୨୫ ତାରିଖରେ ମତଦାନକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ :୧୯୨୩ ବୁଥ୍‌ରେ ମତଦାନ କରିବେ ୧୯ ଲକ୍ଷ ମତଦାତା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଏ ମର୍ମରେ ଭୁବନେଶ୍ୱର ସ୍ଥିତ ସର୍କିଟ୍‌ ହାଉସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଚଞ୍ଚଳ ରାଣା କହିଛନ୍ତି ଯେ ଆସନ୍ତା ୨୩ ତାରିଖରେ ଜୟଦେବ, ଜଟଣୀ, ବେଗୁନିଆ ଓ ଚିଲିକା ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଯାତ୍ରା କରିବେ । ସେହିଭଳି ୨୪ ତାରିଖରେ ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଗସ୍ତ କରିବେ । ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଜଟଣୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ବେଗୁନିଆ ଓ ଖୋରଧା ନିମନ୍ତେ ଜିଲ୍ଲା ପଣ୍ୟାଗାରରେ ଷ୍ଟ୍ରଙ୍ଗରୁମ୍‌ର ବ୍ୟବସ୍ଥା କରାଯାଇଛି । ଏଠାରୁ ପୁଲିଂ ପାର୍ଟିମାନେ ସଂପୃକ୍ତ ବୁଥ୍‌ ନିମନ୍ତେ ଯାତ୍ରା କରି ମତଦାନ ପରେ ଇଭିଏମ୍‌ ଗୁଡ଼ିକୁ ଉକ୍ତ ସ୍ଥାନରେ ଦାଖଲ କରିବେ । ଚଳିତ ନିର୍ବାଚନ ନିମନ୍ତେ ମୋଟ ୯୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜୟଦେବ ନିର୍ବାଚନ ମଣ୍ଡଳୀରେ ୮ ଜଣ, ଭୁବନେଶ୍ୱର (ମଧ୍ୟ)ରେ ୧୩ ଜଣ, ଭୁବନେଶ୍ୱର (ଉତ୍ତର)ରେ ୧୨ ଜଣ, ଏକାମ୍ରରେ ୧୨ ଜଣ, ଜଟଣୀରେ ୯ ଜଣ, ବେଗୁନିଆରେ ୧୧ ଜଣ, ଚିଲିକାରେ ୧୦ ଜଣ, ଖୋରଧାରେ ୮ ଜଣ ଏବଂ ଭୁବନେଶ୍ୱର ଲୋକସଭା ପାଇଁ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜିଲ୍ଲାର ମୋଟ୧୯ ଲକ୍ଷ ୬ ହଜାର ୫୧୮ ଜଣ ଭୋଟରଙ୍କ ମଧ୍ୟରେ ୯ ଲକ୍ଷ ୯୦ ହଜାର ୭୩୪ ଜଣ ପୁରୁଷ, ୯ ଲକ୍ଷ ୧୫ ହଜାର ୨୦୫ ଜଣ ମହିଳା ଏବଂ ୫୭୯ ଜଣ ତୃତୀୟ ଲିଙ୍ଗୀ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେମାନଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସର ୪୨ ହଜାର ୧୦୦ ଯୁବ ଭୋଟର ଥିବା ବେଳେ ୩୨ ହଜାର ୫୭ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ନିର୍ବାଚନରେ ନିୟୋଜିତ ଜିଲ୍ଲାର ୫୩୩୧ ଜଣ କର୍ମଚାରୀ ପୋଷ୍ଟାଲ ବାଲାଟ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ପ୍ରାୟ ଦେଢ଼ ହଜାରରୁ ଅଧିକ ୮୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି ମତଦାନ କରିଛନ୍ତି । ଜିଲ୍ଲାର ୧୯୨୩ଟି ବୁଥ୍‌ ମଧ୍ୟରୁ ୫୨୫ଟି କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖି ବୁଥ୍‌, ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ୮ଟି ଏବଂ ଯୁବ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ୪୦ଟି ବୁଥ୍‌ ରହିଛି । ଏଥି ମଧ୍ୟରେ ୨୭ଟି ସମ୍ବେଦନଶୀଳ ଓ ୩୦୬ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ଏଥି ସହ ୭ଟି ଇକୋ-ଫ୍ରେଣ୍ଡଲି ଏବଂ ୩୮୪ଟି ଆଦର୍ଶ ମତଦାନ କେନ୍ଦ୍ର ରହିଛି । ସୂଚନା ଯୋଗ୍ୟ ଯେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନମଣ୍ଡଳୀର ସମସ୍ତ ୨୦୦ଟି ମତଦାନ କେନ୍ଦ୍ର କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ଉକ୍ତ ଦିନ ଗୁଡ଼ିକରେ ପୁଲିଂ ପାର୍ଟି ମାନଙ୍କ ସହାୟତା ନିମନ୍ତେ ଭୁବନେଶ୍ୱର ଓ ଏହାର ଆଖ ପାଖ ଅଞ୍ଚଳ ଯଥା-ଜଟଣୀ, ପିପିଲି, ଖୋରଧା, ବାଳକାଟି, ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନରୁଟ୍‌ରେ ବସ୍‌ ମାନ ଚଳ ପ୍ରଚଳ କରିବ । ଏହି ବସ୍‌ ଗୁଡ଼ିକ ୨୫ ତାରିଖ ସନ୍ଧ୍ୟା ୭ ଘଟିକାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଚଳ ପ୍ରଚଳ କରିବ । ପ୍ରତ୍ୟେକ ସଖି ବୁଥ୍‌ରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆନୁଷଙ୍ଗିକ ସାମଗ୍ରୀମଧ୍ୟ ଯୋଗାଇ ଦିଆଯିବ । ଏଥି ମଧ୍ୟରେ ୧୧୪୪ଟି ବୁଥ୍‌ରେୱେବ୍‌କାଷ୍ଟିଂ କରାଯିବ । ପ୍ରାୟ ୧୫ ହଜାର ପୁଲିଂ ଅଧିକାରୀ ଏହି ମତାଦନ ପ୍ରକ୍ରିୟା ନିମନ୍ତେ ନିୟୋଜିତ ହୋଇଛନ୍ତି । ଆସନ୍ତା ୨୫ ତାରିଖରେ ଜିଲ୍ଲାରେ ସକାଳ ୭ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏଥି ସହ ଆବଶ୍ୟକ ସ୍ଥଳେ ସହାୟତା କରିବାକୁ ୨୪ ଜଣ ଇସିଆଇଏଲ୍‌ ଯନ୍ତ୍ରୀ ଏବଂ ମତଦାନ ପ୍ରକ୍ରିୟାରେ ସହଯୋଗ କରିବାକୁ ୫୫ ଜଣ ସହଯୋଗୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଏତଦ୍‌ ବ୍ୟତୀତ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ ସୂଚନା କେନ୍ଦ୍ର ଖୋଲା ଯାଇ ନିର୍ବାଚନ ସଂପର୍କିତ ସମସ୍ତ ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥି ସହ ୧୯୫୦କୁ କଲ୍‌ କରି ନାଗରିକ ମାନେ ବିଭିନ୍ନ ଅଭିଯୋଗ କରି ପାରୁଛନ୍ତି । ଏତଦ୍‌ ବ୍ୟତୀତ ସମସ୍ତ ବୁଥ୍‌ରେ ବିଦୁ୍ୟତ, ଆଲୋକୀକରଣ, ଖାଦ୍ୟ ଓ ପାନୀୟଜଳ, ଶୌଚାଳୟ, ପ୍ରତୀକ୍ଷାଗୃହ, ସୂଚନା ଫଳକ, ସହାୟତା କେନ୍ଦ୍ର, କ୍ରେଚ୍‌, ସେଲ୍‌ଫି ସେଣ୍ଟର, ଡାକ୍ତରୀଟିମ୍‌ର ସୁବିଧା କରା ଯାଇଛି । ପ୍ରତ୍ୟେକ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟର ମାନଙ୍କ ନିମନ୍ତେ ହ୍ୱିଲ୍‌ ଚେୟାର ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭ୍ରାମ୍ୟମାଣ ଡାକ୍ତରୀଟିମ୍‌ ମୁତୟନ ହୋଇଛନ୍ତି । ପ୍ରତ୍ୟେକ ବୁଥ୍‌ରେ ସହାୟତା ନିମନ୍ତେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ନିଯୁକ୍ତ କରାଯାଇଛି । ଭୋଟରମାନେ ସେମାନଙ୍କର ମତଦାନ କେନ୍ଦ୍ର ଜାଣିବା ନିମନ୍ତେ ଭୋଟର ସୂଚନା ପତ୍ର ଦିଆଯାଇଛି । ଭୋଟରମାନେ‘ ଭୋଟର ହେଲପ୍‌ଆପ୍‌’ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି‘ମୋ ବୁଥ୍‌’ ଆପ୍‌ସହାୟତାରେ ସେମାନଙ୍କର ମତଦାନ କେନ୍ଦ୍ର ଏବଂ ଅବସ୍ଥିତି ସଂପର୍କରେ ବିଶଦ ଭାବେ ଜାଣି ପାରିବେ । ଭୋଟର ମାନଙ୍କ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଓ ବିଏମ୍‌ସି ପକ୍ଷରୁ ଗଣଦୌଡ଼, ୱାକାଥନ୍‌, ସାଇକେଲ୍‌ ଶୋଭାଯାତ୍ରା ଏବଂ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜିଲ୍ଲାରେ ତିନିଜଣ ସାଧାରଣ ପର୍ଯ୍ୟବେକ୍ଷକ, ଜଣେ ପୋଲିସ୍‌ ପର୍ଯ୍ୟବେକ୍ଷକ ଏବଂ ୪ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଜିଲ୍ଲାପାଳ ଶ୍ରୀରାଣା ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖୋରଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀରୁଦ୍ର ନାରାୟଣ ମହାନ୍ତି ଏବଂ ନିର୍ବାଚନ ଡେପୁଟି କଲେକ୍‌ଟର ଶ୍ରୀ ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିତେନ୍ଦ୍ରିୟ ଜେନା, ସୂଚନା ଓ ଲୋକସଂପର୍କ ଅଧିକାରୀ, ଭୁବନେଶ୍ୱର ଓ ରଜତ ମହାପାତ୍ର