

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ବିଶାଳ ମହିଳା ସମାବେଶ ୬୦ନଂ ଜାତୀୟ ରାଜପଥର ଧରାଷ୍ଟକଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଯୁବନେତା ପ୍ରତୀପ କୁମାର ପ୍ରଧାନ ଅଧ୍ୟକ୍ଷତା କରି ସାମ୍ପ୍ରତିକ ପରିସ୍ଥିତିରେ ମହିଳାମାନଙ୍କ ସମାଜରେ ଭୂମିକା ସଂପର୍କରେ କହିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଖଣି, ଇସ୍ପାତ ଓ ପୁର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ନବୀନ ସରକାର ଅମଳରେ ମହିଳାଙ୍କ ଲାଗି ହୋଇଥିବା ବିଭିନ୍ନ ଯୋଜନା, ମହିଳା ସଶକ୍ତି କରଣ, ବିନା ସୁଧରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ଲକ୍ଷ ଟଙ୍କାର ଋଣ ପ୍ରଦାନ, ପ୍ରତ୍ୟେକ ଗୋଷ୍ଠୀକୁ ମୋବାଇଲ୍ ପ୍ରଦାନ ସଂପର୍କରେ ସୂଚନା ଦେବା ସଂଗେ ସଂଗେ ନବୀନ ପଟ୍ଟନାୟକଙ୍କୁ ୫ମ ଥର ମୁଖ୍ୟମନ୍ତ୍ରୀ କରିବାଲାଗି ସମସ୍ତେ ବିଜେଡିର ବିଧାୟକ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଓ ସାଂସଦ ପ୍ରାର୍ଥୀ ଇଂ ରବିନ୍ଦ୍ର କୁମାର ଜେନାଙ୍କୁ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ । ଏଥିରେ ବିଧାୟକପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଏଭଳି ମହିଳା ସମାବେଶର ଭୂୟସୀ ପ୍ରଶଂସା କରିବା ସହ ଭାରତୀୟ ସଂସ୍କୃତିରେ ମାତୃଜାତୀର ଭୂମିକା ସମାଜ ଗଠନରେ କିପରି ସହାୟକ ହୋଇପାରିଛି ତାହା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜୁ ମହିଳା ଜନତାଦଳର କାର୍ଯ୍ୟକାରିଣୀ ସଭ୍ୟା ଆରତୀ ଦାସ, ଯୁବ ନେତା ସୁଧାକର ସାହୁ, ଶଂକର ଘୋଷ, ସଂଜୀବ ପାଳ, ନବେନ୍ଦୁ ପ୍ରଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ପୂର୍ବତନ କାଉନ୍ସିଲର ବିଜୟ କୁମାର କାମିଳା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା
