‘ସ୍କନ୍ଧଂ ନ ବାଧତେ ରାଜନ୍‌, ତବ ବାଧତି ବାଧତେ’-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ  ତାଛଲ୍ୟକର ବିବୃତ୍ତିକୁ ନେଇ ରାଜ୍ୟରେ ଦେଖାଦେଇଛି ଅପ୍ରୀତକର ପରିସ୍ଥିତି । “ଆମେରିକାରେ ହୋଇଥିବା ବାତ୍ୟାରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ‘ତିତ୍‌ଲି’ ତା’ହାଠୁ କମ୍‌ କ୍ଷତି ଘଟିଛି।”ଏଥିରେ କଣ ଅସୁବିଧା ହୋଇଛି ବୋଲି ବକ୍ତବ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ଗଜପତି ଜିଲ୍ଳା ରାୟଗଡ ବାତ୍ୟା ଯୋଗୁଁ ପାହାଡ଼ ପଥର ଖସି ବାର ଜଣଙ୍କ ମୃତ୍ୟୁ ବାରଘର ଘଟଣାକୁ ନେଇ ଗତକାଲି ଏପରି ତାତ୍ସଲ୍ୟକର ବିବୃତି ଦେଇଥିଲେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ଏଥିପାଇଁ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫେସ୍‌ବୁକ୍‌ ପୋଷ୍ଟରେ ସେ ଲେଖିଛନ୍ତି-“ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ରହିଛନ୍ତି। ଏହି ସମ୍ୱେଦନଶୀଳ ଘଟଣାରେ ବରିଷ୍ଠ ଅଫିସର ଓ ମନ୍ତ୍ରୀମାନଙ୍କ ବୟାନ କଟା ଘା’ରେ ଚୂନ ଦେବା ପରି ପରିସ୍ଥିତି ସୃଷ୍ଟି କରୁଛି। ଆପଣଙ୍କର ବରିଷ୍ଠ ମନ୍ତ୍ରୀମାନେ କୁହନ୍ତି, ଆମେରିକାର ବାତ୍ୟାରେ ୧୭୦ ଲୋକଙ୍କର ମୃତ୍ୟୁ ହେଲା ଓ ‘ତିତ୍‌ଲି’ ତା’ ତୁଳନାରେ କମ୍‌ କ୍ଷତି କରିଛି। ମନ୍ତ୍ରୀଙ୍କ ଏପରି ବୟାନ୍‌ ଓଡ଼ିଆ ଲୋକଙ୍କ ଅନ୍ତରକୁ ବାଧୁଛି। ସେହିପରି ଆପଣଙ୍କ ବରିଷ୍ଠ ଅଫିସରମାନେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ଲୋକଙ୍କର ବାତ୍ୟାରେ ମରି ନାହାନ୍ତି ଓ ଜିରୋ କାଜୁଆଲଟି ଲକ୍ଷ୍ୟ ପୂରଣ ହୋଇଛି ବୋଲି ଦାୟିତ୍ୱହୀନ ବୟାନ ଦେଇ ଓଡ଼ିଶା ଲୋକଙ୍କୁ ଆହୁରି ଲାଞ୍ଛିତ ଓ ଅପମାନିତ କରୁନାହାନ୍ତି କି?”ଶ୍ରୀ ପ୍ରଧାନ ଆହୁରି ମଧ୍ୟ ଲେଖିଛନ୍ତି-“ଜିରୋ କାଜୁଆଲ୍‌ଟିର ନାରା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ପ୍ରଚାର ମାଧ୍ୟମରେ ସୀମିତ ରଖିଛନ୍ତି। ଆତ୍ମପ୍ରଚାର ଏତେ ମାତ୍ରାରେ ବଢାଇଲେ ଯେ, ହକିର ବ୍ରାଣ୍ଡିଂ କରିବା ପାଇଁ ଓଡ଼ିଆ ଲୋକଙ୍କ ଦୁର୍ଦ୍ଦଶା ସମୟରେ କଳିଙ୍ଗ ଷ୍ଟାଡିୟମ୍‌ରେ ଫଟୋଶୁଟ୍‌ କଲେ। ଆତ୍ମପ୍ରଚାର ପାଇଁ କୌନ୍‌ ବନେଗା କରୋଡ଼ପତି ଶୋ’ରେ ଉତ୍ସବ ପାଳନ କଲେ। ଏପରି କରିବା ବେଳେ ଆପଣ(ନବୀନ)ଙ୍କ ବିବେକ ଟିକେ ବାଧା ଦେଲା ନାହିଁ।”ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ଲେଖାଯାଇଛି -“ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ଆମ ଓଡ଼ିଆମାନଙ୍କ ପାଇଁ ନୂଆ କଥା ନୁହେଁ। ପ୍ରକୃତିର କୋପକୁ ସାମ୍ନା କରି ପୁଣି ଆଗକୁ ବଢିବା ଆମ ଓଡ଼ିଆଙ୍କ ଡିଏନ୍‌ଏରେ ରହିଛି। ମାତ୍ର ଆଜି ସମୟ ବଦଳିଛି। ବାତ୍ୟା ଓ ବର୍ଷାର ଯଥେଷ୍ଟ ପୂର୍ବରୁ ସଠିକ ଭାବେ ଆକଳନ କରାଯାଇ ପାରୁଛି। ଆଧୁନିକ ଟେକ୍ନୋଲଜି ଓ ବିପର୍ଯ୍ୟୟ ପ୍ରଶମନର ନୂଆ ନୂଆ ଉପାୟ ବିପର୍ଯ୍ୟୟକୁ ସଠିକ୍ ଭାବେ ସାମ୍ନା କରିବା ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ଦେଇଛି। ମାତ୍ର ସବୁ ସୁଯୋଗ ଓ ସମ୍ଭାବନା ସତ୍ତ୍ୱେ ‘ତିତଲି’ ଓ ତା ସାଙ୍ଗରେ ଆସିଥିବା ବର୍ଷା ଓଡ଼ିଶାର ଅନେକ ଜିଲ୍ଲାରେ ତାଣ୍ଡବ ରଚିଲା। ବିପର୍ଯ୍ୟୟ ମୁକାବିଲା କରିବାରେ ସରକାର ବିଫଳ ହେଲେ।”

ଧର୍ମେନ୍ଦ୍ର ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଯାହା ସବୁ ଲେଖିଛନ୍ତି ନିମ୍ନରେ ପଢ଼ନ୍ତୁ-

‘ସ୍କନ୍ଧଂ ନ ବାଧତେ ରାଜନ୍‌, ତବ ବାଧତି ବାଧତେ’

ରାଜ୍ୟରେ ଖାମଖିଆଲ ବିପର୍ଯ୍ୟୟ ପରିଚାଳନା ଓ ଆପଣଙ୍କ ସରକାରର ସମ୍ବେଦନ ହୀନତା କାରଣରୁ ମନୁଷ୍ୟକୃତ ତ୍ରୁଟିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକମାନେ ଭୋଗୁଥିବା ଦୁର୍ଦ୍ଦଶାରେ ଓଡ଼ିଶାବାସୀ ମର୍ମାହତ ।ଓଡ଼ିଶାର ସାମୁଦ୍ରିକ ଝଡ ତିତଲି ଓ ଏହା ସହ ଆଣିଥିବା ପ୍ରବଳ ବର୍ଷା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ରାଜ୍ୟର ଅନେକ ଜିଲ୍ଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ଆମ ଓଡ଼ିଆ ମାନଙ୍କ ପାଇଁ ନୂଆ କଥା ନୁହେଁ। ପ୍ରକୃତିର କୋପକୁ ସାମ୍ନା କରି ପୁଣି ଆଗକୁ ବଢିବା ଆମ ଓଡ଼ିଆମାନଙ୍କ ଡିଏନଏରେ ଅଛି। ମାତ୍ର ଆଜି ସମୟ ବଦଳିଛି। ପୂର୍ବାନୁମାନରେ ବାତ୍ୟା ଓ ବର୍ଷାକୁ ଯଥେଷ୍ଟ ପୂର୍ବରୁ ସଠିକ ଭାବେ ଆକଳନ କରାଯାଇ ପାରୁଛି। ଆଧୁନିକ ଟେକ୍ନୋଲୋଜି ଓ ବିପର୍ଯୟ ପ୍ରଶମନର ନୂଆ ନୂଆ ଉପାୟ ବିପର୍ଯ୍ୟୟକୁ ସଠିକ୍ ଭାବେ ସାମ୍ନା କରିବା ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ଦେଇଛି।ମାତ୍ର ସବୁ ସୁଯୋଗ ଓ ସମ୍ଭାବନା ସତ୍ତ୍ୱେ ତିତଲି ଓ ଏହା ସାଙ୍ଗରେ ଆସିଥିବା ବର୍ଷା ଓଡିଶାର ଅନେକ ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା ବିଫଳ ହେବା ସହ ଲୋକମାନଙ୍କୁ ଦୁଃଖ ଓ ଦୁର୍ଦ୍ଦଶାକୁ ଠେଲି ଦେବା ପରିତାପର ବିଷୟ ।ଆପଣଙ୍କ ପ୍ରତି ୧୯ ବର୍ଷର ବଡ଼ ଜନସମର୍ଥନର ବଡ଼ ଦମ୍ଭ ଓ ଅହଙ୍କାର କାରଣରୁ ଆପଣଙ୍କ ସରକାର ଓ ପ୍ରଶାସନର ବେପରୁଆ ଓ ଅପରିଣାମଦର୍ଶୀ ବିପର୍ଯ୍ୟୟ ପରିଚାଳନା ଆଜି ଓଡ଼ିଆ ଲୋକମାନଙ୍କୁ ଦୁର୍ଦିନ ଭିତରକୁ ଠେଲି ଦେଇଛି ।ଜିରୋ କାଜୁଆଲିଟିର ନାରା ଦେଇ, ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜକୁ ପ୍ରଚାର ମାଧ୍ୟମରେ ସୀମିତ ରଖିଲେ। ଆତ୍ମ ପ୍ରଚାରର ମାତ୍ରା ଏତେ ମାତ୍ରାରେ ବଢାଇଲେ ଯେ ହକିର ବ୍ରାଣ୍ଡିଂ କରିବା ପାଇଁ ଓଡ଼ିଆ ଲୋକଙ୍କ ଦୁର୍ଦ୍ଦଶା ସମୟରେ କଳିଙ୍ଗ ଷ୍ଟାଡିୟମ୍‌ରେ ଫଟୋସୁଟ୍‌ କଲେ ।ଯେତେବେଳେ ବାତ୍ୟା ଓ ପରର୍ବତ୍ତୀ ଲଗାଣ ବର୍ଷା ଓଡ଼ିଆ ଲୋକମାନଙ୍କୁ ଚିନ୍ତାରେ ପକାଉଥିଲା ଆପଣ ନିଜର ଆତ୍ମପ୍ରଚାର ପାଇଁ ‘ସୋନୀ ମନୋରଂଜନ ଟେଲିଭିନ’ରେ କୌନ୍‌ ବନେଗା କରୋଡପତି ଶୋରେ ଉତ୍ସବ ପାଳନ କରିବାକୁ ଆପଣଙ୍କ ବିବେକ ଟିକେ ବାଧା ଦେଲା ନାହିଁ ।ବାତ୍ୟା ଓ ବର୍ଷାରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ଦୃଢ଼ ପ୍ରସ୍ତୁତି ବଦଳରେ କେବଳ ସଙ୍କେତିକଭାବେ ନିଜ ଗୁରୁ ଦାୟିତ୍ୱ ଶେଷ କରି ନିଜର ଆତ୍ମ ପ୍ରଚାରରେ ହିଁ କେବଳ ବ୍ୟସ୍ତ ରହିଲେ । ଆପଣଙ୍କ ନିଜର ଭାବମୂର୍ତ୍ତୀ ନିର୍ମାଣ ପାଇଁ ଆସନ୍ନ ଦୁର୍ବିପାକର ପର୍ଯ୍ୟାପ୍ତ ପ୍ରସ୍ତୁତିକୁ ଅଣଦେଖା କଲେ । ଆପଣଙ୍କ ନିଜ ମୁଣ୍ଡକୁ ଦାୟିତ୍ୱ ନ ନେବା କାରଣରୁ ଅନେକ ଜିଲ୍ଲାର ଲୋକମାନେ ଦୁଃଖ ଓ ଦୁର୍ଦ୍ଦଶା ଭିତରେ ରହିଲେ । ଏଥିରୁ ଆପଣ ନିଜକୁ ଦାୟିତ୍ଵ ମୁକ୍ତ କରି ପାରିବେ ନାହିଁ।ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁ ମୁଖରେ ପଡିବା ଓ ଅନେକ ନିଖୋଜ ହେବା ଗଣମାଧ୍ୟମ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣା ପଡ଼ୁଛି । ରାଜ୍ୟର ଆହୁରି ଅନେକ ସ୍ଥାନରେ ଅନେକ ଲୋକ ମୃତାହତ ହେବାର ଖବର ଅଛି । ମାତ୍ର ସବୁଠାରୁ ଦୁଃଖ ଓ କଷ୍ଟର ବିଷୟ ଆପଣଙ୍କର ବରିଷ୍ଠ ଅଫିସର ଓ ମନ୍ତ୍ରୀମାନଙ୍କର ବୟାନ କଟା ଘାରେ ଚୂନ ଦେବା ପରି ପରିସ୍ଥିତି ସୃଷ୍ଟି କରୁଛି ।ଯଦି ଆପଣଙ୍କର ବରିଷ୍ଠ ମନ୍ତ୍ରୀ କୁହନ୍ତି ଆମେରିକାର ବାତ୍ୟାରେ ୧୭୦ ଲୋକଙ୍କର ମୃତ୍ୟୁ ହେଲା ଓ ତିତଲି ତା ତୂଳନାରେ କମ କ୍ଷତି କରିଛି ଏହା ଓଡ଼ିଆ ଲୋକଙ୍କ ଅନ୍ତରକୁ ବାଧୁଛି।ଆପଣଙ୍କ ବରିଷ୍ଠ ଅଫିସରମାନେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ଲୋକ ବାତ୍ୟାରେ ମରି ନାହାନ୍ତି ଓ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି ବୋଲି ସମ୍ବେଦନହୀନ ବୟାନ ଦେଇ ଓଡ଼ିଆ ଲୋକଙ୍କୁ ଆହୁରି ଲାଞ୍ଛିତ ଓ ଅପମାନିତ କରୁ ନାହାଁନ୍ତି କି ?ଆକାଶମାର୍ଗରୁ ବିପନ୍ନ ଅଂଚଳ ବୁଲିବା ପରେ ଆପଣ ଗଜପତି ଜିଲ୍ଲାର ଏହି ଗଣମୃତ୍ୟୁକୁ ସ୍ୱୀକାର କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇ ଆପଣ ଆପଣଙ୍କର ଦାୟିତ୍ଵକୁ ଶେଷ କରି ଦେଉଛନ୍ତି। ସେମାନେ ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁବରଣ କରି ନାହାଁନ୍ତି । ଆପଣଙ୍କ ସରକାରର ସମ୍ବେଦନ ହୀନ ବିପର୍ଯ୍ୟୟ ପରିଚାଳନା ଯୋଗୁଁ ସେମାନେ ଗଣହତ୍ୟାର ଶୀକାର ହୋଇଛନ୍ତି । ଅମୂଲ୍ୟ ଜୀବନହାନି ସାମ୍ନାରେ ସମ୍ବେଦନହୀନ କ୍ଷତିପୂରଣର କ’ଣ ବା ମୂଲ୍ୟ ଅଛି ?ପାଣିପାଗ ବିଭାଗ ଯଥେଷ୍ଟ ପୂର୍ବରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା । ଏହା ସତ୍ଵେ ପ୍ରସ୍ତୁତି ଓ ପରିଚାଳନାର ବିଫଳତା ପ୍ରଭାବିତ ଅଂଚଳର ଲୋକମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି । ଲୋକଙ୍କ ଦୁର୍ଦ୍ଦଶା ସମୟରେ ଏହି ବିଫଳତାକୁ ବିନମ୍ରତାର ସ୍ଵୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ଆପଣଙ୍କ ଅହଙ୍କାରକୁ ସ୍ପଷ୍ଟ କରୁଛି।ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁନଥିବା ଗୋଟିଏ ଗୋଷ୍ଠୀ କ’ଣ ଆପଣଙ୍କୁ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ସମ୍ବେଦନହୀନ କରି ଦେଇଛି ? ପ୍ରକୃତିର କଷ୍ଟଠାରୁ ସମ୍ବେଦନହୀନ ବକ୍ତବ୍ୟ ଆମ ଓଡ଼ିଆମାନଙ୍କ ମନରେ ଆହୁରି ଅଧିକ କଷ୍ଟ ଓ ଯନ୍ତ୍ରଣା ଦେଉଛି ।ପ୍ରାକୃତିକ ବିପର୍ଯ୍ୟୟ କଷ୍ଟଠାରୁ ଆପଣ ଓ ଆପଣଙ୍କ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଆହୁରି କଷ୍ଟ ଦେଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି  । ‘ସ୍କନ୍ଧଂ ନ ବାଧତେ ରାଜନ୍‌, ତବ ବାଧତି ବାଧତେ’ ।