

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଜାରି ରହିଛି ସାପ୍ତାହିକ ସାମାଜିକ ସେବା ଅଭିଯାନ । ଏହି କ୍ରମରେ ଟିମ ପକ୍ଷରୁ ହାତକୁ ନିଆଯାଇଛି ନିଆରା ପଦକ୍ଷେପ । ବ୍ରହ୍ମପୁର ଉପକଣ୍ଠ ଉପୁଲାପୁଟି ଗ୍ରାମର ଶତାୟୁ ବୃଦ୍ଧା ଟି. ପରମାଙ୍କୁ ତାଙ୍କ ବାସଭବନରେ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବୟସ ଯେମିତି ପରମାଙ୍କ ନିକଟରେ ହାର ମାନି ଯାଇଛି । ଆଉ କରୋନା ବି ଡରି ପାଖ ମାଡିନି ପରମାଙ୍କର । ବର୍ଷ ବର୍ଷ ଧରି ନିଜ ଗ୍ରାମର ରାସ୍ତାଘାଟ ନିୟମିତ ସଫା କରୁଛନ୍ତି ସେ । କେବଳ ଏତିକି ନୁହେଁ ବରଂ ସେ ଅନ୍ୟକୁ ପରିବେଶ ସୁରକ୍ଷା ସମ୍ପର୍କରେ ଅନ୍ୟକୁ ପରାମର୍ଶ ମଧ୍ୟ ଦିଅନ୍ତି । କେହି ଖିଲାପ କରିବା ଦେଖିଲେ ତାଙ୍କୁ ତାଗିଦ ବି କରନ୍ତି । ସମଗ୍ର ଗ୍ରାମରେ ପରମାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ତାଙ୍କ ଭଳି ଜଣେ ବଣର ମଲ୍ଲିଙ୍କୁ ସମ୍ବର୍ଦ୍ଧନା ଦେଇ ଆଜି ଟିମ କ୍ଲିନ ସିଟିର ସବୁ ସଦସ୍ୟ ବେଶ ଗର୍ବିତ । ପରେ ଟିମର ସଦସ୍ୟଙ୍କ ସହ ନିଜେ ପରମା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଟିମ ସଦସ୍ୟଙ୍କ ଦ୍ୱାରା ହୋଇଥିବା ସ୍କୁଲ ସଫେଇ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଏହି କାର୍ଯ୍ୟରେ ଗ୍ରାମର ବହୁ ପ୍ରତିଷ୍ଠିତ ଲୋକ ସହଯୋଗର ହାତ ବଢାଇଥିଲେ । ପରେ ଟିମ ସଦସ୍ୟ ମାନେ ବ୍ରହ୍ମପୁର ଫେରିବା ବାଟରେ ଗୋପାଳପୁର ଛକରେ ଓଭର ବ୍ରିଜ ତଳେ ବେନିୟମ ଭାବେ ଲାଗିଥିବା ପୋଷ୍ଟର ଗୁଡିକୁ ଚିରି ବାହାର କରିଥିଲେ । ଗତ ରବିବାର ଅନୁରୂପ ଭାବେ ଟିମ ପକ୍ଷରୁ ବ୍ରହ୍ମପୁର ବ୍ରହ୍ମାନଗର ପ୍ରାଥମିକ ବିଦ୍ୟାଳୟ ପରିସରର ସଫେଇ କାର୍ଯ୍ୟ ହାତକୁ ନେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

