ହିଞ୍ଜିଳିରେ ମୋଟର ସାଇକେଲ ଦୁର୍ଘଟଣାରେ ୨ ଗୁରୁତର : ସମସ୍ତ ମେଡ଼ିକାଲ ଖର୍ଚ୍ଚ ସରକାର ବହନ କରିବାକୁ ଦାବୀ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ରବିବାର ସକାଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ବଇଁଚବଣିଆ ଛକ ନିକଟରେ ରାସ୍ତା ପାର ହେଉଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଏକ ବାଇକ୍ ଧକ୍କା ଦେଇଛି । ଦୂର୍ଘଟଣାରେ ବାଇକ୍ ଚାଳକଙ୍କ ସମେତ ବରିଷ୍ଠ ନାଗରିକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଛକର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ (୭୫) ଓ ବାଇକ୍ ଚାଳକ ଜଣଙ୍କ ହେଲେ ହିଞ୍ଜିଳି କେନାଳ ସାହିର ସୁମନ ଦାସ (୧୮) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।‌ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।‌ ପ୍ରକାଶ ଯେ ବଇଁଚବଣିଆ ଛକରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣଙ୍କ ରାସ୍ତା ପାର ହେଉଥିବା ବେଳେ ସୁମନ ବାଇକ୍ (ଓଡି୦୭ ଏଡବ୍ଳ୍ୟୁ ୧୬୭୭) ଯୋଗେ ଶ୍ୟାମଳାଇ ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଆସି ବଇଁଚବଣିଆ ଛକରେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ (୭୫)ଙ୍କୁ ଧକ୍କା ଦେଇଥିଲେ।‌ ଆହତ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସାନ୍ତ ପଟ୍ଟନାୟକଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ଦାବି ହୋଇଛି । 
ରିପୋର୍ଟ:-ରଜତ ପଟ୍ଟନାୟକ