କଟକ (ସମୃଦ୍ଧ ଓଡିଶା) ଅଗ୍ରଣି ସ୍ୱେଚ୍ଛାସେବୀ ଅନୁଷ୍ଠାନ ହ୍ୟୁମାନିଟିର ସଦସ୍ୟମାନେ ଲକଡାଉନ ଯୋଗୁଁ ଅଭାବ ଅନଟନରେ ବଞ୍ଚି ଆସୁଥିବା ଦିନମଜୁରିଆ, ଗରିବ, ଖଟିଖିଆ ମାନଙ୍କୁ ବିଭିନ୍ନ ଖାଦ୍ୟ ପଦାର୍ଥ ଦାନ କରିଛନ୍ତି । ଅନୁଷ୍ଠାନର ସଦସ୍ୟ ସନ୍ଦୀପ ବିଶ୍ୱାଳଙ୍କ ଆଜି ବିବାହ ଦିବସ ଯୋଗୁଁ ସେ ୨ ବସ୍ତା ଚୁଡା ୨ ପେଟି ବିସ୍କୁଟ ଓ ଚିନି ବଣ୍ଟନ କରିଥିଲେ । ଏହାସହ ସଂଗଠନର ନୁର ଓ ଗଗନ ମଧ୍ୟ ଡାଲି ଆଳୁ କିଛି ରାସନ ସାମଗ୍ରୀ ପକେଟ କରି ମଞ୍ଚେଶ୍ୱରର ରେଳ ଧାରଣ ସାଇଡରେ ରହୁଥିବା ୧୭୦ ଅଭାବୀ ପରିବାରକୁ ବଣ୍ଟନ କରିଥିଲେ । କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଯୋଗୁଁ ସାରା ବିଶ୍ୱରେ ଲକଡାଉନ ଜାରି କରାଯାଇଥିବାରୁ ଅନେକ ପରିବାର ଜୀବିକା ହରାଇ ଉପାର୍ଜନ ନ ଥିବାରୁ ଘରେ ବସି ଅଭାବ ଅନଟନରେ ରହିଛନ୍ତି । ଦିନ ମଜୁରୀଆ ଓ ଖଟିଖିଆ ଶ୍ରମିକ ମାନେ ଘର ଘର ବୁଲି ଅନ୍ୟର କାମ କରି ଦୁଇ ପଇସା ଉପାର୍ଜନ କରି ପେଟ ପୋଷଣ କରି ଆସୁଥିଲେ । ହଟାତ ଲକଡାଉନ ଯୋଗୁଁ ସେମାନଙ୍କ ଉପାର୍ଜନ ବନ୍ଦ ହୋଇଯାଇଛି ।ପୁଣି ଦିନେ ନୁହେଁ କି ଓଳିଏ ନୁହେଁ ଦେଖୁ ଦେଖୁ ମାସେ ବିତି ଗଲାଣି । ଆହୁରି ଆଗକୁ କଣ ହେବ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସେମାନେ କିଛି ଖାଇବାକୁ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ଛୋଟ ବଡ ସାହାଯ୍ୟ ସହଯୋଗ କରୁଥିବାରୁ କିଛି ଲୋକ ଦୁଇ ମୁଠା ଖାଇବାକୁ ପାଇପାରୁଛନ୍ତି । ହ୍ୟୁମାନିଟି ଟିମ ଏଭଳି ଅସହାୟ ମାନଙ୍କୁ ସାହାର୍ଯ୍ୟ କରିବାକୁ ଉଦ୍ୟମ ଜାରି ରଖିଥିବାରୁ ବୁଦ୍ଧିଜୀବୀ ମହଲରେ ସେମାନଙ୍କୁ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ