

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମ୍ମର ଗାଁରେ ଅତି ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଏନେଇ ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ ତାଙ୍କ ଷ୍ଟାଫଙ୍କ ସହ ସେଠାକୁ ଯାଇ ତଦନ୍ତ କରିଥିଲେ । ସୂଚନା ଅନୁଯାୟୀ ହୁମ୍ମର ଗାଁ ଜୟଦୁର୍ଗା ମନ୍ଦିର ଠାରୁ ଦୁର୍ଗା ଘାଇ ଶଙ୍ଖ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ଏହି ୯୨ ମିଟର କଂକ୍ରିଟ ରାସ୍ତା ପାଇଁ ଗତ ଆର୍ଥିକ ବର୍ଷରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ନିମ୍ନମାନର କାମ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିବା ପରେ ବର୍ଷା ହେଉଥିବା ସତ୍ତ୍ୱେ ବିଡିଓ ଗାଁରେ ପହଞ୍ଚି ଶ୍ରମିକମାନଙ୍କ ଦ୍ୱାରା ରାସ୍ତାର ଗୋଟିଏ ସ୍ଥାନ ଖୋଳି ତଦନ୍ତ କରିଥିଲେ । ରାସ୍ତା ଖୋଳି ତଦନ୍ତ କରିବା ପରେ ନିମ୍ନମାନର କାମ କରାଯାଇଥିବା ସ୍ପଷ୍ଠ ଜଣାପଡିଥିଲା । ଏହି ତଦନ୍ତ ବେଳେ ଯନ୍ତ୍ରୀ ଜୟଶେନ ବେହେରା ଉପସ୍ଥିତ ଥିଲେ । ଯୋଜନାର ଗାଇଡଲାଇନ ଅନୁଯାୟୀ ରାସ୍ତା ନିର୍ମାଣ ହୋଇ ନଥିବାରୁ ୩ ଇଞ୍ଚ କଂକ୍ରିଟ ପକାଇ ରାସ୍ତା କାମ ତୁରନ୍ତ ସାରିବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
