ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦୈନିକ ବ୍ୟବହୃତ ଦିଆସିଲିର ଦାମ ୧୪ ବର୍ଷ ପରେ ପୁଣି ବୃଦ୍ଧି ହେବାକୁ ଯାଉଥିବା ଜଣାପଡିଛି । ଡିସେମ୍ବର ଠାରୁ ୧ଟଙ୍କାରେ ମିଳୁଥିବା ଦିଆସିଲି ପ୍ୟାକେଟ ପାଇଁ ଆପଣଙ୍କୁ ୨ଟଙ୍କା ଦେବାକୁ ପଡିବ । ଏନେଇ ଦେଶରେ ୫ଟି ପ୍ରମୁଖ ଦିଆସିଲି ଉଦ୍ୟେଗ ତରଫରୁ ନିଷ୍ପତ୍ତି ନିଆଯାଇଛି । ୨୦୦୭ ମସିହା ପୂର୍ବରୁ ଦିଆସିଲିର ଦାମ ୫୦ ପଇସା ପ୍ରତି ପ୍ୟାକେଟ ରହିଥିଲା । ୨୦୦୭ରେ ଦିଆସିଲି ଉଦ୍ୟେଗମାନେ ମିଳିତ ଭାବେ ଏହି ଦାମକୁ ୫୦ପଇସାରୁ ୧ଟଙ୍କାକୁ ବୃଦ୍ଧି କରିଥିଲେ । ହେଲେ ଗୁରୁବାର ଦିନ ଶିବକାଶୀ ଠାରେ ସର୍ବଭାରତୀୟ ଚେମ୍ବର ଅଫ୍ ମାଚିସ ବୈଠକରେ ନିଷ୍ପତ୍ତି ନିଆଯାଇଛି କି ଡିସେମ୍ବର ମାସ ଠାରୁ ପ୍ରତି ପ୍ୟାକେଟ ଦିଆସିଲିର ଦାମ ୨ଟଙ୍କାକୁ ବୃଦ୍ଧି କରାଯିବ । ଦିଆସିଲି ନିର୍ମାତା କମ୍ପାନୀମାନେ କହିଛନ୍ତି କି ଦିଆସିଲି ପ୍ରସ୍ତୁତ କରିବା ପାଇଁ ୧୦ ପ୍ରକାରର କଞ୍ଚାମାଲ ଆବଶ୍ୟକ ହୋଇଥାଏ । ହେଲେ ଏବେ କଞ୍ଚାମାଲର ଦର ବୃଦ୍ଧି ହୋଇଥିବାରୁ ୧ଟଙ୍କାରେ ଦିଆସିଲି ପ୍ୟାକେଟ ବିକିବା ସମ୍ଭବପର ନୁହେଁ । ନିର୍ମାତମାନେ କହିଛନ୍ତି କି ୧କିଲୋଗ୍ରାମ ଲାଲ ଫସଫରସର ଦାମ ୪୨୫ଟଙ୍କାରୁ ବୃଦ୍ଧିପାଇ ଏବେ ୮୧୦ ଟଙ୍କାରେ ପହଞ୍ଚିଛି । ସେହିଭଳି ମହମ ୫୮ଟଙ୍କାରୁ ୮୦ଟଙ୍କାକୁ ବୃଦ୍ଧି ପାଇଛି । ସାରା ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଦିଆସିଲି ଉଦ୍ୟୋଗ ଥିବା ବେଳେ ତାମିଲନାଡୁରେ କିନ୍ତୁ ସର୍ବାଧିକ ଦିଆସିଲି ଉଦ୍ୟୋଗ ରହିଛି । ଏକ ରିପୋର୍ଟ ମୁତାବକ ତାମିଲନାଡୁରେ ପାଖା ପାଖି ୪ ଲକ୍ଷ ଲୋକ ଦିଆସିଲି ଉଦ୍ୟୋଗରେ କାମ କରିଥାନ୍ତି । ସବୁଠାରୁ ବଡକଥା ଏହି କର୍ମଚାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ କର୍ମଚାରୀ ମହିଳା ଅଟନ୍ତି । ଦିଆସିଲିର ଦାମ ବୃଦ୍ଧି ହେଲେ କର୍ମଚାରୀମାନଙ୍କୁ ଭଲ ଦରମା ଦିଆଯାଇ ପାରିବ ବୋଲି ଆଶା କରାଯାଉଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା