ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସଡକ ସୁରକ୍ଷା ନେଇ ବହୁ ସଚେତନତା କରାଯାଉଛି । ଆଉ ଚାଳକଙ୍କୁ ସତର୍କ କରିବା ପାଇଁ ରାସ୍ତା ନିର୍ମାଣ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପିଡ୍ ଲିମିଟ୍ ସୂଚନା ଫଳକ ମଧ୍ୟ ଟଙ୍ଗାଯାଉଛି । ହେଲେ ଜନବସତି ମଧ୍ୟରେ ସ୍ପିଡ୍ ଲିମିଟ୍ ସୂଚନା ଫଳକ ଗୁଡିକୁ ପରିବର୍ତ୍ତନ କରିବା ପାଇଁ ଦାବୀ ହୋଇଛି । ବିଶ୍ୱ ବ୍ୟାଙ୍କ ରାସ୍ତା ପ୍ରକଳ୍ପର ଦିଗପହଣ୍ଡି ପୁଡାମାରୀ ରାସ୍ତାର ପଞ୍ଚ ଗୁରୁ ଆଶ୍ରମ ନିକଟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପିଡ୍ ଲିମିଟେସନ୍ ୬୫ କିଲୋମିଟର ଉଲ୍ଲେଖ କରାଯାଇ ଏକ ଫଳକ ଟଙ୍ଗାଯାଇଛି । ହେଲେ ଉକ୍ତ ଫଳକ ସ୍ଥାନରୁ ସେଠାରୁ ଜନବସତି ଆରମ୍ଭ ହୋଇଛି । ଫଳକ ନିକଟରେ ସାଉଥକୋଃ କାର୍ଯ୍ୟାଳୟ ରହିଛି, ନିକଟରେ ତିଳୋତ୍ତମା ନଗର, ଉପରବସାରେ ଲୋକେ ବସବାସ କରୁଛନ୍ତି । ସେହିପରି ପଞ୍ଚଗୁରୁ ଆଶ୍ରମ, ରାମ ମନ୍ଦିର, ପାତାଲେଶ୍ୱର ମନ୍ଦିର, ଅରକ୍ଷିତ ମଣ୍ଡପ, ଚାମୁଣ୍ଡାଦେବୀ ମନ୍ଦିର ଆଦି ରହିଥିବା ବେଳେ ସକାଳେ ଓ ସନ୍ଧ୍ୟାରେ ଲୋକମାନଙ୍କ ଭିଡ ଜମି ରହୁଛି । ସେହିପରି ଉକ୍ତ ଫଳକର ୨୦ ମିଟର ପୂର୍ବରୁ ଘୋଡାହାଡ ଡ୍ୟାମ୍ ଓ ଉଜ୍ଜଳେଶ୍ୱର ମନ୍ଦିର ଯିବା ପାଇଁ ଛକ ରହିଛି । ୬୫ କିଲୋମିଟର ଫଶକକୁ ଦେଖି ଗାଡି ଚାଳକ ମାନେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଜନବସତି ଓ ଭିଡକୁ ଦେଖି ଗାଡି ଚାଳକ ମାନେ ଭାରସାମ୍ୟ ହରାଇ ଦୂର୍ଘଟଣାର ଶୀକାର ହେଉଥିବା ନଜିର ରହିଛି । ଏଣୁ ଉକ୍ତ ଫଳକକୁ ପରିବର୍ତ୍ତନ କରି ଗତିର ସୀମାକୁ କମ୍ ଧାର୍ଯ୍ୟ କରି ଫଳକ ପରିବର୍ତ୍ତନ କରିବା ପାଇଁ ଗୌରୀ ଶଙ୍କର ଦାସ, ଲକ୍ଷ୍ମୀନାରାୟଣ ପାଢୀ, ମିଲନ କୁମାର ପାଣିଗ୍ରାହୀ, ମୁନା ବିଷୋୟୀ, ବଣ୍ଟି ପଣ୍ଡା ପ୍ରମୁଖ ଅଞ୍ଚଳବାସୀ ଦାବୀ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା