୍ଵତ୍ର ଉପଲବ୍ଧ ଓ ସୁଲଭ । ଦ୍ବିପ୍ରହର ଭୋଜନ ପରେ ଆମେ ଭେଟ-ଦ୍ଵାରକା ଅଭିମୁଖେ ବାହାରିଲୁ, ମାତ୍ର ସେତେବେଳକୁ ଆଉ ଗାଡ଼ି ନଥିଲା, ଦିନ ୨.୨୦ ହୋଇସାରିଥିଲା । ଆମେ ସକାଳେ ବୁଝିବା ବେଳେ ସମସ୍ତେ କହିଥିଲେ ୨.୦୦ପରେ ଯିବେ ଭେଟ-ଦ୍ଵାରକା, କାରଣ ଭେଟ-ଦ୍ଵାରକା ମନ୍ଦିର ପ୍ରାତଃ ୬.୦୦ରୁ ୧.୦୦ ଓ ୨.୦୦ରୁ ୮.୦୦ ପର୍ଯ୍ୟନ୍ତ ଖୋଲାରୁହେ, କିନ୍ତୁ ୨.୦୦ ପୂର୍ବରୁ ଯେ ବୁକିଙ୍ଗ୍ କରିବାକୁ ହେବ ଏକଥା ଆମେ ଜାଣିନଥିଲୁ । ଅଗତ୍ୟା ଟ୧୫୦୦/-ରେ ଏକ କାର ଭଡା କରି ଆମେ ଭେଟ-ଦ୍ଵାରକା ଚାଲିଲୁ କାରଣ ହାତରେ ସମୟ ନଥିଲା । ଏଇଠି କହିରଖେ ଦୈନିକ ହଜାର ହଜାର ଲୋକ ଦ୍ଵାରୀକାଧୀଶଙ୍କ ଦର୍ଶନାର୍ଥେ ଆସନ୍ତି, ସେଥିରୁ ନିହାତି ପକ୍ଷେ ୯୦% ଭେଟ-ଦ୍ଵାରକା ଯାଆନ୍ତି, ମାତ୍ର ସମୃଦ୍ଧ/ଧନୀ ରାଜ୍ୟ ଗୂଜୁରାଟରେ ଦ୍ଵାରକାରୁ ଭେଟ-ଦ୍ଵାରକା, ମାତ୍ର ୩୪କି.ମି.ପାଇଁ ପରିବହନର ସୁବିଧାନାହିଁ ସରକାରଙ୍କ ପକ୍ଷରୁ । ମାତ୍ର ୧ ଅଙ୍କ ବିଶିଷ୍ଟ ହାତଗଣତି ବସ କେତୋଟି ଚାଲୁଛି, ତା ପୁଣି ବଡ଼ ବସ ନୁହେଁ, ପ୍ରକାଶଥାଉ କି ଦ୍ଵାରକାରୁ ଭେଟ-ଦ୍ଵାରକା ନିମନ୍ତେ ବସରେ ମୁଣ୍ଡପିଛା ଯିବା ଆସିବା ଟିକଟ ମାତ୍ର ଟ୧୨୦/-ସିଏ ମଧ୍ୟ ନାଗେଶ୍ଵର, ଗୋପୀ ତଲାବ, ଋକୁଣୀ ମନ୍ଦିର ଇତ୍ୟାଦି ବୁଲାଇବ । ଆମକାର ପ୍ରଥମେ ଲାଗିଲା ଜ୍ୟୋତିର୍ଲିଙ୍ଗ ନାଗେଶ୍ବରଙ୍କର ମନ୍ଦିର ନିକଟରେ, ସମ୍ପୂର୍ଣ୍ଣ ଲାଲ ରଙ୍ଗରେ ରଙ୍ଗାୟିତ ମନ୍ଦିରଟି ପୁରୁଣା ନହେଲେ ମଧ୍ୟ ଗଠନ ଶୈଳୀ ଅତି ସୁନ୍ଦର । ରୂପା ଆଚ୍ଛାଦିତ ବିଶାଳ ଶିବଲିଙ୍ଗ ମନୋରମ, ଅହରହ ପୂଜା, ଅଭିଷେକ ଇତ୍ୟାଦି ଚାଲିଥାଏ । ସନ୍ନିକଟରେ ବାହାରେ, ଖୋଲାରେ ପ୍ରତିଷ୍ଠିତ ୮୦ଫୁ. ଉଚ୍ଚତାର ଦେବଦେବ ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି ଅତ୍ୟନ୍ତ ଆକର୍ଷଣୀୟ । ତା’ପରେ ଗୋପୀ ତଲାବ, ଋକୁଣି ମନ୍ଦିର ଦେଖିଲୁ, ଗୋପୀ ତଲାବ ନିକଟରେ ସବୁଆଡେ ‘ଗୋପୀ ତିଳକ’ ମିଳୁଥାଏ ପ୍ରଚୁର ପରିମାଣରେ, ସେଥିରୁ କିଛି କିଣି ଚାଲିଲୁ ଭେଟ-ଦ୍ଵାରକା । ଓଖା ବନ୍ଦରରେ ପହଞ୍ଚିଲା ବେଳକୁ ସମୟ ଅପରାହ୍ନ ୪.୩୦ମି, ଶନିବାର ଛୁଟି ଥିବାରୁ ପ୍ରବଳ ଭିଡ଼ ହୋଇଥିଲା, ପ୍ରାୟ ୫.୦୦କୁ ଡଙ୍ଗା ଛାଡିଲା ୫କି.ମି.ଦୂର ଭେଟ-ଦ୍ଵାରକା ଉଦ୍ଦେଶ୍ୟରେ । ଏଇଠି କହିରଖେ, କନ୍ୟାକୁମାରୀରେ ସମୁଦ୍ର ମଧ୍ୟରେ କୂଳଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ବିବେକାନନ୍ଦ ରକକୁ ଯିବା ସକାଶେ ଷ୍ଟିଲର ବଡ଼ ବଡ଼ ବୋଟ ୧୫୦ ଜଣ ସୁବିଧାରେ ବସିବାଲାଗି ସିଟ୍ ସହିତ,ସମସ୍ତଙ୍କ ନିମନ୍ତେ ଲାଇଫ୍ ଜ୍ୟାକେଟଥାଇ ଟ୫୦ ଜଣ ପିଛା ଦରରେ, ମାତ୍ର ଭେଟ-ଦ୍ଵାରକା ସମୁଦ୍ର ମଧ୍ୟରେ ୫କି.ମି. ହେଲେ ମଧ୍ୟ ସୁରକ୍ଷାର କୋୖଣସି ବ୍ୟବସ୍ଥା ନାହିଁ, ସାଧାରଣ କାଠ ଡଙ୍ଗାରେ, ସିଟର ସେମିତି କିଛି ସୁବନ୍ଦୋବସ୍ତ ବିନା ଯିଏ ଯେମିତି ବସିଲା, ନଚେତ୍ ଠିଆ ହେଲା, ଥରକେ ଗୋଟିଏ ଡଙ୍ଗାରେ ଅତିକମରେ ୩୦୦ ଜଣ ଯାଉଥିଲେ । ମୁଣ୍ଡପିଛା ଯିବା ଆସିବା ଟିକଟ ଟ୪୦/-, ଦିନକୁ ଗୋଟିଏ ଡଙ୍ଗାର ଆୟ ଟ୧୨,୦୦୦/-, ଏମିତି ଶହ ଶହ ଡଙ୍ଗା ଚାଲୁଛି ପ୍ରତ୍ୟହ, ସରକାର ନିଶ୍ଚିତ ଭଲ ଟିକସ ଆଦାୟ କରୁଥିବେ । କିନ୍ତୁ ଯାତ୍ରୀମାନଙ୍କୁ ଏମିତି ଅସୁରକ୍ଷିତଭାବେ ଛାଡି ଦେଇଛନ୍ତି କ’ଣ ପାଇଁ ! ଗୁଜୁରାଟ ଏକ ସମୃଦ୍ଧ/ଧନୀ ରାଜ୍ୟ, ଷ୍ଟିଲ ବୋଟ, ସିଟ୍ ତଥା ସୁରକ୍ଷା ବ୍ୟବସ୍ଥା ତାଙ୍କୁ କେତେ ମାତ୍ର ! କିଛି ଘଟିନି ବୋଲି ଯେ ହେବନି ୟାର କ’ଣ ଗ୍ୟାରେଣ୍ଟି ଅଛି ! ଅବଶ୍ୟ ଭେଟ ଦ୍ଵାରକାକୁ ମୂଳଭୂଖଣ୍ଡରୁ ସେ ପର୍ଯ୍ୟନ୍ତ ସମୁଦ୍ର ଉପରେ ରାସ୍ତା ତିଆରି କାମ ଚାଲିଛି, ସେସବୁ ତ ତରବରିଆ କାମ ନୁହେଁ, ସେ ପର୍ଯ୍ୟନ୍ତ ଅନ୍ତତଃ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା କଥା । ସରକାରରେ କେତେ ବୁଦ୍ଧିଜୀବି, ଜ୍ଞାନୀଗୁଣୀ ଲୋକ ଥିବେ,ପୁଣି ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୂଜୁରାଟର । ଭେଟ-ଦ୍ଵାରକାରେ ପହଞ୍ଚିବା ପରେ ଆମେ ତରଵର ହୋଇ ଦର୍ଶନ ଉଦ୍ଦେଶ୍ୟରେ ଚାଲିଲୁ, ମନ୍ଦିରଟି ବେଶପୁରୁଣା । ଭେଟଦ୍ଵାରକା ଦ୍ଵୀପଟି(୮କି.ମି.ଲମ୍ବ ଏବଂ ୨କି.ମି.ପ୍ରସ୍ଥ) ଏକ ଜନବସତି ପୂର୍ଣ୍ଣ ଅଞ୍ଚଳ, ଯୋଉଠି ୭,୦୦୦ ପରିବାର ବାସ କରନ୍ତି । ଏହି ଦ୍ଵୀପର ଅନ୍ୟ ଏକ ନାମ ଶଙ୍ଖୋଧାର, ଅର୍ଥାତ୍ ଏଠାରେ ପ୍ରଚୁର ଶଙ୍ଖ ମିଳେ, ଅନ୍ୟ ଏକ ମତାନୁଯାୟୀ ପ୍ରଭୁ ଶ୍ରୀକୃଷ୍ଣ ଶଙ୍ଖାସୁର ନାମକ ଏକ ଅସୁରକୁ ଏଠାରେ ବଧ କରିଥିବାରୁ ଏପରି ନାମକରଣ । ଏହି ଦ୍ୱୀପର ଉଲ୍ଲେଖ ସ୍କନ୍ଦ ପୁରାଣ ଓ ମହାଭାରତର ସଭାପର୍ଵରେ ‘ଅନ୍ତର୍ଦ୍ଵୀପ’ଭାବେ କରା ଯାଇଛି । ପୁରାଣାନୁଯାୟୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ପରିବାର ଏଠାରେ ରହୁଥିଲେ, ତତ୍କାଳୀନ ସମୟରେ ଯାଦବ(ପ୍ରଭୁଙ୍କ ବଂଶଧର)ମାନେ ଦ୍ଵାରକାରୁ ଭେଟ-ଦ୍ଵାରକାକୁ ଡଙ୍ଗାରେ ଯିବା ଆସିବା କରୁଥିଲେ । ଏହି ଦ୍ଵୀପର ଏପରି ନାମକରଣ, ଭେଟ(ଦାନ)ଦ୍ଵାରକା ଏଇଥିପାଇଁ ଯେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବନ୍ଧୁ ସୁଦାମା ଏହା ସ୍ନେହ/ଶ୍ରଦ୍ଧାର ଦାନ ସ୍ଵରୁପ ଦେଇଥିଲେ । ଦ୍ଵାରକାଧୀଶ ମନ୍ଦିର ଓ କେଶବରାଜି(ଶ୍ରୀକୃଷ୍ଣ) ମନ୍ଦିର ଏଠାକାର ମୁଖ୍ୟ ଆକର୍ଷଣ । ମନ୍ଦିର ବେଢାରେ ହନୁମାନ, ବିଷ୍ଣୁ, ଶିବ, ଲକ୍ଷ୍ମୀନାରାୟଣ, ଋକୁଣୀ, ଜାମ୍ବବତୀ, ସତ୍ୟଭାମା ଇତ୍ୟାଦିଙ୍କ ମନ୍ଦିର ରହିଛି । ଏତଦବ୍ୟତୀତ ଏଠାରେ ହନୁମାନ ଦାଣ୍ଡି, ବୈଷ୍ଣବ ମହାପ୍ରଭୁ ବୈଠକ, ଅଭୟମାତା ମନ୍ଦିର, ଗୁରୁଦ୍ୱାର, ଡନ୍ନି ବିଚ୍ ପ୍ରଭୃତି ରହିଛି, ମୁଖ୍ୟ ଦ୍ଵାରୀକାଧୀଶ ମନ୍ଦିରରେ ସେମିତି ପ୍ରଭୁ ବିଭିନ୍ନ ପ୍ରକାର ଶୃଙ୍ଗାର ହୁଅନ୍ତି । ଏହି ମନ୍ଦିରରେ ଚାଉଳ ଦେବାର ପରମ୍ପରା ରହିଛି, କାରଣ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସୁଦାମା ଚାଉଳ ଦେଇଥିଲେ, ଏହି ଚାଉଳ ଘରେ ରଖିଲେ ସବୁ ପ୍ରକାର ସୁଖ ସମୃଦ୍ଧିମିଳେ, ଯେମିତି ସୁଦାମାଙ୍କୁ ପ୍ରଭୁ ସବୁ ଅକାତରରେ ଦେଇଥିଲେ । ଏହି ମନ୍ଦିରର ପୁନଃରୁଦ୍ଧାର ନିମନ୍ତେ ଦାନ ସକାଶେ ସାଧାରଣଜନତାଙ୍କୁ ଅନୁରୋଧ କରାଯାଇଛି, ମତେ ଲାଗିଲା, ‘ରଜା ପୁଅକୁ ଖଜା ଅପୂର୍ବ’, ପ୍ରଧାନମନ୍ତ୍ରୀଙ୍କ ଆଗ୍ରହରେ ବିଜେପି ସରକାର ବାରଣାସୀ, ମଥୁରା, ଅଯୋଧ୍ୟା ସବୁ ମନ୍ଦିରର ନବୀକରଣ କାର୍ଯ୍ୟ କରୁଛନ୍ତି, ଏହା ତ ଗୂଜୁରାଟର ଗର୍ଵ ଓ ଗୌରଵର କଥା ! ଭେଟ-ଦ୍ଵାରକାରୁ ଫେରିବା ବେଳକୁ ସନ୍ଧ୍ୟା ୭.୦୦, ଦ୍ଵାରକାରେ ହୋଟେଲରେ ପହଞ୍ଚିବା ବେଳକୁ ରାତି ୮.୦୦ ନିତ୍ୟକର୍ମ ସମାପନାନ୍ତେ ବାହାରିଲୁ ରାତ୍ରୀଭୋଜନ ସକାଶେ, କିଛି ଜିନିଷ କିଣି ଗୁଜୁରାଟୀ ଥାଳିଖାଇ ହୋଟେଲକୁ ଫେରି ବିଶ୍ରାମ ନେଲୁ । ପରଦିନ ସକାଳୁଉଠି ପୁନଶ୍ଚ ଦ୍ଵାରୀକାଧୀଶଙ୍କ ଦର୍ଶନ କରି ବସରେ ପୋରବନ୍ଦରଅଭିମୁଖେ ଦିବା୧୦.୩୦ମି.ରେ ବାହାରି ଦିନ ୧.୩୦ମି ପହଞ୍ଚିଲୁ । କ୍ଲୋକରୁମରେ ଜିନିଷପତ୍ର ରଖି ଖାଇସାରି ୨.୩୦ମି.ରେ ପୋରବନ୍ଦର ବୁଲିବାକୁ ବାହାରିଲୁ ଟାକ୍ସିରେ।ଟାକ୍ସି ପ୍ରଥମେ ପହଞ୍ଚିଲା ଜାତିର ପିତା ବାପୁଙ୍କ ଜନ୍ମସ୍ଥାନ, “କିର୍ତ୍ତୀ ମନ୍ଦିର”ରେ, ଯୋଉଠି ବାପୁ ଓ କସ୍ତୁରବାଙ୍କ ସମ୍ବନ୍ଧରେ ଅନେକ ପେଣ୍ଟିଂ, ଫଟୋଚିତ୍ର, ବହି, ତାଙ୍କ ବ୍ୟବହୃତ ଜିନିଷପତ୍ର, ଆସବାବପତ୍ର ଇତ୍ୟାଦି ଅତିଯତ୍ନର ସହିତ ରଖାଯାଇଛି । ବିଶ୍ବର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଆସିଛନ୍ତି ଏଠାକୁ ମହାତ୍ମାଙ୍କର ଜିନିଷପତ୍ର ସହିତ ପରିଚିତ ହେବାକୁ,କିପରି ଇଂଲଣ୍ଡର ଥଣ୍ଡାରେ ରାଜା ତଥା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଥିଲେ ଏହି ପତଳା, ସାଧାରଣ ଲୋକଟି ଅତି ସାଧାରଣ ଆଣ୍ଠୁ ଲୁଚୁ ନଥିବା ଧୋତି ଓ ଗାମୁଛାରେ ସେହି ଅଭିଜ୍ଞତା ହାସଲ କରିବା ସକାଶେ।ଏହି ସୁନ୍ଦର ମନ୍ଦିର ଆକାରର ମ୍ୟୁଜିୟମର ପଛପଟେ ଗାନ୍ଧୀଜୀଙ୍କର ପୈତୃକ ଗୃହ ଅଛି, ଯୋଉଠି ରହୁଥିଲେ ବା ଓ ବାପୁ ତତ୍କାଳୀନ ସମୟରେ ନିର୍ମିତ, ୩ ମହଲାର ସେ ଘରଟିରେ କାଠର ଶିଡି ଅଛି ଉପରକୁ ଯିବାକୁ, ଚଢିହେବ, ମାତ୍ର ଓହ୍ଲାଇଵା ଅତି କଷ୍ଟକର, ଯାହାହେଉ ମୋଟା ଦଉଡିରେ ଗଣ୍ଠି ପକାଇ ଓହ୍ଲାଇବାର ସୁବିଧା କରାଯାଇଛି, ମୁଁ ପ୍ରଥମ ମହଲା ଚଢି ଚାଲିଆସିଲି । ତା’ପରେ ଗାଡ଼ି ଚାଲିଲା ସୁଦାମା ମନ୍ଦିରକୁ, ପ୍ରଭୁ ଶ୍ରୀକୃଷ୍ଣଙ୍କ ସଖା/ଭକ୍ତ ସୁଦାମା ଓ ତସ୍ୟପତ୍ନୀ ସୁଶୀଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମନ୍ଦିରଟି । ଏଠାରେ ପ୍ରଭୁ ଓ ସଖା କୋଳାକୋଳି ଅବସ୍ଥାର ମୂର୍ତ୍ତି,ସୁଡ଼ଙ୍ଗ ଭଳି ଏକ କୂଅ ଓ ଭୁଲଭୁଲେୟା ପରି ଏକ ନିର୍ମାଣ,ଯାହା ସୁଦାମାଙ୍କ ଲାଖ- ଚୌରାଶି ପରିକ୍ରମା, ସେଥିରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବୁଲିଲାବେଳକୁ ଭୁଲଭୁଲେୟା ଭଳି ଲାଗୁଥାଏ । ତା’ପରେ ଗାଡ଼ି ଚାଲିଲା କନ୍ୟାଶ୍ରମ, ଭାରତ ମନ୍ଦିର ଓ ତାରା ମନ୍ଦିରକୁ, ତାରା ମନ୍ଦିର ଅର୍ଥ ପ୍ଲାନେଟୋରିୟମ ସେଦିନ ବନ୍ଦଥିଲା, କନ୍ୟାଶ୍ରମ ଏକ ଟ୍ରଷ୍ଟ ପରିଚାଳିତ ମହିଳା ମହାବିଦ୍ୟାଳୟ ଓ ବାଳିକାବିଦ୍ୟାଳୟ।ଭାରତ ମନ୍ଦିର, ଏକ ଏପରି ପରିକଳ୍ପନା ଯୋଉଥିରୁ ଆମ ଦେଶର ସ୍ବାଧୀନତା ଆନ୍ଦୋଳନ, ଐତିହ୍ୟ, ପରମ୍ପରା, ସଂସ୍କୃତି, ଚଳଣି, ଗର୍ବ, ଗୌରବ, ମହାପୁରୁଷ, ବୀରସୈନିକ, ଦେଶପ୍ରେମୀ ସମସ୍ତଙ୍କ ସମ୍ବନ୍ଧରେ ଏକ ସ୍ଥୁଳ ଧାରଣା ମିଳିଯିବ ଏହି ମନ୍ଦିରରୁ । ଏହାର ଓ କନ୍ୟାଶ୍ରମର ଦେଖାଶୁଣା କରୁଥିବା ଟ୍ରଷ୍ଟି, ଶିଳ୍ପପତି ଜୟ ମେହେଟା ଓ ତାଙ୍କ ପତ୍ନୀ ଜୁହୀ ମେହେଟା(ଚାୱଲା-ଵିଗତ ଦିନର ଅଭିନେତ୍ରୀ) ସେତେବେଳେ ସେହି କନ୍ୟାଶ୍ରମରେ ଅବସ୍ଥାନ କରୁଥିଲେ । ହନୁମାନ ମନ୍ଦିର, ହରସିଦ୍ଧି ମନ୍ଦିର ବୁଲିବା ପରେ ଗାଡ଼ି ଆମକୁ ନେଇ ଚାଲିଲା ସନ୍ଦିପନୀ ଆଶ୍ରମ ବା ଶ୍ରୀହରି ମନ୍ଦିର, ଅତି ସୁନ୍ଦର ପରିବେଶରେ ବିରାଟ ଅଞ୍ଚଳରେ ଅବସ୍ଥିତ ଶ୍ରୀହରି ମନ୍ଦିର ଉପରବେଳା ଖୋଲେ ଅପରାହ୍ନ ୪.୩୦ରେ, ଆମେ ଅଳ୍ପସମୟ ବସିବା ପରେ ମନ୍ଦିର ଖୋଲିଲା, ଦେଖିଲା ଭଳି ମନ୍ଦିରଟିଏ, ସମ୍ପୂର୍ଣ୍ଣ ମାର୍ବଲରେ ନିର୍ମିତ ଏହି ମନ୍ଦିରଟିରେ ଶିବ-ପାର୍ଵତୀ, ସୀତା-ରାମ, ରାଧା-କୃଷ୍ଣ, ଗଣେଶ, ହନୁମାନ, ଦୁର୍ଗାମାତା ପ୍ରଭୃତିଙ୍କ ଅତି କମନୀୟ ବିଗ୍ରହ ଶୋଭାପାଉଛି । ମନ୍ଦିର ଅଭ୍ୟନ୍ତର ଏକ ବିରାଟ ହଲ୍ଓ ଚତୁଃପାର୍ଶ୍ଵରେ ପରିକ୍ରମା ନିମନ୍ତେ ଲନ୍ ଅଛି,ଚାରିପଟେ ସୁନ୍ଦର ବଗିଚା ଅନେକ ପ୍ରକାର ଫୁଲ ଗଛରେ ସୁଶୋଭିତ, ସ୍ଥାନେ ସ୍ଥାନେ ଜଳଫୁଆରା ବିଦ୍ୟମାନ।ମନ ଖୁସିରେ ଶିଘ୍ର ଫେରିଆସିଲୁ ସୋମନାଥ ଉଦ୍ଦେଶ୍ୟରେ ବସ ଧରିବା ପାଇଁ ଅନିତା ସତ୍ତ୍ୱେ । ତଥାପି ସୋମନାଥ ବସ୍ ପୋରବନ୍ଦର ଛାଡିଲା ସନ୍ଧ୍ୟା ୬.୨୦ରେ ଏବଂ ପହଞ୍ଚିଲା ରାତି ୯.୩୦ରେ । ପୁଅ ହୋଟେଲ ବୁଝିଦେଲା, ହୋଟେଲରେ ଜିନିଷପତ୍ର ରଖି ନିତ୍ୟ କର୍ମ ସାରି ଖାଇବା ପାଇଁ ବହୁତ ଖୋଜିବାକୁ ପଡିଲା କାରଣ ରାତି ୧୧.୦୦ ହୋଇଯାଇଥିଲା, ଯାହା ହେଉ ଖାଇସାରି ଶୋଇଲାଵେଳକୁ ରାତି ୧୨.୦୦ ।  (ପ୍ରଥମ ଭାଗ)

ଜୟନ୍ତ ପଟ୍ଟନାୟକ
୯୦୯୦୧୯୦୦୬୯