ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅବକାରୀ ବିଭାଗ ଆଜି ଏକ ମାରୁତି ଅମ୍ନି ଭ୍ୟାନରେ ୧ହଜାର ଲିଟର ଚୋରା ଦେଶୀ ମଦ ଚାଲାଣ ହେଉଥିବା ବେଳେ ଚଢାଉ କରି ଧରିବାରେ ସଫଳ ହୋଇଛି । ପଶ୍ଚିମବଂଗରୁ ବ୍ୟାପକ ଚୋରାମଦ ଓଡିଶାକୁ ପ୍ରବେଶ କରୁଥିବାର ଜଣାଯିବାପରେ ଉଚ୍ଚକର୍ତ୍ତୃପକ୍ଷ ସ୍ଥାନୀୟ ଅବକାରୀ କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ । ପଶ୍ଚିମବଂଗର ଝାଡଗ୍ରାମ ଜିଲାର ନୟାଗ୍ରାମ ଥାନା ଛୋଟତେଲପଡା ଗାଁର ସୁରେଶ କିସ୍କୁ(୩୫) ଓ ସେଥିରେ ଥିବା ଡ୍ରାଇଭର ପଶ୍ଚିମବଂଗର ଆମ୍ବଲକରା ଗାଁର ଗୟାପ୍ରସାଦ ମହନ୍ତ (୪୦) ରାଇବଣିଆ ଥାନା ଅନ୍ତର୍ଗତ ଧାନଘେରି ଛକଠାରୁ ଗିରଫ କରିବାରେ ସଫଳ ହେବା ସଂଗେ ସଂଗେ ସେମାନଙ୍କ ନିକଟରୁ ୧୦୦୦ଲି ଦେଶୀମଦ ଜବତ୍ କରିଛନ୍ତି । ପଶ୍ଚିମବଂଗରୁ ରାଇବଣିଆ ରାସ୍ତାରେ ବ୍ୟାପକ ଦେଶୀମଦ ଆସୁଥିବାରୁ ଅବକାରୀ କର୍ତ୍ତୃପକ୍ଷ ଜାଣି ଜଳେଶ୍ୱର ଅଫିସକ୍ ଜଣାଇଥିବାରୁ ଭୋର ୫ଟାବେଳେ ଜଳେଶ୍ୱର ଅବକାରୀ ଓଆଇସି ହରପ୍ରସାଦ ରଣା, ଏଏସ୍ଆଇ ଦୋଳଗୋବିନ୍ଦ ଧଳ, କନେଷ୍ଟବଳ ରାଜୀବ କୁମାର ଭଂଜ ଓ ମଙ୍ଗଳ କୁମାର ସିଂ ଏହି ଚଢାଉରେ ସାମିଲ ଥିଲେ । ମାରୁତି ଅମ୍ନି ଭ୍ୟାନ୍ ଡବ୍ଲୁବି ୩୪ଏଆର୍୩୪୪୨ କୁ ଜବତ୍ କରିବା ସହିତ ସେଥିରେ ଥିବା ୧୦ଟି ଜରି ବ୍ୟାଗ୍ରୁ ମଦ ଗୁଡିକୁ ଜବତ୍ କରାଯାଇଥିଲା । କେସ୍ ନଂ ୪୦/୧୯ମୂଳେ ମାମଲା ରୁଜୁ ହୋଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା