ସ୍ୱର୍ଗତ ଶରତ ମିଶ୍ରଙ୍କ ଊନବିଂଶ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗଣଦୌଡ, ରକ୍ତଦାନ ଶିବିର ଓ ପାଠଚକ୍ର ଅନୁଷ୍ଠିତ

ହିଞ୍ଜିଳିକାଟୁ, ୧୩|୭(ସମୃଦ୍ଧ ଓଡିଶା): ହିଞ୍ଜିଳିକାଟୁ ସହର ଉପକଣ୍ଠ ସ୍ଥିତ ମା’ ଶ୍ୟାମଳାଇ ପୀଠରେ ଶରତ ମିଶ୍ର ସ୍ମୃତି କମିଟି ପକ୍ଷରୁ ଶନିବାର ଦିନ ଦିବଂଗତ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ୱର୍ଗତ ଶରତ କୁମାର ମିଶ୍ରଙ୍କର ଊନବିଂଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ସକାଳେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ରଙ୍କ ନେତୃତ୍ବରେ ଶତାଧିକ ଯୁବକ ଓ ବିଜେପି କର୍ମୀ ହିଞ୍ଜିଳିକାଟୁ ଆରଏମସି ଛକ ଠାରୁ ପୂର୍ତ୍ତବିଭାଗ ଡାକବଙ୍ଗଳା ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ କରିଥିଲେ। ପରେ ମା’ ଶ୍ୟାମଳାଇ ପୀଠ ଠାରେ ଥିବା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଆସିକା ସାଂସଦ ଅନିତା ଶୁଭଦର୍ଶିନି ଉଦଘାଟନ କରିଥିଲେ। ମୋଟ ୩୮ଜଣ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ବ୍ରହ୍ମପୁର ରେଡକ୍ରସ ବ୍ଲଡ଼ ବ୍ୟାଙ୍କର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ସ୍ମୃତି କମିଟିର ଆବାହକ ତଥା ଅଧିବକ୍ତା ନିର୍ମଳ ସାହୁଙ୍କ ସଭାପତିତ୍ବରେ ସ୍ମୃତିସଭା ଓ “ଓଡ଼ିଶାର ଅର୍ଥନୀତିରେ ଗଞ୍ଜାମର ଅବଦାନ” ସମ୍ବନ୍ଧିତ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ, ସ୍ୱର୍ଗତ ଶରତ କୁମାର ମିଶ୍ର ଜଣେ ଉତ୍ତମ ସଂଗଠକ ଭାବରେ ସାରା ରାଜ୍ୟରେ ସୁପରିଚିତ ଥିଲେ। ସେ ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ଯୋଡ଼ି ହୋଇ ରହୁଥିଲେ। ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଓ ବ୍ରହ୍ମପୁର-ସମ୍ବଲପୁର ରେଳପଥ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ସେ କହିଥିଲେ। ଆସିକା ସାଂସଦ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଶୋଇ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଜେପି ଘୁମୁସର କାର୍ଯ୍ୟକାରୀ ସଭାପତି ବିଜୟ ସ୍ୱାଇଁ, ବିଜେପି ମୁଖପାତ୍ର ସୁଦୀପ୍ତ ରାୟ, ଗଜପତି ଜିଲା ଆଦିବାସୀ ସମାଜ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ କନ୍ଧମାଳ ବିଜେପି ପ୍ରଭାରୀ ନିରଞ୍ଜନ ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟକର୍ତ୍ତା କାହୁଁ ଚରଣ ପତି ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ। କାର୍ଯକ୍ରମ ସଂଯୋଜକ ଶିଶିର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ବିଜେପି ଜିଲା ଉପସଭାପତି ମାଧବ ଗୌଡ଼, ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଏନ. କେଶବ, ନୟନ ମଲ୍ଲିକ, ଯୁବ ମୋର୍ଚ୍ଚା ନଗର ସଭାପତି ନୀତେଶ ପଣ୍ଡା, ବିଜେପି ନେତା ରାକେଶ ରଥ, ଇ.ଅନ୍ତର୍ଯ୍ୟାମୀ ପାତ୍ର, ରବୀନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ସୁଶାନ୍ତ ପାଣିଗ୍ରାହୀ, ଆଲୋକ ନାୟକ ଓ ସୁଧାଂଶୁ ସାବତ ସମସ୍ତ କାର୍ଯକ୍ରମ ପରିଚାଳନା କରିଥିଲେ।
ରିପୋର୍ଟ:-ରଜତ ପଟ୍ଟନାୟକ