ଭୁବନେଶ୍ବର(ସମୃଦ୍ଧଓଡିଶା) ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତାକୁ ନେଇ ଆରମ୍ଭ ହୋଇଯାଇଛି ତିନି ଦିବସୀୟ ଜାତୀୟସ୍ତରୀୟ କର୍ମଶାଳା । ପ୍ରଥମ ଦିନରେ ୧୦ ଟି ଗ୍ରୁପ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକଳାପ ଦ୍ବାରା ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଥିବା ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଛି । ଏନସିଇଆରଟିର ପ୍ରଫେସର ସୁନିତି ସାନୱାଲଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ପ୍ରାରମ୍ଭିକ ଓ ପ୍ରସ୍ତୁତି ପର୍ଯ୍ୟାୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଗ୍ରୁପ୍ ର ସଦସ୍ୟମାନେ ପ୍ରାରମ୍ଭିକ ପର୍ଯ୍ୟାୟକୁ କାର୍ଯ୍ୟକାରୀ କରିବା ପାଇଁ ସାମଗ୍ରୀର ଆବଶ୍ୟକତା ଏବଂ ଗୁରୁତ୍ୱ, ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀର ବିକାଶ, ପାଠ୍ୟପୁସ୍ତକର ପ୍ରାସଙ୍ଗିକୀକରଣ, ଶିକ୍ଷକଙ୍କ ତାଲିମ୍ ଯୋଜନା, ସାକ୍ଷରତା ଏବଂ ସଂଖ୍ୟାଜ୍ଞାନକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଏବଂ ଡିଜିଟାଲ୍ ହସ୍ତକ୍ଷେପ ବିଷୟରେ ଆଲୋଚନା କରିଥିଲେ । ପ୍ରଫେସର କେ. ବିଜୟନଙ୍କ ନେତୃତ୍ବରେ ମଧ୍ୟ ଓ ମାଧ୍ୟମିକ ପର୍ଯ୍ୟାୟ ସମ୍ପର୍କରେ ଆଲୋଚନା କରାଯାଇଛି । ପାଠ୍ୟପୁସ୍ତକରେ ବହୁଭାଷାର ସମନ୍ୱୟ, ପ୍ରତ୍ୟେକ ବିଷୟରେ ଓଡ଼ିଶା ସମ୍ବନ୍ଧକୁ ଗୁରୁତ୍ବ, ପାଠ୍ୟକ୍ରମ ବିକାଶ ପାଇଁ ସାରଣୀ ପ୍ରସ୍ତୁତି, ଶିକ୍ଷଣ ଫଳାଫଳ, ଅଭିମୁଖୀକରଣ, ଶିକ୍ଷକଙ୍କ ତାଲିମ ଓ ବିଭିନ୍ନ ଅଂଶୀଦାରଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏନସିଇଆରଟି ଡିନ୍ ରିସର୍ଚ୍ଚ ପ୍ରଫେସର ଦିନେଶ କୁମାରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ଏକ ରାଜ୍ୟ ପାଠ୍ୟକ୍ରମ ରୂପରେଖ ବିଷୟରେ ଆଲୋଚନା କରାଯାଇଥିଲା । ସୃଜନଶୀଳତାକୁ ପ୍ରାଧାନ୍ୟ ଦେଇ ସ୍ଥାନୀୟ ସମସ୍ୟାକୁ ବିଚାର କରି କୃତିମ ଜ୍ଞାନ, ମେସିନ୍ ଲର୍ଣ୍ଣିଂ, ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ଏନସିଇଆରଟି ର ଅନ୍ୟଜଣେ ପ୍ରଫେସର ଇନ୍ଦ୍ରାଣୀ ଭାଦୁରୀଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ରାଜ୍ୟର ସମସ୍ତ ଗ୍ରେଡ୍ ପାଇଁ ବର୍ତ୍ତମାନର ମୂଲ୍ୟାଙ୍କନ ଏବଂ ପରୀକ୍ଷା ପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଡାଏଟ୍ (DIET)ର ଅଂଶଗ୍ରହଣକାରୀମାନେ ରାଜ୍ୟରେ ହୋଲିଷ୍ଟିକ୍ ପ୍ରୋଗ୍ରେସ୍ କାର୍ଡ (HPC), ବିଭିନ୍ନ କାର୍ଯ୍ୟାନ୍ୱୟନ ସ୍ଥିତି ଉପରେ ଆଲୋକପାତ କରିଥିଲେ । ମୂଲ୍ୟାଙ୍କନ ଏବଂ ପରୀକ୍ଷା ପ୍ରଣାଳୀ ରୋଡମ୍ୟାପ୍ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏନସିଟିଇ (National Council of Teacher Education) ର ପ୍ରଫେସର ପଙ୍କଜ ଅରୋରା ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଓ ଶିକ୍ଷଣ ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଛନ୍ତି । ଅଂଶଗ୍ରହଣକାରୀମାନେ ଓଡ଼ିଶାରେ ବିଦ୍ୟାଳୟ ଏବଂ ଶିକ୍ଷକ ମାନଙ୍କର ଶିକ୍ଷା ସମ୍ପର୍କରେ ସମୀକ୍ଷା କରିଥିଲେ । ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକୁ ଚିହ୍ନଟ କରି ବ୍ୟବସ୍ଥାଗତ ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ପ୍ରଫେସର ଭି. ଏସ୍ ମେହରୋତ୍ରା ମୁଖ୍ୟତଃ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦେଇଥିଲେ । ଏହାସହିତ ଶ୍ରେଣୀଗୃହରେ ଶିକ୍ଷାକୁ ସହଜ କରିବା ଏବଂ ଛାତ୍ରଙ୍କ ବୋଧଗମ୍ୟତାକୁ ବୃଦ୍ଧି କରିବା ପାଇଁ ହ୍ୟାଣ୍ଡବୁକ୍ ଏବଂ ପାଠ୍ୟପୁସ୍ତକ ଭଳି ଶିକ୍ଷାଦାନ ସାମଗ୍ରୀ ଯୋଗାଇବା ଆଦି ବିଷୟବସ୍ତୁ ଆଲୋଚନାରେ ସାମିଲ୍ ଥିଲା । ଛାତ୍ରଙ୍କ ନିଯୁକ୍ତି କ୍ଷମତାକୁ ଉନ୍ନତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାକୁ ଧ୍ୟାନ ଦିଆଯିବା ନେଇ ଆଲୋଚନା କରାଯାଇଛି । ଏହି ଯୋଜନାରେ ଶିକ୍ଷକମାନଙ୍କ ତାଲିମ୍ ମଧ୍ୟ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ଭି. ଏସ୍ ମେହରୋତ୍ରା ମତବ୍ୟକ୍ତ କରିଛନ୍ତି । ଏକଷ୍ଟେପ୍ ର ପ୍ରତିଷ୍ଠାତା ଶ୍ରୀ ଶଙ୍କର ମାରୱାଡା ଏବଂ ଆରଆଇଇ, ଭୁବନେଶ୍ବର (RIE)ର ପ୍ରଫେସର ଆର୍. ମୋହାଲିକ୍ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ପାଠ୍ୟକ୍ରମ ବିଷୟରେ ଆଲୋଚନା କରି ଶିକ୍ଷା କ୍ଷେତ୍ରରେ ଏହାର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ । ଏନଆଇପିଏ (National Institute of Educational Planning and Administration ) ପ୍ରଫେସର ଶଶିକଳା ୱଞ୍ଜାରୀ ସ୍କୁଲ୍ ଗଭର୍ଣ୍ଣାନ୍ସ ଓ ଶିକ୍ଷା ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ । ଅନ୍ତର୍ଭୁକ୍ତ ପରିଚାଳନା, ସମ୍ପ୍ରଦାୟ ସମ୍ପୃକ୍ତି, ଉତ୍ତମ ଶାରୀରିକ ଓ ମାନସିକ ପରିବେଶ ଗଠନ ଏବଂ ଘରୋଇ ବନାମ ସରକାରୀ ବିଦ୍ୟାଳୟ ଆଦି ବିଷୟବସ୍ତୁ ଉପରେ ଧ୍ୟାନ ଦେଇ ସମ୍ପୃକ୍ତ ଅଞ୍ଚଳର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧକୁ ନେଇ ସ୍ୱଚ୍ଛ ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥା ପ୍ରତିଷ୍ଠା ଉପରେ ଆଲୋଚନା କରିଛନ୍ତି । ଏନସିଇଆରଟିର ପ୍ରଫେସର ରଞ୍ଜନ ଅରୋରା ଉପସ୍ଥିତ ରହି ଭିତ୍ତିଭୂମି ଏବଂ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖକୁ ଏକ ୧୦୦-୧୫୦ ପୃଷ୍ଠାର ଡକ୍ୟୁମେଣ୍ଟରେ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ଓଡ଼ିଶାର ଦୃଷ୍ଟିକୋଣ ଏବଂ ପ୍ରସଙ୍ଗକୁ ଆଲୋକପାତ କରିବ । ସ୍କୁଲ ଶିକ୍ଷାର ଆହ୍ୱାନଗୁଡ଼ିକୁ ଚିହ୍ନଟ କରାଯିବା ଆବଶ୍ୟକ ରହିଛି ବୋଲି ସେ କହିବା ସହ ବିଶେଷକରି ଶିକ୍ଷାଦାନ ଏବଂ ଶିକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ଶେଷରେ ପ୍ରଫେସର ଉଷା ଶର୍ମାଙ୍କ ଅଧ୍ୟକ୍ଷତାରେ ମୋଟ୍ ନାମଲେଖା ଅନୁପାତକୁ ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଛି । ବିଦ୍ୟାଳୟ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ କିପରି ପୁଣି ଥରେ ବିଦ୍ୟାଳୟକୁ ଫେରାଇ ଅଣାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା । ମୁଖ୍ୟ ବିଷୟଗୁଡ଼ିକ ହେଉଛି ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଜାତୀୟ ପାଠ୍ୟକ୍ରମ ରୂପରେଖର ଦୃଷ୍ଟିକୋଣ ଏବଂ SDG ୪ ସହିତ ଏହାର ସମନ୍ୱୟ । ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତ ଏବଂ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ । ଏହି ଗ୍ରୁପ୍ କାର୍ଯ୍ୟକଳାପ ଆସନ୍ତା ଦୁଇ ଦିନ ଜାରି ରହିବ ।
ରିପୋର୍ଟ : ରଜତ ମହାପାତ୍ର ଓ ରୋଜାଲିନ ସାହୁ, ଲୋକସମ୍ପର୍କ ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ