ବୈଚିତ୍ରମୟ ଭଗବାନଙ୍କ ସୃଷ୍ଟିରେ ମଣିଷ ଯେତେ ବିଚିତ୍ର ତା ଠାରୁ ଅଧିକ ବିଚିତ୍ର ତା ମାନସିକତା । ସେହି ମନରେ କେତେ ଥର ସେ ସରଗରୁ ଜହ୍ନ ତୋଳିବାକୁ ହାତ ବଢାଇଛି ଓ ଅସଫଳ ହୋଇ ଫେରିଆସିଛି । ସତ କହିବାକୁ ଗଲେ ମଣିଷର ଯେତେବେଳେ ତା’ର ମୌଳିକ ଆବଶ୍ୟକତା ପୂର୍ଣ୍ଣ ହୋଇଯାଏ, ସେ ବସେ ନା, ନିଜକୁ ଅନ୍ୟ ସହିତ ତୁଳନା କରେ, ନିଜ ଧନ, ମାନ, ଜ୍ଞାନ ସହିତ ଅନ୍ୟମାନଙ୍କ ଧନ, ମନ, ଜ୍ଞାନକୁ ତୁଳନା କରେ । ଯଦି ସେ ଅନୁଭବ କରେ ଯେ ତା’ର ଅନ୍ୟ ଠାରୁ କମ ଅଛି, ସେ ଈର୍ଷା କରେ, କୁ ବୁଦ୍ଧି ପ୍ରୟୋଗ କରେ, ଯେନ କେନ ପ୍ରକାରେଣ ନିଜର ଏହି ବସ୍ତୁବାଦୀ କି ଅଧ୍ୟାତ୍ମବlଦୀ ଜିନିଷ ଗୁଡାକୁ ବଢାଇବା ପାଇଁ ଅପ୍ରାଣ ଚେଷ୍ଟା କରେ । ଯଦି ହାରିଯାଏ କ୍ଷଣକାଳ ମନଦୁଃଖ କରେ, କିନ୍ତୁ ଖୁବ ଶୀଘ୍ର ଏହାକୁ ଭୁଲିଯାଏ । ନିଜେ ଠିକ ଅଛି ବୋଲି ଭାବେ । ପଇସାର ପାହାଡ଼ ତୋଳିଥିବା ମଣିଷକୁ ଲୋଭୀ କହେ । ମଲେ କଣ ସେ ସମ୍ପତ୍ତିକୁ ମୁଣ୍ଡାଇ ନେବ ? ଥରେ ତ ଠାକୁରଙ୍କୁ ଡାକିଲା ନି, ଦାନ ଧର୍ମ କଲା ନାହିଁ । ସେ ସମ୍ପତ୍ତି କଣ ହେବ ? ଖଣ୍ଟ ଖାଇବେ । ତା’ର ଏହି ଧାରଣା ଯୁକ୍ତିଯୁକ୍ତ ନୁହେଁ । ନିଜେ ଠିକ ଅଛି ବୋଲି ଏକ ପ୍ରୟାସ । ଏହାକୁ ଦିବ ସ୍ୱପ୍ନ କୁହାଯାଏ । ଅନ୍ୟ କ୍ଷେତ୍ରରେ ତା ଠାରୁ ଅଧିକ ଜ୍ଞାନ ଅର୍ଜନ କରି ପାରିଥିବା ଲୋକଙ୍କୁ ମଧ୍ୟ ସେ ହୀନ ବୋଲି କହେ । ଏତେ ପାଠ ପଢି ଲାଭ କଣ ? ସଂସାରରେ ବଡ଼ ହେଲା ପଇସା । ଯାହାର ପଇସା ଅଛି, ସେ ବଡ଼ ଲୋକ । ଜ୍ଞାନ ଥାଉ । କିଏ ପଚାରେ । ଜ୍ଞାନ ଥାଇ ଯଦି ଭୋକ ଉପାସରେ ରହେ, ସେ ଜ୍ଞାନର ଲାଭ କଣ ? ମଣିଷ ଯାହା ବୁଝେ, ତାହା ଠିକ ବୋଲି ଭାବେ, ତାକୁ ତା’ର ଆଦର୍ଶ ବୋଲି ଭାବେ । ସେହି କ୍ଷେତ୍ରରେ ସେ ଅନ୍ୟମାନଙ୍କୁ ଉପଦେଶ ଦିଏ । ଅନ୍ୟମାନେ ତା’ କଥା ସମସ୍ତେ ଶୁଣନ୍ତୁ, ତା’କୁ ସମ୍ମାନ ଦିଅନ୍ତୁ – ଏହା ସେ ସବୁବେଳେ ଆଶା କରେ । ତା’ର ବ୍ୟକ୍ତିଗତ ଇଚ୍ଛା ଉପରେ ଯିଏ ହସ୍ତକ୍ଷେପ କରେ ସେ କ୍ରୋଧିତ ହୁଏ । ଏହା ତା’ର ଜିଦ । କିନ୍ତୁ ଯିଏ ନିଜ ଚିନ୍ତାଧାରା ସହିତ ଅନ୍ୟମାନଙ୍କ ଚିନ୍ତାର ସମ୍ମିଶ୍ରଣରେ ଏକ ନୂତନ ଚିନ୍ତା ଆଣେ ଏବଂ ଏହି ଚିନ୍ତାରେ ସାମଗ୍ରିକ ମାନବ ସମାଜ ଉପକୃତ ହୋଇଥାଏ, ସେ ହିଁ ପ୍ରକୃତ ଜ୍ଞାନୀ । ସେ ନେତା, ଆଦର୍ଶ ଓ ପ୍ରକୃତ ଉପଦେଷ୍ଟା ।
ରବୀନ୍ଦ୍ରକୁମାର ବେହେରା
ଶିଖରପୁର, କଟକ -୪