ହିଞ୍ଜିଳିକାଟୁର ତେଜ୍ ଦିମାଗ ଛାତ୍ର ଛାତ୍ରୀଙ୍କ ଜାତୀୟ ସ୍ତରରେ କୃତିତ୍ୱ

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା) ଆମ ହିଞ୍ଜିଳିକାଟୁ ଅଞ୍ଚଳର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ତେଜ୍ ଦୀମାଗ ଯାହା ଏକ ଶୈଖିକ କ୍ଷେତ୍ରରେ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭା କ୍ଷେତ୍ରରେ ନବ ପରିବର୍ତ୍ତନର ସୂତ୍ରପାତ କରି ଅଦ୍ଭୂତପୂର୍ବକ ରୂପାନ୍ତରଣ ପ୍ରକ୍ରିୟା ଆଣି ପାରିଛି, ଏବଂ ଜାତୀୟ ସ୍ତରରେ ପ୍ରଶଂସାର ପାତ୍ର ସାଜି ପାରିଛି। ଶିକ୍ଷାନୁଷ୍ଠାନ ତରଫରୁ ଜାତୀୟ ସ୍ତରୀୟ ଆବାକସ ଚାମ୍ପିୟନସିପ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଉତ୍ସବ ସହ ହିଞ୍ଜିଳିକାଟୁ ଅଞ୍ଚଳ ରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଭଳି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଟିଏ ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ତେଜ ଦିମାଗ୍ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଭାରତର ଜଣେ ପ୍ରତିଷ୍ଠିତ NLP ପ୍ରଶିକ୍ଷକ ଶ୍ରୀ କପିଲ୍ ଶର୍ମା ଏବଂ ସମ୍ମାନିତ ଅତିଥି ଭାବେ ଭାରତୀ ଅଣ ସରକାରୀ ସଂଗଠନ, ଆଗ୍ରା ର ସମ୍ପାଦକ ଶ୍ରୀ ସୌରଭ ସିହ୍ନା ଉପସ୍ଥିତ ରହିବା ସହ ପ୍ରଦୀପ ପ୍ରଜ୍ଜୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତତ୍ ସହିତ ତେଜ ଦିମାଗ୍ ହିଞ୍ଜିଳିକାଟୁ ଶାଖାର ଚେୟାରମେନ ଶ୍ରୀ ରଞ୍ଜନ କୁମାର ସାହୁ,ଶାଖାର ନିର୍ଦ୍ଦେଶକ ଶ୍ରୀ କିରଣ କୁମାର ପୃଷ୍ଟି ଏବଂ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ କିରଣ କୁମାରୀ ସାହୁ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଶ୍ରୀ କପିଲ୍ ଶର୍ମା ଛାତ୍ର ଛାତ୍ରୀ ଏବଂ ଉପସ୍ଥିତ ଅଭିଭାବକ ମାନଙ୍କୁ ଜୀବନର ଜଟିଳ ପରିଧୁରୁ ନିଜକୁ ମୁକ୍ତ କରି କିପରି ଏକ ସରଳ ଏବଂ ସଫଳତମ ଜୀବନ ଚର୍ଯ୍ୟାକୁ ଅନୁସରଣ କରି ଚେତନା ଓ ଅବଚେତନାର ଦ୍ଵନ୍ଦ ଭିତରେ ନିଜକୁ ଦୃଢ଼ କରି କିପରି ଆଗେଇ ଯିବାକୁ ହେବ ତାହା ଉପରେ ଆଲୋଚନା କରିଥିଲେ। ନିଜର ବକ୍ତବ୍ୟ ମାଧ୍ୟମରେ ଜୀବନର ମୂଲ୍ୟବୋଧ କୁ ପରଖି ନେବା ପାଇଁ ଗୁରୁମନ୍ତ୍ର ଦେବା ସହ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ସିଧାସଳଖ ଭାବେ ମିଶି ଆଲୋଚନା କରିଥିଲେ ଏବଂ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଶାଖାର ନିର୍ଦ୍ଦେଶକ ଶ୍ରୀ କିରଣ କୁମାର ପୃଷ୍ଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ଛାତ୍ର ଛାତ୍ରୀ ମାନଙ୍କ ସଫଳତା ଦିଗରେ ଏକ ସମ୍ୟକ୍ ବିବରଣୀ ପଠନ କରିଥିଲେ । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ଅଞ୍ଚଳର ଏହି ବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ଶ୍ରେଣୀ ହାସଲ କରିଥିବା ସ୍ନେହାରାଣୀ ଗୌଡ଼ ଏବଂ ରଶ୍ମିନ୍ ସାବତ ଙ୍କୁ ମୁଖ୍ୟ ଅତିଥି ଶ୍ରୀ କପିଲ୍ ଶର୍ମା ମାନପତ୍ର ସହ ସେମାନଙ୍କ ଅଭିଭାବକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ତ୍ରିରଙ୍ଗା ସେବା ସଙ୍ଘ ର ମୁଖପାତ୍ର ଶ୍ରୀ ଚିନ୍ମୟ କୁମାର ପୋଲାଇ ମଞ୍ଚ ପରିଚାଳନା ପୂର୍ବକ କାର୍ଯ୍ୟକ୍ରମ ର ପ୍ରତ୍ୟେକ ଟି ରୂପରେଖ କୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ ଓ ସ୍ଥାନୀୟ ଅଞ୍ଚଳ ର ବହୁ ଯୁବକ ଏତେ ବଡ଼ କାର୍ଯ୍ୟକ୍ରମ ର ସୁପରିଚାଳନା ସହ ସହଯୋଗ କରିଥିଲେ।ପରିଶେଷରେ ହିଞ୍ଜିଳିକାଟୁ ଶାଖାର ଚେୟାରମେନ ଶ୍ରୀ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ରିପୋର୍ଟ:-ରଜତ ପଟ୍ଟନାୟକ