ୟୁପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଭିଡିଓ ପ୍ରସାରଣ କରି ସାମ୍ୱାଦିକ ଗିରଫ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଏକ ଘରୋଇ ଟିଭି ଚ୍ୟାନେଲରେ ଏକ ବିବାଦୀୟ ଓ ସମ୍ମାନହାନି କଲା ଭଳି ଭିଡିଓ ପ୍ରସାରଣ କରି ସମ୍ପୃକ୍ତ ଟିଭି ଚ୍ୟାନେଲ ‘ନ୍ୟାଶନାଲ ଲାଇଭ’ର ମାଲିକ, ସମ୍ପାଦକ ଓ ସାମ୍ୱାଦିକ ଗିରଫ ହୋଇଛନ୍ତି । ପ୍ରଶାନ୍ତ ଜଗଦୀଶ କନୋଜିଆ ଷ୍ଟ୍ରିଞ୍ଜର-ରିପୋର୍ଟର ଭାବରେ ଏହି ଚ୍ୟାନେଲରେ କାମ କରୁଥିଲେ ବୋଲି ଜଣାପଡିଛି । ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ପ୍ରଶାନ୍ତ ଜଗଦୀଶ ଗତ ଜୁନ ୬ ତାରିଖ ଦିନ ଏହି ଚ୍ୟାନେଲର ଡିବେଟ କାର୍ଯ୍ୟକ୍ରମରେ ଏହି ଭିଡିଓକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ସମ୍ମାନହାନି କଲା ଭଳି ମନ୍ତବ୍ୟ ରଖିଥିଲେ । ଏହାପରେ ଲକ୍ଷ୍ନୌର ଜଣେ ପୋଲିସ କର୍ମୀ ସେହି ଭିଡିଓର ପ୍ରଦର୍ଶନ ବିରୋଧରେ ଥାନାରେ ଏତଲା ଦେବା ପରେ ସାମ୍ୱାଦିକ ପ୍ରଶାନ୍ତ ଜଗଦୀଶଙ୍କୁ ଦିଲ୍ଲୀର ପଶ୍ଚିମ ବିନୋଦ ନଗର ଅଞ୍ଚଳରୁ ପୁଲିସ ଗିରଫ କରିଛି । ଏଥିସହ ଚ୍ୟାନେଲର ମାଲିକ ଇଶିକା ସିଂହ ଏବଂ ସମ୍ପାଦକ ଅନୁଜ ଶୁକ୍ଳା ମଧ୍ୟ ଗତକାଲି ଗିରଫ ହୋଇଛନ୍ତି । ଭିଡିଓ ବାବଦରେ ଯାଞ୍ଚ ବା ତଦନ୍ତ ନ କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏପରି ଖବର ପ୍ରସାରଣ କରିଥିବାରୁ ପୋଲିସ ଏମାନଙ୍କୁ ଗିରଫ କରିଛି । ତଦନ୍ତ ବେଳେ ସମ୍ପୃକ୍ତ ଚ୍ୟାନେଲର ପ୍ରସାରଣ ପାଇଁ ଆବଶ୍ୟକ ଲାଇସେନ୍ସ ନ ଥିବା ପୁଲିସ ଜାଣିବାକୁ ପାଇଛି । ବେଆଇନ ଭାବରେ ଏହି ଚ୍ୟାନେଲ ପ୍ରସାରଣ କରୁଥିବାରୁ ପୋଲିସ ଆଉ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।