ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଚିତାଭସ୍ମ ଆଜି ଗୁରୁବାର ଦିନ ୧୧ ଘଣ୍ଟା ସମୟରେ ଗନ୍ଧମାର୍ଦ୍ଦନ – ନୃସିଂହନାଥର ପାପହାରିଣୀ ତୀର୍ଥକ୍ଷେତ୍ର ତ୍ରିବେଣୀ ଘାଟରେ ବିସର୍ଜିତ କରାଯାଇଛି । ସ୍ୱର୍ଗତ ପୁରୋହିତଙ୍କ ୪ ପୁଅ ସର୍ବ ବିଜୟ କୁମାର ପୁରୋହିତ, ଗିରିଧାରୀ ପୁରୋହିତ, ରାମରତନ ପୁରୋହିତ ଓ ପ୍ରଦୀପ ପୁରୋହିତ ସ୍ୱର୍ଗତ ପୁରୋହିତଙ୍କ ଚିତାଭସ୍ମକୁ ଆଣି ପାପହାରିଣୀ ଝରଣାରେ ବିସର୍ଜିତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ତା ୧୪-୯-୨୦ ରିଖ ରାତ୍ର ୯ ଘଣ୍ଟା ସମୟରେ ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ୮୮ ବର୍ଷ ବୟସରେ ବରଗଡ଼ ବିକାଶ ହସପିଟାଲରେ ଦେହାନ୍ତ ହୋଇ ଯାଇଥିଲା । ପାଇକମାଲ – ଝାରବନ୍ଦ ରାସ୍ତାରେ ମହାରାଣୀ ମେରୀପୁର ଠାରେ ଥିବା ତାଙ୍କ ଫାର୍ମହାଉସରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା । ଏଠାରେ ସ୍ମରଣ ଯୋଗ୍ୟ ୧୯୪୦ – ୪୧ ମସିହାରେ ଯେତେବେଳେ ନୃସିଂହନାଥ ମନ୍ଦିର ପଣ୍ତା ଘର ଅଧିନରେ ପରିଚାଳିତ ହେଉଥିଲା । ସ୍ୱର୍ଗତ ପୁରୋହିତଙ୍କ ପିତା ସ୍ୱର୍ଗତ ଉଦୟ ନାଥ ପୁରୋହିତ ନୃସିଂହନାଥ ମନ୍ଦିରର ଭଣ୍ଡାର ମୁହୁରୀ ଭାବେ କିଛି ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଓ ନିଜେ ମନ୍ଦିରର ପ୍ରଥା ଅନୁଯାୟୀ ଅବିହାରୀ ବାଳକ ଭାବେ ମନ୍ଦିରର ପୂଜକ କିଛି ବର୍ଷ ପାଇଁ ତୁଲାଇଥିଲେ । ଦ୍ବିତୀୟତଃ ଶିବ ପୁରାଣର ବର୍ଣ୍ଣନା ଅନୁଯାୟୀ ଭଗବାନ ଶିବ ସାରା ବିଶ୍ବର ଅନେକ ତୀର୍ଥ କ୍ଷେତ୍ର ପରିଭ୍ରମଣ କଲାପରେ ମଧ୍ୟ ଗୋ ଦୋଷରୁ ମୁକ୍ତି ପାଇ ନ ଥିଲେ । ଶେଷରେ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବାହିତ ପାପହାରିଣୀ ତୀର୍ଥକ୍ଷେତ୍ରରେ ବୁଡଦେବା ପରେ ଭଗବାନ ଶିବ ଗୋ ବଧରୁ ମୁକ୍ତି ପାଇଥିଲେ । ଏହି ପୁରାଣ କଥିତକୁ ବିଶ୍ବାସ କରି ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପରିବାର ଏଠାରେ ଅସ୍ଥି ବିସର୍ଜନ, ଚିତାଭସ୍ମ ବିସର୍ଜନ ସହ ଗୋ ଦୋଷରୁ ମୁକ୍ତି ପାଇଁ ତ୍ରିବେଣୀ ଘାଟ ଓ ଗୋ କୁଣ୍ତ ଘାଟରେ ବୁଡ ପକାଇଥାନ୍ତି । ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ସୁବୋଧ ପଣ୍ତା, ବିଶମ୍ବର ମୁଣ୍ତ ଓ ଅନ୍ୟମାନେ ଚିତାଭସ୍ମରେ ଫୁଲ ଦେଇ ସ୍ୱାଗତ କରିଥିଲେ । ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଅବର୍ତ୍ତମାନରେ ୭୦ ବର୍ଷ ତଲେ ପାଇକମାଲ – ନୃସିଂହନାଥ ରୋଡରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ । “ପୁରୋହିତ ହେଟୋଲ” ଏବେ ଖାଁ ଖାଁ ଲାଗୁଛି ।
ରିପୋର୍ଟ – ନିରୋଜ କୁମାର ପାଣୀ