ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୧୯ ବର୍ଷର ସରକାରରେ ବିଧାନସଭାର ଶେଷ ଦିନରେ ଆଜି ବିଜୁ ଜନତା ଦଳର ରାଜ୍ୟର ଯୁବକ ଯୁବତୀମାନଙ୍କ ନିଯୁକ୍ତି କଥା ମନେପଡିଲା । ୧୯ ବର୍ଷରେ ରାଜ୍ୟ ସରକାର ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେଇପାରିଲେ ନାହିଁ । ବେକାର ଯୁବକ ଯୁବତୀମାନେ ଆଜି ରାଜରାସ୍ତାରେ ଆସି ନିଯୁକ୍ତି ପାଇଁ ଜବାବ ମାଗିଲେଣି । ଗତକାଲିର ଯୁବମୋର୍ଚ୍ଚାର ବିକ୍ଷୋଭରେ ସରକାରଙ୍କର ନିଦ ଭାଙ୍ଗିଛି । ୧୯ ବର୍ଷରେ କେତେ ନିଯୁକ୍ତି ରାଜ୍ୟ ସରକାର ଦେଇଛନ୍ତି ତାହାର ହିସାବ ନଦେଇ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ବିଜୁ ଜନତା ଦଳର ଆଉ ଏକ ସୁଆଙ୍ଗ ବୋଲି କହିଛନ୍ତି ବିଜେପି ବିଧାୟକ ରବି ନାୟକ । ଶ୍ରୀ ନାୟକ କହିଛନ୍ତି ଗତକାଲି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମୋଦି ସରକାର ଆସିବା ପରେ କେତେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି ତାହାର ତଥ୍ୟ ଦେଇଛନ୍ତି । କେବଳ ୨୦୧୮-୧୯ ବର୍ଷରେ ଦେଶରେ ୧ କୋଟି ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୃଷ୍ଟି ହୋଇଛି । ସେଥିରୁ ୪୫ ଲକ୍ଷ ହେଉଛି ଅର୍ଗାନାଇଜଡ ସେକ୍ଟରରେ । ଏହାର ପୁରା ତଥ୍ୟଗତ ପ୍ରମାଣ ସହ ପ୍ରଧାନମନ୍ତ୍ରୀ ପୁରା ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି । ହେଲେ ଓଡିଶା ବିଧାନସଭାରେ ରାଜ୍ୟ ସରକାର ରାଜ୍ୟରେ ସମୁଦାୟ କେତେ ନିଯୁକ୍ତି ଓଡିଆ ପିଲାମାନଙ୍କୁ ଦେଇଛନ୍ତି ସେ ବିଷୟରେ କହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସତସାହସ ନାହିଁ । ବିଧାନସଭାରେ ସରକାର ଉତର ଦେଇଛନ୍ତି ଯେ ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ନିଯୁକ୍ତି ମିଳିଛି ମାତ୍ର ୨୬,୪୫୦ ଜଣଙ୍କୁ । ନିଯୁକ୍ତି ହାର ମାତ୍ର ୧% । ଏ ବିଷୟ ତଥ୍ୟ ଓଡିଶାବାସୀଙ୍କ ସାମନାକୁ ଆସିବା ପରେ ପଦାରେ ପଡିିଥିବା ନିଜର ଅପାରଗତାକୁ ଢାଙ୍କିବା ପାଇଁ ବିଜୁ ଜନତା ଦଳର ବିଧାୟକମାନେ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । ୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାର କୋଟିର ପୁଜିଂ ନିବେଶ ସହ ୩ ଲକ୍ଷ ଶିଳ୍ପ ଭିତିକ ନିଯୁକ୍ତିର ପ୍ରତିଶୃତିର ଅଗ୍ରଗତି କେତେ ବାଟ ଯାଇଛି ? ଡେରାଶରେ ସାମୁଦ୍ରିକ ଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଜାଂମରେ ସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ଫୁଡ ପାର୍କ, ରାୟଗଡା ଓ ଅନୁଗୁଳରେ ଆଲୁମିନିୟମ ପାର୍କର କାମର ସ୍ଥିତି ଏବେ କଣ ଓଡିଶା କନକ୍ଲେଭରେ କେତେ ଟଙ୍କାର ପୁଂଜି ନିବେଶ ହେଲାଣି ତାହାର ତଥ୍ୟ ସରକାର କାହିଁକି ଦେଉନାହାନ୍ତି ? ନୁଆ ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତି ଯୋଗାଇବା ପ୍ରସଙ୍ଗରେ ବି ରାଜ୍ୟ ସରକାର ଫେଲ । ନୁଆ ବ୍ୟବସାୟ ସ୍ଥାପନା କରିବା ପାଇଁ ଓଡିଶା ସରକାର ଘରୋଇ କମ୍ପାନୀ ମାନଙ୍କର ଆସ୍ଥାଭାଜନ ହୋଇପାରୁନାହିଁ । ବିଶ୍ୱବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ର୍ୟାଙ୍କରେ କ୍ରମାଗତ ଭାବେ ଖସୁଛି ଓଡିଶା ।୨୦୧୫ରେ ଦେଶରେ ୭ମ ସ୍ଥାନରେ ଥିବା ବେଳେ ୨୦୧୬ରେ ଏହା ଖସି ୧୧ତମ ସ୍ଥାନକୁ ଆସିଥିବାବେଳେ ୨୦୧୭ରେ ଏହା ଆହୁରି ଖସି ୧୪ତମ ସ୍ଥାନକୁ ଖସି ଗଲାଣି । ରାଜ୍ୟରେ ଯୁବକ ବେକାରୀ ସମସ୍ୟାରେ ଜର୍ଜରିତ ଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରମୁଖ ଭୂମିକା ରଖୁଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଶୋଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର