୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବାୟୁ ପ୍ରତିରକ୍ଷା କଲେଜର ନୈାବାହିନୀ ସହିତ ସୈାହାର୍ଦ୍ଧ୍ୟପୂର୍ଣ୍ଣ ଜଳଯାତ୍ରା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ସ୍ଥିତ ବାୟୁ ପ୍ରତିରକ୍ଷା କଲେଜର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତିରକ୍ଷା କଲେଜର ଯବାନ୍ ଓ ନୈାବାହିନୀର ଯବାନ୍ ମିଳିତ ଭାବେ ସୈାହାର୍ଦ୍ଧ୍ୟପୂର୍ଣ୍ଣ ଜଳଯାତ୍ରା ଆରମ୍ଭ ହୋଇଯାଇଛି । ବାୟୁ ପ୍ରତିରକ୍ଷା କଲେଜ ମୁଖ୍ୟ ଲେଫଟ୍ନାଣ୍ଟ ଜେନେରାଲ ସତୀନ୍ଦର ସିଂ (ଅତି ବିଶିଷ୍ଟ ସେବା ମେଡାଲ) ଏହାକୁ ଗୋପାଳପୁର ବନ୍ଦରରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଜଳପୋତ ବଙ୍ଗୋପସାଗରରେ ୪୮୪କି.ମି ଦୀର୍ଘ ଜଳଯାତ୍ରା କରିବ । ଏହି ଅବସରରେ ଲେଫଟନାଣ୍ଟ ଜେନେରାଲ ସିଂହ ଉଭୟ ବାହିନୀର ଯବାନମାନଙ୍କୁ ସଦିଚ୍ଛା ଜ୍ଞାପନ କରିବା ସହିତ ଏହି ପ୍ରକାର ମିଳିତ ଜଳଯାତ୍ରା ବାୟୁ ପ୍ରତିରକ୍ଷା ଓ ନୈାବାହିନୀ ଯବାନମାନଙ୍କ ମଧ୍ୟରେ ବନ୍ଧୁତା ଓ ଭ୍ରାତୃ ଭାବ ପ୍ରତିଷ୍ଠା କରିବ ବୋଲି କହିଥିଲେ । ଏହି ଜଳଯାତ୍ରାରେ ବାୟୁ ପ୍ରତିରକ୍ଷା ବାହିନୀର ଜଣେ ଅଧିକାରୀ, ନୈାବାହିନୀର ଜଣେ ଅଧିକାରୀ, ବାୟୁ ପ୍ରତିରକ୍ଷା କଲେଜର ଅନ୍ୟ ତିନିଜଣ ବିଭିନ୍ନ ସ୍ତରର ଅଧିକାରୀ ଓ ଦୁଇଜଣ ନାବିକ ଅଂଶ ଗ୍ରହଣ କରିଛନ୍ତି । ପ୍ରାରମ୍ଭରେ ଏହି ଜଳଯାତ୍ରା ଜାନୁୟାରୀ ୬ତାରିଖରେ ବିଶାଖପାଟଣାରୁ ଆରମ୍ଭ ହୋଇଥିଲା ଏବଂ ନୈାବାହିନୀ ଉପମୁଖ୍ୟ ଏମ୍.ଏସ୍. ପାୱାର (ଅତି ବିଶିଷ୍ଟ ସେବା ମେଡାଲ) ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ । ଗୋପାଳପୁର ବନ୍ଦରରେ ଏହାକୁ ସ୍ୱାଗତ କରାଯାଇଥିଲା । ଏହାପରେ ବିଶାଖପାଟଣାକୁ ପ୍ରତ୍ୟାଗମନ ଯାତ୍ର କରିଥିଲେ । ଜାନୁୟାରୀ ୧୪ତାରିଖରେ ଜଳଯାତ୍ରୀମାନେ ବିଶାଖପାଟଣାରେ ପହଞ୍ଚି ଦୀର୍ଘଯାତ୍ରାର ପରିସମାପ୍ତି କରିବେ । ୧୯୯୪ମସିହା ଜାନୁୟାରୀ ୧୦ତାରିଖରେ ଏହି ବାୟୁ ପ୍ରତିରକ୍ଷା କଲେଜ ଆରମ୍ଭ ହୋଇଥିଲା ଏବଂ ଆଜିଏହା ୨୫ବର୍ଷ ମଧ୍ୟରେ ବୃହତ୍ କଳେବର ଧାରଣ କରି ଅନେକ ସୁନାମ ଅଧିକାର କରିପାରିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା