ହଜିଗଲା ମାନବିକତା : କୋରନା ଭୟରେ ୯ ଘଣ୍ଟା ଧରି ଅଟୋରେ ପଡି ରହିଲା ଶବ…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପଞ୍ଚଭୂତି ଗୌଡ଼ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ କରୋନା ଭୟରେ କେହି ଭି ଛୁଇଁ ନଥିଲେ । ପଞ୍ଚଭୂତି ଗୌଡ଼ ସାହିର ଅବସର ପ୍ରାପ୍ତ ଶିକ୍ଷକ ଗଣେଶ ଶତପଥିଙ୍କୁ ଜ୍ୱର ହେବାରୁ ସକାଳ ୮ଟାରେ ତାଙ୍କ ସ୍ତ୍ରୀ ପୁଷ୍ପଲତା ଶତପଥି ଜଗନ୍ନାଥ ପ୍ରସାଦ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l ଚାରି ଦିନ ପୂର୍ବେ ବଡ଼ ଭାଇ ବିନାୟକ ଶତପଥିଙ୍କ ହୃଦ୍‌ରୋଗରେ ମୃତ୍ୟୁ ଘଟିଥିଲା l କରୋନା ଜନିତ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ସାହିବାସୀ ଅନୁମାନ କରି ମେଡିକାଲରୁ ଫେରିଥିବା ଗଣେଶଙ୍କ ମୃତଦେହକୁ କେହି ଛୁଇଁବାକୁ ରାଜି ହୋଇ ନଥିଲେ କିମ୍ବା ଗାଁ ଶ୍ମସାନରେ ଶବଦାହ ହୋଇପାରିବ ନାହିଁ ବୋଲି କିଛି ଲୋକ ଜିଦ ଧରିବା କାରଣରୁ ଦୀର୍ଘ ୯ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ଗାଁ ଦାଣ୍ଡରେ ଅଟୋରେ ପଡିରହିଥିବା ଦେଖିବାକୁ ମିଳିଥିଲା । ଶେଷରେ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପ୍ରମିଳା ଦୋରାଙ୍କ ସ୍ୱାମୀ ଗୋକୁଳ ଦୋରା ସାହିରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଗୋକୁଳ ଦୋରାଙ୍କ ଅନୁରୋଧରେ କିଛି ସ୍ୱେଚ୍ଛାସେବୀ, ମୃତ ଗଣେଶ ପୁଅ ପ୍ରଭାତ ରଞ୍ଜନ ଶତପଥି ଓ ଜୋଇଁ ପିପିକିଟ ପିନ୍ଧି ଶେଷକୃତ୍ୟ ସଂପର୍ଣ୍ଣ କରିଥିଲେ । ପରିବାର ତରଫରୁ ଅଭିଯୋଗ ହେଉଛି ଯେ ମୃତ ଗଣେଶ ଶତପଥିଙ୍କୁ ହୃଦଘାତରେ ମୃତ୍ୟ ହୋଇଛି । କୋରନାରେ ବୋଲି ମିଥ୍ୟା ଗୁଜବ କରା ଯାଉଛି । ମହାମାରି କରୋନା ପାଇଁ ପ୍ରତିଦିନ ଏଭଳି କିଛି କିଛି ଘଟଣା ନଜରକୁ ଆସୁଛି ଯାହା ସମାଜରୁ ମାନବିକତା ଦୂର ହୋଇ ଯାଉଥିବା ଭଳି ମନେ ହେଉଛି ।

ରିପୋର୍ଟ : ନିଲୁ ବିଷୋୟୀ