ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ସିବିଆଇ ତଦନ୍ତ ଦାବୀକରି ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟସାରା ନାରାବାଜିକୁ ସରଗରମ ହୋଇଉଠିଛି ରାଜନୀତି । ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍ପିଙ୍କ ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପିର ଏହି ଆନ୍ଦୋଳନ ରାଜ୍ୟକୁ ଦୋହଲେଇ ଦେଇଛି । ଭୁବନେଶ୍ୱରରେ ଶତାଧିକ ସଂଖ୍ୟାରେ ମହିଳା ଏକାଠି ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ମାମଲାର ସିବିଆଇ ତଦନ୍ତ ସହ ବିବାଦୀୟ ମନ୍ତବ୍ୟ ଦେଇଥିବା ଏସ୍ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କଟକରେ ମଧ୍ୟ ଶତାଧିକ ସଂଖ୍ୟାରେ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗଞ୍ଜାମ ଯାଜପୁର ଓ ବଲାଙ୍ଗିରରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯାଇଥିଲା । ସ୍ମିତାରାଣୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବ୍ରହ୍ମପୁର ଓ ସମ୍ୱଲପୁରରେ ମଧ୍ୟ ଶତାଧିକ ସଂଖ୍ୟାରେ ମହିଳା ଆନ୍ଦୋଳନକୁ ଓହ୍ଲାଇଥିଲେ। ରାଜ୍ୟର ସମସ୍ତ ମହିଳାଙ୍କ ସୁରକ୍ଷା ଓ ହରିଦାସପୁର ପିଇଓ ସ୍ନିତାରାଣୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ଆହ୍ୱାନରେ ଏହି ଆନ୍ଦୋଳନ ସାରାରାଜ୍ୟକୁ ଦୋହଲାଇ ଦେଇଥିଲା ।
ରିପୋର୍ଟ :ପ୍ରସନ୍ନ ପଟ୍ଟନାୟକ