ହାତରେ ଥାଳି ଧରି ବାତ୍ୟା ବିପନ୍ନଙ୍କ ପାଇଁ ସାହାର୍ଯ୍ୟ ମାଗିଲେ ଗଜପତି ଏସପି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବାତ୍ୟା ‘ଫନି’ ତାଣ୍ଡବ ରଚିବାର ଦୀର୍ଘ ୬ ଦିନ ବିତିଗଲାଣି ହେଲେ ବିପନ୍ନଙ୍କ କଷ୍ଟ ଟିକିଏ ବି ଦୂର ହୋଇନାହିଁ । କେଉଁଠି କିଟିକିଟି ଅନ୍ଧାରରେ ଖୋଲା ଆକାଶ ତଳେ ଲୋକେ ରାତି କାଟୁଛନ୍ତି ତ ପୁଣି କେଉଁଟି ବୁନ୍ଦେ ପାଣି ପାଇଁ ହାହାକାର । କେଉଁଠି ଖାଇବାକୁ ଖାଇବା ପିଇବାକୁ ଜଳ ନ ପାଇଁ ଭୋକ ଉପବାସରେ ଦିନ କାଟୁଛନ୍ତି । ଏଭଳି ପରିସ୍ଥିତିରେ ଗଜପତି ଏସପି ଏକ ନିଆରା ଢଙ୍ଗରେ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ।ହାତରେ ଥାଳି ଧରି ବୁଲି ବୁଲି ବାତ୍ୟା ବିପନ୍ନଙ୍କ ପାଇଁ ଲୋକଙ୍କୁ ସାହାର୍ଯ୍ୟ ମାଗିଛନ୍ତି ଗଜପତି ଏସପି ସାରା ଶର୍ମା । ତାଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ବି ପାରଳାଖେମୁଣ୍ଡିର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କଠୁ ସହାୟତା ରାଶି ସଂଗ୍ରହ କରୁଛନ୍ତି । ଏଥିରେ ପ୍ରଥମ ଦିନ ଏକ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଥିଲା । ଏପରି ଭାବେ ୧୦ ତାରିଖ ଯାଏ ଜିଲ୍ଲା ପୋଲିସ ପାଣ୍ଠି ସଂଗ୍ରହ କରିବ ବୋଲି ସୂଚନା ଦେଇଛନ୍ତି । ଖାଲି ଏତିକି ନୁହେଁ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀ ଦିନକର ଦରମା ମଧ୍ୟ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଗଜପତି ଜିଲ୍ଲାପାଳ ଅନୁପମ ଶାହା ମଧ୍ୟ ରିଲିଫ ପାଣ୍ଠି ସଂଗ୍ରହ କରିବାକୁ ନିବେଦନ କରିଛନ୍ତି । ଜିଲ୍ଲାପାଳ ନିଜେ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ମଧ୍ୟ ଫୋନି ପ୍ରପୀଡ଼ିତଙ୍କ ପାଇଁ ସହାୟତା ଯୋଗାଡ କରିବାକୁ ଲାଗି ପଡିଛନ୍ତି । ଜିଲ୍ଲାର ପ୍ରତି ବ୍ଲକ ଏବଂ ପୌରାଞ୍ଚଳରେ ଏଥିପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲା ରହିଛି । ଯେ କୌଣସି ବ୍ୟକ୍ତି ଚାହିଁଲେ ବାତ୍ୟା ବିପନ୍ନଙ୍କ ପାଇଁ ଦାନ କରିପାରିବେ ବୋଲି କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା