୧୭ତମ ଓଡିଶା ବିଧାନସଭାର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଧାନସଭାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ବିଧାନସଭା ସଦସ୍ୟଙ୍କ ପାଇଁ ବିଧାନସଭା ତରଫରୁ ପ୍ରତି ନିର୍ବାଚନ ପର୍ଯ୍ୟାୟରେ ନିର୍ବାଚିତ ବିଧାୟକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ I ବିଧାନସଭାର କାର୍ଯ୍ୟଧାରା ଓ ତତ୍ ସଂପର୍କୀୟ ନିୟମ ତଥା ବ୍ୟବସ୍ଥାପକମାନଙ୍କ ଦାୟିତ୍ୱ, ଅଧିକାର ଓ ସ୍ୱାଧିକାର ସଂପର୍କରେ ଆଲୋଚନା ହୋଇଆସୁଅଛି I ଯାହାଫଳରେ ଜନସ୍ୱାର୍ଥ ସମ୍ବଳିତ ବିଷୟବସ୍ତୁ ଗୁଡିକୁ ଆଲୋଚନା ପାଇଁ ବିଧାନସଭାରେ ସଦସ୍ୟମାନେ ନିର୍ଦ୍ଦ୍ୱନ୍ଦରେ ଯୋଗଦାନ କରି ଜନହିତକର କାର୍ଯ୍ୟ ପାଇଁ ସ୍ୱର ଉତ୍ତୋଳନ କରିପାରୁଛନ୍ତି I ପ୍ରତ୍ୟେକ ସଦସ୍ୟ  ଆଇନ, ବିଭାଗୀୟ ଖର୍ଚ୍ଚଦାବୀ ଉପରେ ସକ୍ରିୟଭାବେ ଅଂଶ ଗ୍ରହଣ କରିପାରୁଛନ୍ତି ବୋଲି ବାଚସ୍ପତି ଶ୍ରୀମତି ସୁରମା ପାଢୀ ପ୍ରକାଶ କରିଛନ୍ତି I ଓଡିଶା ବିଧାନସଭା ପରିସରରେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୧୭ତମ ବିଧାନସଭାର ମାନ୍ୟବର ବିଧାୟକ / ବିଧାୟିକାମାନଙ୍କ ନିମନ୍ତେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ପ୍ରଥମ ଦିବସରେ ନିଜର ଅଭିଭାଷଣ ଅବସରରେ ବାଚସ୍ପତି କହିଲେ ଯେ, ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶାନ୍ତି, ସଂହତି ଓ ସୁଶାସନ ପ୍ରତିଷ୍ଠା ପାଇଁ ଗଣତନ୍ତ୍ର ମନ୍ଦିର ରୂପେ ପରିଚିତ ଏହି ବିଧାନସଭାକୁ ନିର୍ବାଚିତ ହୋଇଆସିଥିବା ମାନ୍ୟବର ସଦସ୍ୟମାନଙ୍କ ପାଇଁ ଏହି କର୍ମଶାଳା ନିଶ୍ଚିତରୂପେ ଶିକ୍ଷଣୀୟ ଓ ଉପାଦେୟ ହେବ ।  ଉକ୍ତ କର୍ମଶାଳାରେ ଗୃହର ବିଭିନ୍ନ ବୈଧାନିକ ପ୍ରକ୍ରିୟା, ବଜେଟ୍ ଉପସ୍ଥାପନ,ଗୃହର ପରଂପରା ଓ ଶିଷ୍ଟାଚାର, ଆଇନ ପ୍ରଣୟନ ପ୍ରକ୍ରିୟା ଇତ୍ୟାଦି ବହୁ ଶିକ୍ଷଣୀୟ ଅଟେ  ଯାହା କି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତମ ବିଧାୟକଭାବେ ନିଜକୁ ଗଢିତୋଳିବାରେ ସହାୟକ ହେବ I ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କହିଲେଯେ, ଆମ ସାମ୍ବିଧାନିକ ବ୍ୟବସ୍ଥାରେ ବାସ୍ତବ କ୍ଷମତାର ଅଧିକାରୀ ହେଉଛନ୍ତି ଆମ ଜନସାଧାରଣ I ଗଣତାନ୍ତ୍ରିକ ଶାସନ ପଦ୍ଧତିର ସଠିକ୍ କାର୍ଯ୍ୟକାରୀତା ହିଁ ଆମ ଦେଶକୁ ଉନ୍ନତି ପଥରେ ଅଗ୍ରସର କରାଇଚାଲିଛି I ଯାହାଫଳରେ ବିଶ୍ୱଦରବାରରେ ଆମ ଦେଶ ଓ ରାଜ୍ୟର ସମ୍ମାନ ବୃଦ୍ଧି ପାଇବାରେ ଲାଗିଛି I ସେହିପରି ଓଡିଆ ଅସ୍ମିତା ଓ ପରଂପରାକୁ ନେଇ ଆମ ଓଡିଶାକୁ ବିକଶିତ ଭାରତ ବର୍ଷର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢିତୋଳିବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି I ଏ କ୍ଷେତ୍ରରେ ଜନପ୍ରତିନିଧି ମାନଙ୍କର ଭୂମିକା ଗୁରୁତ୍ୱପୁର୍ଣ୍ଣ I କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ କହିଲେ ଯେ, ଗୃହର କାର୍ଯ୍ୟ କଳାପରେ ବିଧାୟକମାନଙ୍କର ସକ୍ରିୟ ଅଂଶ ଗ୍ରହଣ ରହିବା ଦରକାର I ରାଜନୀତିକ ଜୀବନରେ ଉତ୍ତଥାନ, ପତ୍ତନ ଲାଗିରହିଥାଏ I ଆମକୁ ଜୀବନରେ ସ୍ଥିର ପ୍ରଦର୍ଶନ ଦେବା ପାଇଁ ଚେଷ୍ଟା କରିବାକୁ ପଡିବ I ପରସ୍ପର ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ତଥା ନିଜ ନିଜର ଅନୁଭୁତିକୁ ବାଣ୍ଟିଲେ ସେଥିରୁ ବହୁତ କିଛି ଶିକ୍ଷଣୀୟ ଉପାଦାନ ମିଳିଥାଏ I ଆମକୁ ଗୃହର ବରିଷ୍ଠ ସଦସ୍ୟମାନଙ୍କୁ ସମ୍ମାନ ଓ ଗୁରୁତ୍ୱ ଦେବା ଆବଶ୍ୟକ I ଆମ ଦେଶରେ ଜନପ୍ରତିନିଧିମାନଙ୍କ ନିକଟରେ ବହୁ ଚାଲେଞ୍ଜ ରହିଥାଏ I ଜଣେ ଭଲ ସାଂସଦ, ବିଧାୟକ ହେବା ପାଇଁ ଗଭୀର ଅଧ୍ୟୟନ ଓ ଜ୍ଞାନ ଆହରଣର ଆବଶ୍ୟକତା ରହିଅଛି I ଭାରତୀୟ ସଂସଦର ସ୍ୱତନ୍ତ୍ର ଗରୀମା ରହିଛିI ଆମକୁ ସଂସଦ, ବିଧାନସଭାର କାର୍ଯ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ   ପଡିବ I ଏ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୁର୍ଣ୍ଣ I ଏହି ଅବସରରେ ନିଜର ବକ୍ତବ୍ୟ ଉପସ୍ଥାପନ କରି ମାନ୍ୟବର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋଟ୍ରୋନିକ୍ସ୍ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ କହିଲେ ଯେ, ଆମ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ହେଉଛି ଏକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା I ଯେଉଁମାନେ କି ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇ ପ୍ରତିନିଧିସ୍ୱରୁପ ଆସି ନିତୀନିୟମ ତଥା ଆଇନ ପ୍ରଣୟନ କରି ରାଷ୍ଟ୍ରରେ ଶାସନକୁ ନିୟନ୍ତ୍ରିତ କରିଥାନ୍ତି I ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ଜନସାଧାରଣଙ୍କ ଆଶା, ଭରଷା ଓ ଆସ୍ଥାକୁ ନିଜର ନିଷ୍ଠା, ସାଧୁତା ଓ ସେବା ମନୋଭାବ କର୍ମଦକ୍ଷତା ବଳରେ ଲୋକପ୍ରିୟତା ହେଉଛି ଏହି ପଦପଦବୀର ଉପଯୁକ୍ତ ଯୋଗ୍ୟତା I ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଉପସ୍ଥିତ ଥିବାବେଳେ, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ I ପରବର୍ତ୍ତୀ ପର୍ଯ୍ୟାୟରେ ଜାତୀୟ ଇ-ବିଧାନ ପ୍ରୟୋଗ ସଂପର୍କରେ ଆଲୋଚନା  ହୋଇଥିଲା I ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍.ଆଇ.ସି. ଓଡିଶାର ରାଜ୍ୟ ଇନଫରମେଟିକ ଅଫିସର ଡଃ. ଅଶୋକ କୁମାର ହୋତା, ନୂଆଦିଲ୍ଲୀସ୍ଥିତ ନେଭାର ମୁଖ୍ୟ ଶ୍ରୀ ସଂଜୀବ ପ୍ରମୁଖ ଏହି ପ୍ରୟୋଗ ମାଧ୍ୟମରେ ବିଧାନସଭାର କାର୍ଯ୍ୟ କିପରି ସହଜ, ସୁନ୍ଦର ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ I ନେଭାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୀବନ୍ତ ସଦନ, ଜୀବନ୍ତ ପ୍ରଜାତନ୍ତ୍ର I କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ I  ବିଧାୟକ ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବିଧାୟକମାନଙ୍କର ବିଶେଷ ଅଧିକାର ସଂପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା I ଏଥିରେ ଜନପ୍ରତିନିଧିମାନଙ୍କର ବିଶେଷ ଅଧିକାର ସଂପର୍କରେ ଆଲୋଚନା ହୋଇଥିଲା I ବିଧାୟିକା ଉପାସନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଲୋକସଭା ସଚିବାଳୟର ପୂର୍ବତନ ଯୁଗ୍ମ ସଚିବ ଶ୍ରୀ ରବିନ୍ଦ୍ର ଜାରମାଲା ଏହି ବିଷୟରେ ଆଲୋଚନା କରିଥିଲେ I ବିଧାୟକ ବାବୁସିଂଙ୍କ ଅଧ୍ୟକ୍ଷତାରେ ବଜେଟ୍ ପ୍ରସ୍ତୁତି ଓ ଉପସ୍ଥାପନ ସଂପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା I ଏଥିରେ ଲୋକସଭା ସଚିବାଳୟର ନିର୍ଦ୍ଦେଶକ ବଜେଟ୍ ଉପସ୍ଥାପନ ସଂପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ I ବିଧାୟକ ମାନସ ରଂଜନ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ I ବିଧାୟକ ଶ୍ରୀ ରଘୁନାଥ ଜଗଦ୍ଦଳାଙ୍କ ଅଧ୍ୟକ୍ଷତାରେ ବିଧାୟକମାନଙ୍କର ପ୍ରଶ୍ନ ଉପସ୍ଥାପନ ସଂପର୍କରେ ଆଲୋଚନା ହୋଇଥିଲା I ଲୋକସଭା ସଚିବାଳୟର ପୂର୍ବତନ ଯୁଗ୍ମସଚିବ ଶ୍ରୀ ବିନୟ କୁମାର ମୋହନ ଏ ସଂପର୍କରେ ବିଶଦ ଆଲୋଚନା କରିଥିବାବେଳେ ବିଧାୟକ ଗୌରୀଶଙ୍କର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ :ରଜତ ମହାପାତ୍ର