

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ୨୨ତମ ପୂର୍ବାଞ୍ଚଳ ସିନିୟର ଖୋଖୋ ଚାମ୍ପିୟାନସିପରେ ଉଭୟ ଓଡିଶା ମହିଳା ଓ ପୁରୁଷ ଟିମ ଚମ୍ପିୟାନ ହୋଇଛନ୍ତି । ଗତ ରବିବାର ମହିଳା ବର୍ଗରେ ପ୍ରଥମ ସେମିଫାଇନାଲରେ ଓଡିଶା ୧୭-୨ ପଏଣ୍ଟରେ ଝାଡ଼ଖଣ୍ଡ ଟିମକୁ ଓ ଦ୍ଵିତୀୟ ସେମିଫାଇନାଲରେ ପଶ୍ଚିମବଙ୍ଗ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ ପଶ୍ଚିମବଙ୍ଗକୁ ୧୧-୭ ପଏଣ୍ଟରେ ହରାଇ ଓଡିଶା ଟିମ ଚମ୍ପିୟାନ ହୋଇଛି । ସେହିପରି ପୁରୁଷ ବର୍ଗରେ ପ୍ରଥମ ସେମିଫାଇନାଲରେ ପଶ୍ଚିମବଙ୍ଗ ୧୪-୧୦ ପଏଣ୍ଟରେ ଝାଡ଼ଖଣ୍ଡ ଟିମକୁ ଓ ଦ୍ଵିତୀୟ ସେମିଫାଇନାଲରେ ଓଡିଶା ଟିମ ୧୯-୪ ପଏଣ୍ଟରେ ମଣିପୁର ଟିମକୁ ହରାଇ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚରେ ଓଡିଶା ୨୩-୧୭ ପଏଣ୍ଟରେ ପଶ୍ଚିମବଙ୍ଗକୁ ହରାଇ ଚମ୍ପିୟାନ ହୋଇଛି । ପୁରୁଷ ବର୍ଗରେ ଓଡିଶା ୨୫ ବର୍ଷ ପରେ ଚମ୍ପିୟାନ ହୋଇଛି । ପୁରସ୍କାର ବିତରଣୀ ଉତ୍ସବରେ ଜାତୀୟ ଖୋ ଖୋ ସଂଘର ସାଧାରଣ ସମ୍ପାଦକ ମହେନ୍ଦ୍ର ସିଂ ତ୍ୟାଗୀ, ମଧ୍ୟପ୍ରଦେଶ ସଂଘର ସମ୍ପାଦକ ସଞ୍ଜୟ ଯାଦବ, ପୂର୍ବାଞ୍ଚଳ ଜୋନର ସମ୍ପାଦକ ମଧୁସୂଦନ, ଓଡିଶା ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଗଞ୍ଜାମଜିଲ୍ଲା ଆଥଲେଟିକ ଆସୋସିଏଶନର ସମ୍ପାଦକ ଅଶୋକ ସାହୁ, ଛତ୍ରପୁର ଖୋ ଖୋ ସଂଘର ସଭାନେତ୍ରୀ ସୁବର୍ଣ୍ଣମାଳା ବିଷୋୟୀ ଯୋଗ ଦେଇଥିଲେ । ଶେଷରେ ଛତ୍ରପୁର ସରସ୍ୱତୀ ଶିଶୁ ମନ୍ଦିରର କୁନି କୁନି ପିଲାମାନେ ନାଚ ଗୀତ ପ୍ରଦର୍ଶିତ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



