ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର ବଟେଶ୍ୱର ଶୈବପୀଠ ନିକଟସ୍ଥ ଋଷିକୂଲ୍ୟା ମୁହାଣ ସମୁଦ୍ରକୂଳରୁ ଏକ ୩୦ ଫୁଟ ଲମ୍ବ ବିଶିଷ୍ଟ ତିମି ମାଛର ଗଳିତ ଶବ ବନ ବିଭାଗ ଗତକାଲି ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସମୁଦ୍ର ପାଣିରେ ମୃତ ଦେହଟି ପଡ଼ିଥିବା ବନ ବିଭାଗ ତରଫରୁ ଖବର ପାଇ ରମ୍ଭା ଫରେଷ୍ଟର ସୋମନାଥ ମାଲିକ ସେଠାରେ ପହଞ୍ଚିଥିଲେ । ଏହାପରେ ହୁମ୍ମା ଓ ରମ୍ଭା ଭେଟନାରୀ ଆସିଷ୍ଟାଣ୍ଡ ସର୍ଜନମାନଙ୍କୁ ସେଠାକୁ ଡକାଇ ମୃତ ତିମି ମାଛର ଶବ ବ୍ୟବଚ୍ଛେଦ କରାଇଥିଲେ । ପରେ ଜେସିପି ମଗାଇ ମାଛଟିର ଗଳିତ ଶବକୁ ବେଳାଭୂମି ଉପରକୁ ଉଠାଇ ଗାତ ଖୋଳି ପୋତି ଦେଇଥିଲେ । ତେବେ ବୟସ ଅଧିକ କିମ୍ବା ଗଭୀର ସମୁଦ୍ର ମଧ୍ୟରେ କୌଣସି ଟ୍ରଲର ମାଡ଼ ହୋଇ ବିରାଟ ତିମି ମାଛର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । କିଛି ବର୍ଷ ହେଲା ଠିକ ଏହି ସ୍ଥାନରେ ଏକ ବିରାଟ ତିମି ମାଛର ଶବ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପୁଣି ଏକ ତିମି ମାଛର ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା