ସ୍ଵଚ୍ଛ ଭାରତ ମିଶନର ଦଶବର୍ଷ ପୂର୍ତ୍ତି ପାଳନର ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ

ଭୁବନେଶ୍ଵର(ସମୃଦ୍ଧଓଡିଶା) ସ୍ଵଚ୍ଛ ଭାରତ ମିସନ(ଗ୍ରାମୀଣ)ର ଦଶନ୍ଧି ପୂର୍ତ୍ତି ପାଳନର ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସିଆର୍ ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବୀର ରାମଚନ୍ଦ୍ରପୁର ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ପଞ୍ଚୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ଓଡ଼ିଶା ସରକାର ଏବଂ ମାନ୍ୟବର ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ସତ୍ୟବାଦୀ ଯୋଗ ଦେଇଥିଲେ l ସ୍ଵଚ୍ଛ ଭାରତ ମିସନ(ଗ୍ରାମୀଣ)ର ଦଶବର୍ଷ ପୂର୍ତ୍ତି ପାଳନ ସମାରୋହରେ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସିଆର୍ ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କ୍ଷେତ୍ରରେ ଓଡ଼ିଶାରେ ହୋଇଥିବା କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଥିଲେ l ସ୍ଵଚ୍ଛତା, ପରିମଳ ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ଓଡ଼ିଏଫ୍ ପ୍ଲସ୍ (ମଡେଲ) ଆଦି କ୍ଷେତ୍ରରେ ଓଡ଼ିଶା କରିଥିବା କାର୍ଯ୍ୟ ଉଲ୍ଲେଖନୀୟ ବୋଲି ମାନ୍ୟବର ମନ୍ତ୍ରୀ ମତପ୍ରକାଶ କରିଥିଲେ l ଏହିସବୁ କାର୍ଯ୍ୟକୁ ବିକଶିତ ଓଡ଼ିଶାର ମୂଳଦୁଆ ରୂପେ ବର୍ଣ୍ଣନା କରିବା ସହ ଓଡ଼ିଶାରେ “ସ୍ଵଚ୍ଛତା ହିଁ ସେବା”ର ସଫଳତାକୁ ସାମୁହିକ ଶକ୍ତିର ଅଦ୍ଭୂତ ଦୃଷ୍ଟାନ୍ତ ବୋଲି କହିଥିଲେ l ଏହି ଅବସରରେ “ମା ପାଇଁ ଗଛଟିଏ” ଓ “ସ୍ଵଚ୍ଛତା ହିଁ ସେବା” ଭଳି ସମାଜମନସ୍କ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାପାଇଁ ସେ ସଭିଙ୍କୁ ପ୍ରେରିତ କରିଥିଲେ l ଏହି ସମାରୋହର ଅନ୍ୟତମ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ପଞ୍ଚୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଓଡ଼ିଶାରେ ନୂତନ ସରକାର ଗଠନର ୧୦୦ ଦିନର ବିକାଶ ଯାତ୍ରାରେ ସ୍ଵଚ୍ଛତାକୁ ବିଶେଷ ଗୁରୁତ୍ଵ ଦିଆଯାଇଥିବା ପରିପ୍ରକାଶ କରିଥିଲେ l ଏହି ଅବସରରେ ସେ କହିଥିଲେ ଯେ ୧୨ ଜୁନ୍ ୨୦୨୪ ରେ ୧00 ଦିନିଆ ଅଭିଯାନର ଆରମ୍ଭ ହେବା ସହିତ ପରିମଳ ବ୍ୟବସ୍ଥା ପ୍ରତିବଦ୍ଧତା ମଧ୍ୟ ଜାରି ରହିଛି । ଏହି ଅଭିଯାନ ସମୟରେ ନୂତନ ବ୍ୟକ୍ତିଗତ ଘରୋଇ ଶୌଚଳୟ ନିର୍ମାଣ ପାଇଁ ୫୧,୭୦୨ ଅନୁମତି ପତ୍ର (LOP) ବଣ୍ଟନ କରାଯାଇଛି , ୨୬୧ ଗ୍ରାମ୍ୟ ଜଳ ଏବଂ ପରିମଳ କମିଟି (VWSCs) କୁ ତାଲିମ ଦିଆଯାଇଛି, ଏବଂ ୧୧୦୧୬ ଗ୍ରାମକୁ ODF ପ୍ଲସ୍ (ମଡେଲ୍) ଭାବରେ ଘୋଷଣା କରାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଥିଲେ | ଏହା ପୂର୍ବରୁ ମାନ୍ୟବର ମନ୍ତ୍ରୀଗଣ ଓ ଅନ୍ୟ ଅତିଥିଗଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଭୂମି “ସୁଆଣ୍ଡୋ” ଗ୍ରାମକୁ ଗସ୍ତକରି ଉତ୍କଳମଣିଙ୍କ ସ୍ମୃତିଚାରଣ କରିଥିଲେ l ସେଠାରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ବୃକ୍ଷରୋପଣ କରିଥିଲେ ଓ ଉତ୍କଳମଣି ମେମୋରିଆଲ ସଂଗ୍ରହାଳୟକୁ ଗସ୍ତ କରିଥିଲେ l ଏହା ପରେ ସେମାନେ ବିଦ୍ୟାଧରପୁର ଗ୍ରାମ ପରିଦର୍ଶନ କରି ବ୍ୟକ୍ତିଗତ ଘରୋଇ ଶୌଚଳୟର ହିତାଧିକାରୀ ଓ ପରିମଳ କର୍ମଚାରୀ ମାନଙ୍କୁ ଭେଟି କଥାବାର୍ତ୍ତା ହୋଇଥିଲେ l ସ୍ଵଚ୍ଛ ଭାରତ ମିସନ(ଗ୍ରାମୀଣ)ର ଦଶବର୍ଷ ପୂର୍ତ୍ତି ପାଳନ ସମାରୋହରେ ସବୁଠୁ ଭଲ କାର୍ଯ୍ୟ କରିଥିବା ଚାରୋଟି ଜିଲ୍ଲା ଓ ପାଞ୍ଚଗୋଟି ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା l ଖୋର୍ଦ୍ଧା ଜିଲ୍ଲାକୁ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ସୁନ୍ଦରଗଡ ଜିଲ୍ଲାକୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପୁରୀ ଜିଲ୍ଲାକୁ ଗୋଷ୍ଠୀ ଅଂଶଗ୍ରହଣ ପାଇଁ ଏବଂ ନୁଆପଡାକୁ ପରିମଳ ପରିପ୍ରେକ୍ଷୀରେ ଶ୍ରେଷ୍ଠ ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଥିଲା l ଏହା ସହ ସୁନ୍ଦରଗଡର କାଚ୍ରୁ ଗ୍ରାମପଞ୍ଚାୟତ, ଗଞ୍ଜାମ ଜିଲ୍ଲାର ଚମଖଣ୍ଡି ଗ୍ରାମ ପଞ୍ଚାୟତ, ନୁଆପଡା ଜିଲ୍ଲାର ଭାଲେଶ୍ୱର ଗ୍ରାମ ପଞ୍ଚାୟତ, ଯାଜପୁର ଜିଲ୍ଲା ସୂଜନପୁର ଗ୍ରାମ ପଞ୍ଚାୟତ, ଏବଂ ପୁରୀ ଜିଲ୍ଲାର ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଅଶୋକ କୁମାର ମୀନା, ସ୍ଵତନ୍ତ୍ର ଅଧିକାରୀ , ପାନୀୟ ଜଳ ଓ ପରିମଳ, ଭାରତ ସରକାର, ଶ୍ରୀ ସୁଶୀଲ କୁମାର ଲୋହାନୀ, ପ୍ରମୁଖ ଶାସନ ସଚିବ ପଞ୍ଚାୟତି ରାଜ ଓ ପାନୀୟ ଜଳ, ଓଡ଼ିଶା ସରକାର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ l
ରିପୋର୍ଟ : ରଜତ ମହାପାତ୍ର ଓ ବିନାୟକ ମିଶ୍ର, ଲୋକସମ୍ପର୍କ ଅଧିକାରୀ