


ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାରେ ମଳ ଉପଚାର ପ୍ଲାଣ୍ଟର ଶିଳାନ୍ୟାସ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦାନ କରି ଶିଳାନ୍ୟାସ ପ୍ରସ୍ତର ଉନ୍ମୋଚନ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଆସ୍କା, ସୋରଡ଼ା, ପୋଲସରା ପୌରାଞ୍ଚଳରେ ସ୍ୱତନ୍ତ୍ର ପ୍ଲାଣ୍ଟ ସ୍ଥାପନ ହେବ । ୧୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଷ୍ଟ ମାନଙ୍କରେ ସଂଗୃହିତ ମଳକୁ ତୁରନ୍ତ କମ୍ପୋଷ୍ଟରେ ପରିବର୍ତ୍ତନ କରିବା ପାଇଁ ସ୍ୱତନ୍ତ୍ର ମେସିନ ସ୍ଥାପନ କରାଯିବ । ଏହି ଚାରି ଗୋଟି ପୁରାଞ୍ଚଳର ମଳ ଉପଚାର ପ୍ଲାଷ୍ଟରେ ୧୦ କୋଟି ୧୨ ହଜାର ଟଙ୍କା ବିନିଯୋଗ ହେବ । ମୋଟ ୬୦ ହଜାର ପରିବାରଙ୍କ ସଂଗୃହିତ ମଳ ଏହି ପ୍ଲାଣ୍ଟ ମାଧ୍ୟମରେ କମ୍ପୋଷ୍ଟ କରଣ ହେବ । ଏହା ଦ୍ୱାରା ପରିବେଶ ପରିଷ୍କାର ରହିବା ସହିତ ପୌରାଞ୍ଚଳର ଚାଷ ଜମିରେ ଏହାକୁ ପ୍ରୟୋଗ କରାଯାଇ ଅଧିକ ଉତ୍ପାଦନକ୍ଷମ କରାଯିବ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମରେ ଏପରି ପ୍ଲାଣ୍ଟ ସ୍ଥାପନ କରାଯାଇଛି ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଡୁଡାର ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା










