ସ୍ମାର୍ଟ ସ୍କୁଲ…

ସ୍ମାର୍ଟ ସ୍କୁଲ (ସତେଜ/ପ୍ରଖର/ବୁଦ୍ଧିମାନ ବିଦ୍ୟାଳୟ) ଓଡିଶା ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ହେଲେ ତାହାର ବାସ୍ତବ ପ୍ରଭାବ କେଉଁଥିରେ ରହିଛି ବିଚାର ଯୋଗ୍ୟ ! ବର୍ତ୍ତମାନ ଓଡିଶା ସରକାରଙ୍କ ସ୍ମାର୍ଟ ସ୍କୁଲ, ସତେଜ/ପ୍ରଖର ବା ବୁଦ୍ଧିମାନ ବିଦ୍ୟାଳୟ ଯୋଜନା ଏକ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଭାବେ ଗ୍ରହଣୀୟ । ଏହି ଯୋଜନାର ମୂଳ ଲକ୍ଷ କ’ଣ ତାହାର କୌଣସି ନିଦର୍ଶନ ଆମ ପାଖରେ ନଥିବା ବେଳେ ଏହି ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ଗୁଡିକ ବିଷୟରେ ପ୍ରାୟତଃ ଅନେକ ଲୋକ ଅବଗତ ହେଲେଣି । ପ୍ରଥମେ କେତୋଟି ବିଦ୍ୟାଳୟରେ ଏହି ଯୋଜନା ଆରମ୍ଭ ହୋଇ ଭବିଷ୍ୟତରେ ପ୍ରାୟତଃ ସବୁ ସରକାରୀ ବିଦ୍ୟାଳୟ ଗୁଡିକୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯିବା ଲକ୍ଷ ସରକାରଙ୍କ ରହିଥିବା ସମସ୍ତେ ବୁଝୁଛନ୍ତି । ହେଲେ ଏହି ଯୋଜନାର ବାସ୍ତବ ମୂଳ ଲକ୍ଷ କ’ଣ ସାଧାରଣ ଲୋକଙ୍କୁ ଅବଗତ ନଥିବା ବେଳେ ନିଶ୍ଚିତ ଭାବେ ବିଦ୍ୟାର୍ଥୀଙ୍କ ଉନ୍ନତ୍ତ ଶିକ୍ଷାଦାନ ପଦ୍ଧତି ଉପରେ ଆଧାରିତ ହୋଇଥିବା ଅନୁମାନ କରନ୍ତି ସାଧାରଣ ଲୋକେ । ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହିଭଳି ଅନେକ ଉନ୍ନତ୍ତି ମୂଳକ ପଦକ୍ଷେପ ହେତୁ ଧୀରେ ଧୀରେ ସରକାରୀ ବିଦ୍ୟାଳୟ ଗୁଡିକ ପ୍ରତି ଲୋକଙ୍କ ଆସ୍ଥା ବଢୁଥିବା ପ୍ରମାଣିତ କରୁଛି ବର୍ତ୍ତମାନର ପରିସ୍ଥିତି ଯଦ୍ୱାରା ଅନେକ ବିଦ୍ୟାର୍ଥୀ ଘରୋଇ ବିଦ୍ୟାଳୟରୁ ବାହାରି ସରକାରୀ ବିଦ୍ୟାଳୟ ମୁହାଁ ହେଉଥିବା ଲକ୍ଷ କରାଯାଉ ଅଛି । କେବଳ ସ୍ମାର୍ଟ ସ୍କୁଲ କାହିଁକି ବରଂ ଏହିଭଳି ଅନେକ ସ୍ୱାଗତ ଯୋଗ୍ୟ ସରକାରୀ ପଦକ୍ଷେପ ହେତୁ ବର୍ତ୍ତମାନ ଆମ ସରକାରୀ ବିଦ୍ୟାଳୟ ଗୁଡିକ (ସ୍ମାର୍ଟ)ସତେଜ ହୋଇ ଆସୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସ୍ମାର୍ଟର ଓଡ଼ିଆ ଅର୍ଥ ସତେଜ/ପ୍ରଖର ବା ବୁଦ୍ଧିମାନ । ତେଣୁ ଏହାକୁ ସତେଜ/ପ୍ରଖର ବା ବୁଦ୍ଧିମାନ ବିଦ୍ୟାଳୟ ବୋଲି ଓଡ଼ିଆରେ କୁହାଯାଇ ପାରିବ । ଏହି କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାର୍ଥୀଙ୍କ ଉନ୍ନତ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ତାହାର ବାସ୍ତବ ପ୍ରଭାବ କେତେ ରହିବ ବିଚାର ଯୋଗ୍ୟ । ଉପସ୍ଥିତ ସମୟର କାର୍ଯ୍ୟଧାରା ଗୁଡିକୁ ଲକ୍ଷ କଲେ କିଛି ଅନୁମାନ କରି ହେଉଛି କି ବିଭିନ୍ନ ଜଡ ପଦାର୍ଥ ଗୁଡିକୁ ସ୍ମାର୍ଟ କରାଯାଉଥିବା ବେଳେ ବିଭାଗୀୟ ଚଳନ୍ତି କାର୍ଯ୍ୟକର୍ତାଙ୍କ ଉପରେ କୌଣସି ପ୍ରାଧାନ୍ୟତା ରହିଛିକି ଏହି ଯୋଜନାରେ ? କାରଣ କେବଳ ସ୍ମାର୍ଟ ଜଡ ପଦାର୍ଥ ଗୁଡିଏ ବିଦ୍ୟାଳୟରେ ସଂଯୋଜିତ କରି ବାସ୍ତବରେ କ’ଣ ପିଲାଙ୍କୁ ସ୍ମାର୍ଟ ଶିକ୍ଷା ଦେବା ସମ୍ଭବ ? ପ୍ରଶ୍ନବାଚୀ ସୃଷ୍ଟି କରୁଛି ମନରେ ! ତେଣୁ ଏହି ସ୍ମାର୍ଟ ଜଡ ପଦାର୍ଥ ଗୁଡିକ ସହିତ ଏହି ବିଭାଗକୁ ପରିଚାଳିତ କରୁଥିବା ଶିକ୍ଷକ, କର୍ମଚାରୀଙ୍କୁ ମଧ୍ୟ ସ୍ମାର୍ଟ କରାଯିବା ଲକ୍ଷ ରଖାଗଲେ ହୁଏତ ଅତ୍ୟନ୍ତ ଆକର୍ଷଣୀୟ କାର୍ଯ୍ୟକ୍ଷମ ହୋଇପାରିବ ସମ୍ପୃକ୍ତ ଯୋଜନାଟି ବୋଲି ଆମର ଅନୁମାନ । ବାସ୍ତବିକ ଏହି ସ୍ମାର୍ଟ ସ୍କୁଲ ଯୋଜନାରେ ଆମ ରାଜ୍ୟ ସରକାର ସ୍ମାର୍ଟ ମଣିଷ ମାନଙ୍କ ଉତ୍ପତି କରିବା ଲକ୍ଷ ରଖିଲେ ହୁଏତ ଏହା ଅତ୍ୟନ୍ତ ଚିତ୍ତାକର୍ଷକ ହୋଇ ପାରିବ ବୋଲି ଆମର ବିଚାର । କେତେକ ସରକାରୀ କର୍ମଚାରୀଙ୍କ ସମତେ କିଛି ସାଧାରଣ ଲୋକଙ୍କ ମୁଖରୁ ଶୁଣିବାକୁ ମିଳୁଛି ଯେ ଆମ ରାଜ୍ୟ ଶିକ୍ଷା ବିଭାଗରେ ରହିଥିବା ପର୍ଯ୍ୟାପ୍ତ ତୃଟି ଏବଂ ବେନିୟମ ଗୁଡିକ ହୁଏତ ଅନ୍ୟ କୌଣସି ବିଭାଗରେ ଦେଖିବାକୁ ମିଳିବ ନାହିଁ ! ଅତଏବ ଏମିତି ବିଚାର ସାଧାରଣ ଲୋକଙ୍କ ମନରେ ଆସୁଥିବା ପଛରେ କିଛି ରହସ୍ୟ ରହିଥିବା ନିଶ୍ଚିତ ପ୍ରମାଣ କରୁଅଛି । ତେଣୁ ରାଜ୍ୟ ସରକାର ସେଗୁଡିକ ପ୍ରତି ସଚେତନ ହେଲେ ହୁଏତ ସ୍ମାର୍ଟ ସ୍କୁଲ ଯୋଜନା ଅଧିକ ଫଳପ୍ରଦ ହୋଇପାରିବ ବୋଲି ଅନୁମାନ କରି ହେଉଛି । ବିଭାଗୀୟ ଅଭାବନୀୟତା ଗୁଡିକ ପ୍ରତି ସଚେତନ ରହି ଅଭିଯୋଗ/ଆଇନ କାନୁନ ଗୁଡିକ ପ୍ରତି ତଥା ଶିକ୍ଷକ ଚୟନରେ ଯଥେଷ୍ଟ କଠୋର ନୀତି ଅବଲମ୍ବନ କରାଗଲେ ହୁଏତ କେତେକ ଅନୁକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ଯଥେଷ୍ଟ ଅଧିକ । ଅଧିକନ୍ତୁ ବହୁ ଦଶନ୍ଧି ଧରି ଗୋଟିଏ ସ୍ଥାନରେ ରହି କାୟା ବିସ୍ତାର ପୂର୍ବକ ପ୍ରାଦୁର୍ଭାବ ପକାଉଥିବା ଶିକ୍ଷକ କର୍ମଚାରୀଙ୍କୁ ବଦଳି କରାଯାଉ ନଥିବା ହେତୁ ଶିକ୍ଷାଦାନ ଯଥେଷ୍ଟ ପ୍ରଭାବିତ ହେଉଥିବା ଅନୁମାନ କରି ପାରୁନାହାନ୍ତି ସରକାର ଯାହା ବ୍ୟାପକ କୁପ୍ରଭାବ ପକାଉଛି ବିଦ୍ୟାଳୟ ଗୁଡିକରେ ! ତେଣୁ ରାଜ୍ୟ ସରକାର ପ୍ରଥେମେ ଏହି କୁପ୍ରଭାବ ଗୁଡିକ ଉପରେ ନଜର ପକାଇ ଅନେକ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଲାଖିରହି ପ୍ରକୋପ ସାବ୍ୟସ୍ତ କରୁଥିବା ଶିକ୍ଷକ, କର୍ମଚାରୀ ମାନଙ୍କ ପ୍ରତି ସଚେତନ ହେଲେ ଶିକ୍ଷା ବିଭାଗର ଯଥେଷ୍ଟ ଉନ୍ନତି ହେବା ସହିତ ଶିକ୍ଷାଦାନ ଆକର୍ଷଣୀୟ ହୋଇ ପାରିଥାନ୍ତି । ହଜାର ହଜାର ଶିକ୍ଷକ ବର୍ଷ ବର୍ଷ ଧରି ନିର୍ଦ୍ଧିଷ୍ଠ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ରହି ଆସୁଥିବା ହେତୁ ସେମାନଙ୍କର କୌଣସି କାର୍ଯ୍ୟ ପ୍ରତି ଆଗ୍ରହ ରହୁନଥିବା ତଥା କାହାକୁ ଭୟ କରୁନଥିବା ଦେଖିବାକୁ ମିଳୁଛି ! ଅଧିକନ୍ତୁ ସେମାନେ ବିଭିନ୍ନ ଉପାୟରେ ରାଜନୈତିକ ଚାପ ହେଉକି ଉପରିସ୍ଥ ଅଧିକାରୀଙ୍କୁ ହାତଗୁଂଜା ଦେଇ ନିଜର ଦକ୍ଷତା ପ୍ରତିପାଦନ ପୂର୍ବକ ବିଦ୍ୟାଳୟର କାର୍ଯ୍ୟ ସମ୍ପାଦନରେ ବେନୀୟମତା ପ୍ରଦର୍ଶନ କରୁଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ଅବମାନନା କରୁଥିବା ଦେଖିବାକୁ ମିଳୁଛି ଅନେକ କ୍ଷେତ୍ରରେ ! ଅନୁରୂପ ଶିକ୍ଷା ବିଭାଗର ଅନେକ କର୍ମଚାରୀ କେବଳ ଗୋଟିଏ କାର୍ଯ୍ୟାଳୟରେ ରହି ବର୍ଷ ବର୍ଷ ଧରି ନିଜର ପ୍ରାଧାନ୍ୟତା ବିସ୍ତାର କରୁଥିବା ଦେଖିବାକୁ ମିଳୁଛି ଶିକ୍ଷା ବିଭାଗରେ ଯାହା ଅନ୍ୟ କୌଣସି ବିଭାଗରେ ନଥିବ । ତେଣୁ ଶିକ୍ଷା ବିଭାଗ ଅତ୍ୟନ୍ତ ନିମ୍ନଗାମୀ ହେଉଥିବା ସ୍ୱାଭାବିକ । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ସ୍ମାର୍ଟ ସ୍କୁଲ ଯୋଜନା ସହିତ ବିଭାଗୀୟ ଅଭାବନୀୟତା ଗୁଡିକ ପ୍ରତି ଅଧିକ ଧ୍ୟାନ ଦେଲେ ସରକାରଙ୍କ ରହିଥିବା ଉଦେଶ୍ୟ ସମ୍ପୂର୍ଣ୍ଣ ସାର୍ଥକ ହୋଇପାରିବ ବୋଲି ଆମ ବିଚାର । ପ୍ରାୟତଃ ବିଦ୍ୟାଳୟ ଗୁଡିକରେ କୌଣସି କାର୍ଯ୍ୟ ନିର୍ଦ୍ଧିଷ୍ଟ ନିୟାମକ ମଧ୍ୟରେ ପରିଚାଳିତ ନହୋଇ ଯାହାକୁ ଯାହା ଭଲ ଲାଗିଲା ସେଗୁଡିକ ହିଁ ନିୟମ ବୋଲି ବିଚାରି ବ୍ୟବହାର କରୁଥିବା ଜାଣିହେବ ଉପଯୁକ୍ତ ତଦନ୍ତ କରାଗଲେ । ପ୍ରାୟତଃ ବିଦ୍ୟାଳୟ ଗୁଡିକରେ ଆର୍ଥିକ ଅଭିଲେଖ ଗୁଡିକର କୌଣସି ନିର୍ଦ୍ଧିଷ୍ଟତା ତଥା ନିୟାମକ ଅନ୍ତର୍ଭୁକ୍ତ ରହିନଥିବା ଜାଣିହେବ ଉପଯୁକ୍ତ ତଦନ୍ତ କରାଗଲେ । ଅଧିକନ୍ତୁ ବର୍ଷ ବର୍ଷ ଧରି ନିଜ ଆଇନ କାନୁନ ଚଳାଇ ବିଭିନ୍ନ ଆର୍ଥିକ ବ୍ୟବହାର କରୁଥିବା ଶିକ୍ଷକଙ୍କ ଉପରେ କୌଣସି କଡ଼ା ନଜର ତଥା ଅନୁସନ୍ଧାନ, କାର୍ଯ୍ୟାନୁଷ୍ଠାନ କରାଯାଉନଥିବା କାରଣରୁ ବ୍ୟାପକ ବେନିୟମ କାର୍ଯ୍ୟ ଗୁଡିଏ ଦେଖିବାକୁ ମିଳିବ ଅନେକ ସ୍ଥାନରେ । ସେଗୁଡିକୁ ସୁଧାରିବା ଲକ୍ଷ ରଖାଗଲେ ବିଭାଗୀୟ ଅଭାବନୀୟତା ଗୁଡିକ ଦୂର ହୋଇପାରିବ । ଏମିତି ଶିକ୍ଷକ, କର୍ମଚାରୀ ଦେଖିବାକୁ ମିଳିବେ ଶିକ୍ଷା ବିଭାଗରେ ଯାହାଙ୍କ ମାସିକ ବେତନ ୫୦୦୦୦-୧୦୦୦୦୦ ରୁ ଅଧିକ ହୋଇଥବା ବେଳେ ସେମାନଙ୍କୁ ଚିଠି ଖଣ୍ଡେ ଲେଖି ଆସେନି କି ପଢି ବୁଝି ବୋଧଗମ୍ୟ କରି ପାରିବେ ନାହିଁ ! ଏହିଭଳି ଶିକ୍ଷକ, କର୍ମଚାରୀ ଶିକ୍ଷା ବିଭାଗରେ ୯୦ ପ୍ରତିଶତରୁ ଅଧିକ ରହିଥବା ଅନୁମାନ କରି ହୁଏ । ଏହିଭଳି କ୍ଷେତ୍ରରେ କେବଳ ଜଡ଼ ପଦାର୍ଥ ଗୁଡିକର ସ୍ମାର୍ଟ ସ୍କୁଲ କରାଗଲେ ସେଗୁଡିକୁ ବ୍ୟବହାର କରି ଶିକ୍ଷା ଦେବାକୁ ଥିବା ଅସମର୍ଥ ଶିକ୍ଷକ, କର୍ମଚାରୀ ଗଣ ଏହି ଯୋଜନାକୁ କେତେଦୂର ସାର୍ଥକ କରିପାରିବେ ବିଚାର କରନ୍ତୁ ସରକାର । ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଶିକ୍ଷକ ମାନଙ୍କ ମଧ୍ୟରେ ଏମିତି ମଧୁଚନ୍ଦ୍ରିକା ଦେଖିବାକୁ ମିଳିବ ଏହି ବିଭାଗରେ ଯଦ୍ୱାରା କୌଣସି ଅଭାବନୀୟତା ଉପରେ ପ୍ରାଧାନ୍ୟତା ରହୁନାହିଁ କାହାର ! ଶିକ୍ଷା ବିଭାଗରେ କୌଣସି ଅଭିଯୋଗ, ବେନିୟମ କାର୍ଯ୍ୟ ଉପରେ ଆଧାରିତ ବଦଳି, କାର୍ଯ୍ୟାନୁଷ୍ଠାନ ତଥା ସରକାରୀ ନିୟାମକ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରାଯିବା ଆଦୌ ହୁଏନି କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ଶିକ୍ଷକ, କର୍ମଚାରୀଙ୍କ ସୁବିଧା ସୁଯୋଗ ଉପରେ ଆଧାରିତ ବଦଳି କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇଥାଏ ଶିକ୍ଷା ବିଭାଗରେ ଯାହା ସାଧାରଣରେ ସରକାରଙ୍କ ଦୃଷ୍ଟି ଗୋଚର କିମ୍ବା ସାର୍ବଜନୀନ ହୋଇନଥାଏ । ତେଣୁ ଆମ ରାଜ୍ୟ ସରକାରୀ ଶିକ୍ଷା ବିଭାଗ ମଧ୍ୟ ଏକ ରକମ ଘରୋଇ ବ୍ୟବସାୟୀକ ଭିତ୍ତିରେ ପରିଚାଳିତ ହେଉଥିବା ଜାଣିହେବ ଲକ୍ଷ କଲେ । ଉଚ୍ଚସ୍ଥ ଅଧିକାରୀଙ୍କୁ କୌଣସି ଅଭାବନୀୟତା ଗୁଡିକ ଗୋଚର ନହୋଇ ଅନେକ କାର୍ଯ୍ୟ ତଳ ସ୍ତରରେ ସମ୍ପାଦିତ ହୋଇ ଥାଏ । ଅଧିକନ୍ତୁ ଦେଣ-ନେଣ କରାଯିବାରେ କୌଣସି ତୃଟି ଉପୁଜିଲେ କେତେକ ଶିକ୍ଷକ, କର୍ମଚାରୀଙ୍କୁ ମାନନୀୟ ନ୍ୟାୟାଳୟର ଆଶ୍ରିତ ହେବାକୁ ପଡିଥାଏ ଯାହା ଅନ୍ୟାନ୍ୟ ବିଭାଗ ଠାରୁ ଯଥେଷ୍ଟ ଅଧିକ ଶତକଡା ଦେଖିବାକୁ ମିଳିବ ଶିକ୍ଷା ବିଭାଗରେ ଅନ୍ୟ ବିଭାଗ ତୁଳନାରେ । ଏମିତିକି କହିବାକୁ ଗଲେ ଜାଲ୍ ପ୍ରମାଣ ପତ୍ର ଦେଇ ଯଥେଷ୍ଟ ହାତଗୁଂଜା ଦେଲେ ଶିକ୍ଷକ ପଦବୀଟିଏ ମିଳିବା ବିଶ୍ୱାସ ସମସ୍ତଙ୍କର ରହିଥାଏ ଏବଂ ସେହିଭଳି ଶିକ୍ଷକଙ୍କ ମାତ୍ରା ଯଥେଷ୍ଟ ଅଧିକ ମିଳିବ ଅନୁଧ୍ୟାନ କଲେ ଯାହାର ଜ୍ୱଳନ୍ତ ନିଦର୍ଶନ ମିଳିବ ନିକଟ ଅତୀତର ଗଣଆନ୍ଦୋଳନ ଗୁଡିକ ଉପରେ ତର୍ଜମା କରାଗଲେ ଯାହା ଏହି ଜାଲ୍ ପ୍ରମାଣ ପତ୍ରଧାରୀ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରୁଥିଲା । କିନ୍ତୁ ସେମାନଙ୍କ ଭଳି କେତେକ ଭ୍ରଷ୍ଟାଚାରୀ ବିଭାଗୀୟ ଅଧିକାରୀ ସେହି ଜାଲ୍ ପ୍ରମାଣପତ୍ର ଧାରୀ ଶିକ୍ଷକଙ୍କୁ ଘଣ୍ଟ ଘୋଡାଇ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା କଥା କାହାକୁ ଅଗୋଚର ?!! ଶିକ୍ଷା ବିଭାଗରେ ଶିକ୍ଷାଦାନ ତଥା କାର୍ଯ୍ୟ ଦକ୍ଷତା ଉପରେ କୌଣସି ତତ୍ପରତା ନରଖି ଶିକ୍ଷକ, କର୍ମଚାରୀଙ୍କୁ କେବଳ ଚାକିରୀ ଅବଧି ଉପରେ ଆଧାର କରି ପଦୋନ୍ନତି ଦିଆଯିବା ଏକ କ୍ରୁର ପରିବେଶ ସୃଷ୍ଟି କରୁଛି ବିଦ୍ୟାଳୟ ଗୁଡିକରେ । କୌଣସି ଅଭିଜ୍ଞତା ତଥା ବିଶେଷ ଜ୍ଞାନ ନଥିବା ଅଧିକାରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଦେଖିବାକୁ ମିଳିବେ ଅନୁସନ୍ଧାନ କଲେ । ଏମିତି ଅଧିକାରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଦେଖିବାକୁ ମିଳିବେ ଯାହାଙ୍କୁ ଶିକ୍ଷାଦାନ କ’ଣ କୌଣସି ବିଷୟରେ କିଛି ଅଭିଜ୍ଞତା ରହିନଥିବା ବେଳେ ସେମାନଙ୍କ ପଦୋନ୍ନତି ବିଭାଗ ପ୍ରତି ଏକ କଠୋରତା କହିଲେ ଅତ୍ୟୁକ୍ତି ହେବନାହିଁ । ସେମାନଙ୍କୁ ସ୍ମାର୍ଟ ତ କ’ଣ ସାଧାରଣ ମୂର୍ଖଙ୍କ ସହିତ ମଧ୍ୟ ତୁଳନା କରାଯାଇ ନପାରେ, ଏମିତି ଅଧିକାରୀ, ଶିକ୍ଷକ, କର୍ମଚାରୀ ମଧ୍ୟ ଯଥେଷ୍ଟ ମାତ୍ରାରେ ପରିଲକ୍ଷିତ ହୁଅନ୍ତି ଆମ ରାଜ୍ୟ ଶିକ୍ଷା ବିଭାଗରେ । ପ୍ରଥମେ ସରକାର ଏହି ବିଭାଗୀୟ ଶିକ୍ଷକ କର୍ମଚାରୀଙ୍କ ପ୍ରତି ଯଥେଷ୍ଟ ପଦକ୍ଷେପ ନେବା ତଥା ସେମାନଙ୍କୁ ସ୍ମାର୍ଟ କରିବା ଉଦେଶ୍ୟ ରଖିବା ଏକାନ୍ତ କାମ୍ୟ । ନତୁବା ରାଜ୍ୟ ସରକାରଙ୍କ ରହିଥିବା ବିଶେଷ ଲକ୍ଷ ଧାର୍ଯ୍ୟ କରିବାରେ ବ୍ୟାପକ କଠୋରତା ଅନୁଭବ ହେବା ଅନୁମାନ ହୁଏ ଆମର । ତେଣୁ ଏହି ବିଭାଗୀୟ, ଅଧିକାରୀ, କର୍ମଚାରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରତି ବ୍ୟାପକ ନିୟାମକ ଜାରି କରାଗଲେ ସରକାରଙ୍କ ରହିଥିବା ସ୍ୱପ୍ନ ସାକାର ହୋଇପାରିବ ଯାହାପ୍ରତି ପ୍ରାଥମିକତା ଦିଆଯିବା ଅନିବାର୍ଯ୍ୟ । ଅଧିକନ୍ତୁ ଜନ ସାଧାରଣ ସେମାନଙ୍କ ସ୍ଥାନୀୟ ସରକାରୀ ବିଦ୍ୟାଳୟ ଗୁଡିକର ଅଭାବନୀୟତା ଗୁଡିକ ସରକାରଙ୍କ ଦୃଷ୍ଟି ଗୋଚର କରିବା ତଥା ବିଭାଗୀୟ ଉଚ୍ଚାଧିକାରୀଙ୍କ ସେଗୁଡିକ ପ୍ରତି ତତ୍ପରତା ପ୍ରଦର୍ଶନ କରାଯିବା ନିର୍ଦ୍ଦେଶ ରହିଲେ ସରକାରୀ ବିଦ୍ୟାଳୟ ଗୁଡିକ ଆହୁରି ଅଧିକ ସ୍ମାର୍ଟ ହୋଇ ପାରିଥା’ନ୍ତା ଯାହା ରାଜ୍ୟ ସରକାର ବିଚାରକୁ ନିଅନ୍ତୁ ଏବଂ ଜନସାଧାରଣ ମଧ୍ୟ ସେଥିପ୍ରତି ଅଧିକ ସଚେତନ ହୁଅନ୍ତୁ । ଘରୋଇ ବିଦ୍ୟାଳୟ ଗୁଡିକ ସରକାରୀ ବିଦ୍ୟାଳୟ ତୁଳନାତ୍ମକ କୌଣସି କ୍ଷେତ୍ରରେ ଅଧିକ ନଥାଇ ଏକ ପ୍ରହେଳିକା ମାଧ୍ୟମରେ ନିଜର ବ୍ୟବସାୟ ଚଳାଇ ଆସୁଥିବା ବେଳେ ଜନସାଧାରଣ ସରକାରୀ ବିଦ୍ୟାଳୟ ଗୁଡିକ ପ୍ରତି ସଚେତନ ରହି ସରକାରଙ୍କୁ ବିଭିନ୍ନ ସୂତ୍ର ପ୍ରଦାନ ପୂର୍ବକ ଆମ ରାଜ୍ୟ ଶିକ୍ଷା କ୍ଷେତ୍ର ପ୍ରତି ଆନ୍ତରିକତା ଭାବ ପ୍ରଦର୍ଶନ କଲେ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଉଜ୍ୱଳ ହୋଇ ପାରିବ । ଘରୋଇ ବିଦ୍ୟାଳୟ ଗୁଡିକର ବ୍ୟବସାୟ ଠାରୁ ଶିକ୍ଷାର୍ଥୀଙ୍କୁ ଦୁରେଇ ରଖି ସାର୍ବଜନୀନ ଶିକ୍ଷା କ୍ଷେତ୍ରକୁ ପ୍ରସସ୍ଥ କରାଗଲେ ରାଷ୍ଟ୍ରର ବାସ୍ତବ ଉନ୍ନତ୍ତି ହୋଇ ପାରିବ । ତେଣୁ ଜନସଚେତନତା ସୃଷ୍ଟି କରି ସ୍ଥାନୀୟ ସରକାରୀ ବିଦ୍ୟାଳୟ ଗୁଡିକର ଅଭାବନୀୟତା ଗୁଡିକୁ ଜନସାଧାରଣଙ୍କ ଠାରୁ ସରକାର ସ୍ୱାଗତ କଲେ ଅନେକ ତଥ୍ୟ ଜାଣିହେବ ଏବଂ ତଦନୁଯାୟୀ ପଦକ୍ଷେପ ନେଇ ଶିକ୍ଷା ବିଭାଗକୁ ସୁଧାରି ହେବ ବୋଲି ଆମ ବିଚାର ! ତେଣୁ ଏହିଭଳି ଘଡ଼ିସନ୍ଧି ମୁହୁର୍ତରେ ରାଜ୍ୟ ସରକାର ସ୍ମାର୍ଟ ଜଡ଼ ପଦାର୍ଥ ଗୁଡିକ ଉପରେ ନଜର ରଖିବା ସହିତ ଶିକ୍ଷା ବିଭାଗୀୟ ଅଧିକାରୀ, ଶିକ୍ଷକ ତଥା କର୍ମଚାରୀଙ୍କୁ ମଧ୍ୟ ସ୍ମାର୍ଟ କରାଯିବା ଉପରେ ପ୍ରାଧାନ୍ୟତା ଦେଇ ଅସମର୍ଥ କର୍ମଚାରୀଙ୍କୁ ବିଦାୟ ପୂର୍ବକ ନୂତନ ଦକ୍ଷ ଶିକ୍ଷକ, କର୍ମଚାରୀ ନିୟୋଜିତ କରିବା ବ୍ୟବସ୍ଥା କଲେ ହୁଏତ ସ୍ମାର୍ଟ ସ୍କୁଲ ଅତ୍ୟଧିକ ଆକର୍ଷଣୀୟ ହେବା ସହିତ ବାସ୍ତବ ସାମାଜିକ ଉନ୍ନତ୍ତି ହୋଇ ପାରିଥା’ନ୍ତି ବୋଲି ଆମ ବିଚାରରେ ଆପଣଙ୍କ ମତ କ’ଣ ?? 

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.