

ପଦ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ସାରା ରାଜ୍ୟ ଦେଶ ଲଗ ଡାଉନ ଅବସ୍ଥାରେ ଥିବାରୁ ଆମ ରାଜ୍ୟରେ ଥିବା କଳାକାରମାନେ ନିଜର ଜୀବନ ଜୀବିକା ହରାଇ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ପରିପେକ୍ଷୀରେ ବରଗଡ଼ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଶାଖା ତରଫରୁ ସରକାରଙ୍କ ଠାରେ ୩ଟି ଦାବି ଉପସ୍ଥାପନ କରାଯାଇଥିଲା । ସେ ଗୁଡିକ ଥିଲା ସବୁ କଳାକାର ଭତ୍ତାଧାରି ମାନଙ୍କୁ ଅଗ୍ରିମ ୪ମାସର ଭତ୍ତା ପ୍ରଦାନ, ଭତ୍ତା ବାହାରେ ପଞ୍ଜିକୃତ ହୋଇଥିବା ସଂସ୍ଥାର କଳାକାର ମାନଙ୍କୁ ପଂଚାୟତ ସ୍ତରରେ ଚିହ୍ନଟ କରି ଆର୍ଥିକ ସହାୟତା ପ୍ରଦାନ, ସରକାରଙ୍କ ତରଫରୁ ଦିଆଯାଉଥିବା ମାଗଣା ଖାଦ୍ୟ ବ୍ୟବସ୍ଥା । ସରକାର ଉପରିସ୍ଥ ୩ଟି ଦାବି ମଧ୍ୟରୁ ପ୍ରଥମଟି ପୂରଣ କରି କଳାକାରଙ୍କ ମୁହଁରେ ହସ ଫୁଟାଇ ସହଯୋଗ କରିଥିବାରୁ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ବରଗଡ଼ ଶାଖା ତରଫରୁ ସଭାପତି ଲଳିତ ଜଗତ, ସଂପାଦକ ନବିନ କିଶୋର ତାଣ୍ଡି ପ୍ରମୁଖ କର୍ମକର୍ତ୍ତାମାନେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସହିତ ଏପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସରକାର ତଥା ପ୍ରଶାସନିକ ଅଧିକାରୀମାନେ ନିଜ ଜୀବନକୁ ପାଣି ଛଡାଇ କଠିନ ତଥା ଅକ୍ଲାନ୍ତ ପରିଶ୍ରମ କରି କରୋନା ଭାଇରସ ନିପାତ ପାଇଁ ଲଢେଇ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାକି ରହିଥିବା ପରବର୍ତ୍ତୀ ୨ଟି ଦାବିକୁ ମଧ୍ୟ ସରକାର ହୃଦୟର ସହିତ ବିଚାର କରି ଅନ୍ୟାନ୍ୟ ଦାବୀ ଗୁଡିକୁ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ସେମାନେ ଅନୁରୋଧ କରିଛନ୍ତି । ଏହି ପରିଷଦ ତରଫରୁ ଜନସାଧାରଣଙ୍କୁ ସେମାନେ ଘରୁ ବାହାରକୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି ଓ ସାମାଜିକ ଦୂରତା ରକ୍ଷା କରି ଚଳାଚଳ କରିବାକୁ ଅନୁରୋଧ କରିଛନ୍ତି । ସବୁବେଳେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତରେ ସାବୁନ ଲଗାଇ ଭଲକରି ହାତ ଧୋଇବାକୁ ଅନୁରୋଧ କରିବା ସହ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ସେମାନେ ନିବେଦନ କରିଛନ୍ତି । ଏହାହିଁ ହେଉଛି କରୋନା ଭାଇରସର ଏକ ମାତ୍ର ପ୍ରତିଷେଧକ ।
ରିପୋର୍ଟ – ନିରୋଜ କୁମାର ପାଣୀ
