୨ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ହାଇକୋର୍ଟରେ ଆଇନଜୀବୀ ମାନଙ୍କ ଆନ୍ଦୋଳନ ଜନସାଧାରଣଙ୍କୁ ବ୍ୟଥିତ କରିଛି ଫଳରେ ଗଣତନ୍ତ୍ର ନଷ୍ଟ ହେବାକୁ ଯାଉଛି । ଆସନ୍ତା ୨ ତାରିଖ ସୁଦ୍ଧା ଏହାର ସମାଧାନ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସମିଟରେ ରାଜ୍ୟ କଂଗ୍ରେସ ମୁଖପାତ୍ର ତାରା ପ୍ରସାଦ ବାହିନୀପତି କହିଛନ୍ତି । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ଆଇନଜୀବୀଙ୍କ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିଲା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ବାହିନୀପତି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ନଭେମ୍ବର ୨ ତାରିଖ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନ ହେଲେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣାରେ ଗୋଳିଆପାଣିରୁ ବିଜେଡି ଓ ବିଜେପି ଫାଇଦା ଉଠାଉଛନ୍ତି । ଦୀର୍ଘ ୨ ମାସ ହେବ କୋର୍ଟ କାର୍ଯ୍ୟ ଅଚଳ ହୋଇପଡିଥିବା ବେଳେ ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ? ବୋଲି ପ୍ରଶ୍ନ କରିଛନ୍ତି । ଆଇନଜାବୀଙ୍କ ସହ କାହିଁକି ଆଲୋଚନା କରୁନାହାନ୍ତି ବୋଲି କଂଗ୍ରେସ ମୁଖପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷେ ଏହି ମାମଲାରେ ରାଜନୀତି ତେଜିଥିଲାବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ଦେଢ ମାସ ଧରି ଓକିଲମାନଙ୍କ ଆନ୍ଦୋଳନ ଚାଲିଲାଣି । ସରକାର ଏହାର ସମାଧାନ ପାଇଁ କୌଣସି ଉଦ୍ୟମ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି । କୋର୍ଟରେ ମାମଲା ,ସଂଖ୍ୟା ବଢି ବଢି ଚାଲିଛି । ଜାମିନ୍ ଆବେଦନ ହୋଇପାରୁନାହିଁ । ରାଜ୍ୟରେ ଶାସନ ଅଛି ବୋଲି ମନେ ହେଉନାହିଁ । ସବୁ ଆଡେ ଅସନ୍ତୋଷ ଦେଖା ଦେଲାଣି । ମୁଖ୍ୟମନ୍ତ୍ରୀଙ୍କ ନୀରବତା ସବୁଠାରୁ ଦୁଭାଗ୍ୟଜନକ ବୋଲି ସେ କହିଛନ୍ତି । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ ହାଇକୋର୍ଟ ବାର୍ ଆସୋସିଏସନର ଗରିମା ଓ ମର‌୍ୟ୍ୟାଦା ରହିଛି । ଏହାକୁ ବଜାୟ କରାଯାଉ, କୌଣସି ମତେ କ୍ଷୂର୍ଣ୍ଣ କରାନଯାଉ । ହାଇକୋର୍ଟ ବାରକୁ ପଲଟିକାଲ ଲାବ୍ରୋଟୋରୀ କରାନଯାଉ । ମନ୍ତ୍ରୀ ଓ ସଚିବ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରନ୍ତୁ । ହାଇକୋର୍ଟ ସମ୍ମୁଖରେ ଯେଉଁ ଘଟଣା ଘଟିଲା ତାହା ଅତୀତରେ କେବେ ଦେଖା ଦେଇନଥିଲା । ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ ବିଜେଡି ପକ୍ଷରୁ ମୁଖପାତ୍ର ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି। ଆଇନସେବାକୁ ସ୍ୱାଭାବିକ କରିବାକୁ ବିଜେଡି ଲିଗାଲ ସେଲ୍ କୋର୍ଟକୁ ଯାଇଥିଲା । କିଛି ସ୍ୱାଧୀନ ଆଇନଜୀବୀ ମଧ୍ୟ କୋର୍ଟକୁ ଯାଇଥିଲେ। ରାଜନୈତିକ ଉଦ୍ଦେଶ୍ୟରେ ସେମାନଙ୍କୁ ଅଟକାଇ ଲଙ୍କାକାଣ୍ଡ କରାଗଲା ବୋଲି ସେ କହିଛନ୍ତି। ଗଣ୍ଡଗୋଳ ଭିଆଇଥିବା ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ। ବାର୍ ଆସୋସିଏସନ ଓ ମୁଖ୍ୟ ବିଚାରପତିଙ୍କ ମଧ୍ୟରେ କଥା ଅଟକିଛି। ସରକାର ହେଉଛନ୍ତି ତୃତୀୟ ପକ୍ଷ। ବିଜେପି ଏହାର ଫାଇଦା ଉଠାଉଛି ବୋଲି ପ୍ରତାପ କହିଛନ୍ତି। ଅନ୍ୟପକ୍ଷରେ ଆମ ଭୁବନେଶ୍ୱର ପ୍ରତିନିଧି ଜଣାଇଛନ୍ତି ଯେ…

ଓକିଲ ଆନ୍ଦୋଳନରେ ନୂଆମୋଡ଼:ଓହରିଲା ବିଜେଡି ଲିଗାଲ ସେଲ

ଭୁବନେଶ୍ୱର(ଆକାଶ ମିଶ୍ର) : ଓକିଲ ଆନ୍ଦୋଳନରେ ନୂଆମୋଡ । ଆନ୍ଦୋଳନରୁ ଓହରିଲା ବିଜେଡି । ବିଜେଡି ଆଇନଜୀବୀ ସାମୁଖ୍ୟ ଆନ୍ଦୋଳନରୁ ଓହରିଯାଇଛି । ଆସନ୍ତା ୨୯ କିମ୍ବା ୩୦ ତାରିଖରେ ସେମାନେ କାର୍ଯ୍ୟରେ ଯୋଗ ଦେବେ । ଏନେଇ  ବିଜେଡି ଆଇନଜୀବୀ ସାମୁଖ୍ୟର ଆବାହକ ମିଲନ୍ କାନୁନଗୋଙ୍କ ସୂଚନା ଦେଇଛନ୍ତି । ସେପଟେ ବାର ଆସୋସିଏସନର ଉପସଭାପତି ପଦରୁ ବଂଶୀଧର ଶପତଥୀ ଇସ୍ତଫା ଦେଇଛନ୍ତି ।ସ୍ଥାନୀୟ ଦ୍ୱାରକା ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶତପଥୀ କହିଛନ୍ତି, ଆଗାମୀ ୩୧ ତାରିଖରେ ରାଜ୍ୟର ମୁଖ୍ୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ଏବଂ ନବୀନ ନିବାସ ଘେରାଉ କରିବା ପ୍ରସ୍ତାବ ଉପରେ ସେ ସହମତି ଦେଇ ନଥିଲେ ମଧ୍ୟ ରିଜୋଲୁସନରେ ହସ୍ତାକ୍ଷର କରିବାକୁ ପଡ଼ିଥିଲା। ଆସୋସିଏସନ୍‌ ସଂପାଦକ ମନମୁଖୀ ବିବୃତ୍ତି ଦେଇଥିଲେ। ଏହାକୁ ବିରୋଧ କରି ମୁଁ ପଦରୁ ଇସ୍ତଫା ଦେଇଛି ବୋଲି ଶତପଥୀ କହିଛନ୍ତି। ସୂଚନାଯୋଗ୍ୟ ଗତକାଲି ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ  ଜାରି ରହିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦରେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । ଯଦି ସରକାର ଦାବି ଉପରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବ୍ୟାପୀ କୁଶପତ୍ତଳିକା ଦାହ କରାଯିବ । ତେବେ ଏହାପରେ ଆଜି ବିଜେଡି ଆଇନଜୀବୀ ସାମୁଖ୍ୟ ଆନ୍ଦୋଳନରୁ ଓହରିଯାଇଥିବା ଜଣାପଡିଛି । ପ୍ରାୟ ୨ ମାସ ଧିର ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ସରକାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ତେଣୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ବାର ଆସୋସିଏସନ୍‌ ପକ୍ଷରୁ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏଜେଣ୍ଡା ପ୍ରସ୍ତୁତ ହେବ। ଅକ୍ଟୋବର ୩୦ରେ ଆସୋସିଏସ୍‌ର ପରବର୍ତ୍ତୀ ବୈଠକ ହେବ ଏବଂ ୩୧ ତାରିଖରେ ରାଜ୍ୟର ମୁଖ୍ୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଥିଲେ। ବାର ଆସୋସିଏସନ୍‌ର ଆନ୍ଦୋଳନ ଚାଲିଥିବାରୁ ହାଇକୋର୍ଟରେ କୌଣସି ମାମଲା ଦାୟର ହୋଇପାରୁନାହିଁ।