ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ରାୟଗଡା ଜିଲ୍ଲା ଗସ୍ତ…

ରାୟଗଡା (ସମୃଦ୍ଧ ଓଡିଶା) ନବରଙ୍ଗପୁର ଓ କୋରାପୁଟ ପରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ରାୟଗଡା ଜିଲ୍ଲାଗସ୍ତ । ବିଭିନ୍ନ ସ୍କୁଲକୁ ଯାଇ ସରପ୍ରାଇଜ୍ ଭିଜିଟ୍ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମନ୍ତ୍ରୀ । ପ୍ରଥମେ କୁଟୁଳୀ ଓ ପରେ ଉଦୟପୁର ପ୍ରାଥମିକ ବିଦ୍ୟାଳୟକୁ ଯାଇ କାର୍ଯ୍ୟରେ ଅବହେଳା ପାଇଁ ୫ଜଣ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ସ୍କୁଲରେ ୨୯ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦୁଇ ଜଣ ଶିକ୍ଷକ ରହିଛନ୍ତି । ତଥାପି ସ୍କୁଲରେ ଠିକ୍ ପାଠପଢା ନହେଉଥିବା ବେଳେ ପିଲା ମାନେ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇପାରିନଥିବାରୁ ମନ୍ତ୍ରୀ ଖପ୍ପା ହୋଇଥିଲେ । ଏହି ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଭାର ଉକ୍ତ ବିଦ୍ୟାଳୟରେ ୧୦ବର୍ଷ ହେବ ରହିଥିବା ବେଳେ ଅନ୍ୟତ୍ର ବଦଳି ସହ ସହକାରୀ ଶିକ୍ଷୟିତ୍ରୀ ସୁଗ୍ୟାନୀ ପ୍ରଧାନଙ୍କୁ ଶିକ୍ଷାଦାନରେ ଅବହେଳା ଯୋଗୁଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସେହିପରି ସିଆରସିସି କାମଦେବ ତୁର୍କୁ ଓ ରାୟଗଡା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ତୁଇକାଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ଏକମାସର ଦରମା ବନ୍ଦ ସହ କାରଣଦର୍ଶଅ ନୋଟିସ୍ ଜାରି କରିଛନ୍ତି । ଗ୍ରାମାଞ୍ଚଳର ସ୍କୁଲ ପରିଦର୍ଶନ କରିବା ପରେ ମନ୍ତ୍ରୀ ସମୀର ରଞ୍ଜନ ଦାସ ହଠାତ୍ ରାୟଗଡା ସହରରେ ଥିବା ଫରେଷ୍ଟ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଶିକ୍ଷାକ ଓ ପିଲାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ନିୟମିତ ଭାବେ ମଧ୍ୟାହ୍ନ ଭୋଜନ ଦିଆଯାଉଛି ନା ନାହିଁ ଓ ବିଦ୍ୟାଳୟରେ କିପରି ଶିକ୍ଷାଦାନ ଦିଆଯାଉଛି ତାହା ଉପରେ ଜାଣିବାକୁ ଚାହିଁଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ