୧୭, ୧୮ କବିସୂର୍ଯ୍ୟନଗରରେ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରୋତ୍ତୋଳନରେ ଗଞ୍ଜାମ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି । ଜାତୀୟ ଓ ଆନ୍ତର୍ଜାତୀୟ ଭାରୋତ୍ତୋଲନ ପ୍ରତିଯୋଗିତାରେ ସୁନାମ ଅର୍ଜନ କରି ଗଞ୍ଜାମ ଜିଲ୍ଲାର ବିଜୟ ଶତପଥୀ, କେ. ରବି କୁମାର, ଜୟନ୍ତୀ ଦେବୀଙ୍କ ଭଳି ଶତାଧିକ ପ୍ରତିଯୋଗୀ ଜିଲ୍ଲା ଓ ରାଜ୍ୟକୁ ଗୌରଵାନ୍ଵିତ କରିପାରିଛନ୍ତି । ଏହି ପ୍ରକ୍ରିୟାକୁ କ୍ରିୟାଶୀଳ ଏବଂ ଜାରୀ ରଖିବା ପାଇଁ ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘ ପକ୍ଷରୁ ଗ୍ରୀଷ୍ମକାଳୀନ ଓ ଶୀତକାଳୀନ ଶିବିର ଆୟୋଜନ କରି ଲଗାତାର ଉଦ୍ୟମ କରି ଆସୁଛି ଏବଂ ଶିକ୍ଷାର୍ଥୀମାନଙ୍କୁ ପୁଷ୍ଟିକର ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ଇତିମଧ୍ୟରେ ଶତାଧିକ ଭାରୋତ୍ତୋଳନକାରୀଙ୍କୁ ତାଲିମ ଦେବା ସହ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବକ ଯୁବତୀମାନଙ୍କୁ ସାମିଲ କରି ଆସୁଛି । ତେଣୁ ଜିଲ୍ଲାର କବିସୂର୍ଯ୍ୟନଗର ଠାରେ ନଭେମ୍ବର ୧୭ ଓ ୧୮ ତାରିଖ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲାର ଐତିହାସିକ ସହର କବିସୂର୍ଯ୍ୟନଗର ସ୍ଥିତ କବିସୂର୍ଯ୍ୟ ବଳଦେବ ରଥ ମହାବିଦ୍ୟାଳୟ ଖେଳ ପଡିଆରେ ରାଜ୍ୟସ୍ତରୀୟ ଭାରୋତ୍ତୋଲନ ପ୍ରତିଯୋଗିତା ଗଞ୍ଜାମ ଜିଲ୍ଲା ସଂଘ ପକ୍ଷରୁ ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତାରେ ୧୭ଟି ଜିଲ୍ଲାର ପ୍ରାୟ ୨୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବା ସହ ବହୁ ସୁନାମଧନ୍ୟ କୋଚ, ରେଫରୀ, ମ୍ୟାନେଜରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତିନିଦିନ ଧରି ସମସ୍ତ ପ୍ରତିନିଧିମାନଙ୍କ ରହିବା, ଖାଇବା ବ୍ୟବସ୍ଥା କରାଯିବା ସହ ଏକ ଆକର୍ଷଣୀୟ ସ୍ମରଣୀୟ ପ୍ରକାଶନ କରିବା ନିଷ୍ପତି ହୋଇଛି । ଏହି ଅବସରରେ ଭାରୋତ୍ତୋଳନ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ରଖି ଆସିଥିବା ବହୁ ବରିଷ୍ଠ ଭାରୋତ୍ତୋଳକମାନଙ୍କୁ ସମ୍ମାନିତ କରାଯିବାକୁ ସ୍ଥିରୀକୃତ ହୋଇଛି । ଏହାର ସଫଳତା ପାଇଁ ଲୋକପ୍ରିୟ ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସମିତି ଗଠନ କରାଯାଇଥିବା ବେଳେ ମୁଖ୍ୟ ପୃଷ୍ଠପୋଷକ ଭାବେ ରାଜ୍ୟ ଭାରୋତ୍ତୋଳନ ସଂଗଠନର ଉପସଭାପତି ତଥା ଜିଲ୍ଲା ସଭାପତି କୁମୁଦ ଚନ୍ଦ୍ର ସାହୁ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ଏହାର ସଫଳତା ପାଇଁ ଆପଣମାନଙ୍କ ସାହାଯ୍ୟ ଓ ସହଯୋଗ ଏକାନ୍ତ କାମ୍ୟ । ସ୍ଥାନୀୟ କମାପଲ୍ଲୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସଂଗଠନର ସମ୍ପାଦକ ନାରାୟଣ ସାହୁ, ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି କୁମୁଦ ଚନ୍ଦ୍ର ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ଦାଶ, ଜିଲ୍ଲା ସମ୍ପାଦକ ଗାଗାରିନ ନାୟକ, ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ରବି ରଥ, ବରିଷ୍ଠ କୋଚ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, କୋଚ ସୀତା ପ୍ରସାଦ ପଟ୍ଟନାୟକଙ୍କ ସମେତ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ରବି ରଥ