

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୩ଦଫା ଦାବି ପତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୃଗୁବକ୍ସି ପାତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହୋଇଥିଲେ ମଧ୍ୟ ଚିକିଟି ନିର୍ବାଚନ ମଣ୍ଡଳୀରେ ଆଜି ଯାଏଁ କେନ୍ଦ୍ରୀୟ ବିଦ୍ୟାଳୟ ହୋଇପାରିନାହିଁ । ଉପଯୁକ୍ତ ଶିକ୍ଷା ପାଇଁ ଆନ୍ଧ୍ର ସୀମାନ୍ତରେ ଅଞ୍ଚଳରେ ଥିବା ଚିକିଟି ପାତ୍ରପୁର ବ୍ଲକର ପିଲାମାନେ ଭୁବନେଶ୍ୱର ବିଶାଖାପାଟଣା ଉପରେ ନିର୍ଭର କରୁଛନ୍ତି । ସେହିପରି ବ୍ରହ୍ମପୁର ସହରରେ ୧୯୬୬ ମସିହାର ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ସେତେବେଳେ ବ୍ରହ୍ମପୁର ସହରର ଲୋକ ସଂଖ୍ୟା ଆନୁମାନିକ ୬୬୫୦୦ ରହିଥିଲା ବେଳେ ୨୦୨୧ ମସିହା ବେଳକୁ ବ୍ରହ୍ମପୁର ସହରର ସୀମା ବହୁ ପରିମାଣରେ ପରିବ୍ୟାପ୍ତ ହେବା ସହ ଆନୁମାନିକ ଲୋକ ସଂଖ୍ୟା ୧୦ଲକ୍ଷରେ ପହଞ୍ଚିଲାଣି । ଓଡିଶାର ଅନ୍ୟାନ୍ୟ ସହରରେ ଜନସଂଖ୍ୟା ଅନୁପାତରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ଘଟିଥିଲେ ମଧ୍ୟ ବ୍ରହ୍ମପରୁର ଜନସଂଖ୍ୟା ୧୫ଗୁଣ ବୃଦ୍ଧି ଘଟିଥିବା ଯୋଗୁଁ ୨ୟ କେନ୍ଦ୍ରୀୟ ବିଦ୍ୟାଳୟ ଆବଶ୍ୟକ ରହିଛି । ଅଞ୍ଚଳର ଶିକ୍ଷାର ବିକାଶ ଚିନ୍ତା ଏହି ଆସନରୁ ବିଜୟଲାଭ କରିଥିବା ସାଂସଦମାନେ ମୁହଁ ଖୋଲି ନାହାଁନ୍ତି । କିନ୍ତୁ ଭାଜପା ଟିକେଟରୁ ପରାଜିତ ସାଂସଦ ପ୍ରାର୍ଥୀ ଭୃଗୁ ବ୍ରହ୍ମପୁର ସହରରେ ୨ୟ କେନ୍ଦ୍ର ବିଦ୍ୟାଳୟ ସ୍ଥାପନ ସମେତ ଚିକିଟି ନିର୍ବାଚନ ମଣ୍ଡଳୀର ଉପଯୁକ୍ତ ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ବ୍ରହ୍ମପୁର ଲୋକସଭାର ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ୧୮୦କିମି ବ୍ୟାପି ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଉତ୍ପାଦନ ହେଉଥିବା ସହ ଆଦିବାସୀ ମାନଙ୍କ ଜୀବନଜୀବିକା ସେହି ଉତ୍ପାଦିତ ଦ୍ରବ୍ୟ ଉପରେ ନୀର୍ଭରଶୀଳ ରହିଛି । ଏଠାକାର ଉତ୍ପାଦିତ ଦ୍ରବ୍ୟ ଗୁଡିକର ଉପଯୁକ୍ତ ପ୍ରକ୍ରିୟାକରଣ ଏକକର ଅଭାବ ସହ ଦକ୍ଷତା ବିକାଶର ଅଭାବ ଥିବା ଯୋଗୁଁ ମୋହନା ନିର୍ବାଚନ ମଣ୍ଡଳୀର ଆର୍ଥିକ ଓ ସାମାଜିକ ବିକାଶ ଆଖିଦୃଶିଆ ହୋଇ ପାରୁନାହିଁ । ଏହି କଞ୍ଚାମାଲ ଗୁଡିକ ବାହର ଅଞ୍ଚଳକୁ ଅତିନିମ୍ନଦରରେ ଚାଲଣ ହେଉଥିବା ଯୋଗୁଁ ଲୋକମାନେ କ୍ଷତି ସହିବା ସହ ଜୀବିକା ପାଇଁ ମୋହନାର କଞ୍ଚାମାଲ ଉପରେ ନିର୍ଭର ବାହ୍ୟ ରାଜ୍ୟର ଉଦ୍ୟୋଗ ଗୁଡିକରେ କାର୍ଯ୍ୟ କରିବା ପାଇଁ ଭିଟାମାଟି ଛାଡିବା ସହ ପ୍ରବାସରେ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ମୋହନାର ବିକାଶ ପାଇଁ ଏହି ଅଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଉଦ୍ୟୋଗ ସ୍ଥାପନ ସହ ସ୍ଥାନୀୟ ଲୋକଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଭୃଗୁ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା