୩୪୦୦ ମହୁଲ ମଦ ପୋଚ ଓ ୮୦ ଲିଟର ରନ୍ଧା ମଦ ନଷ୍ଟ କଲା ଅବକାରୀ ବିଭାଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ବଡଡୁମ୍ବୁଳା ପଞ୍ଚାୟତ ଡାମଣାପଦର ନିକଟସ୍ଥ ମଲକୁଟପଲ୍ଲୀ ଦକ୍ଷିଣ ଦିଗ ଘଞ୍ଚ ଜଙ୍ଗଲ ନାଳ ରାସ୍ତାରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀମଦ ଗତକାଲି ନଷ୍ଟ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅବକାରୀ ବିଭାଗ ଏକ ବିଶେଷ ସୁତ୍ରରୁ ଖବର ପାଇ ଦିଗପହଣ୍ଡି ଅବକାରୀ ଉପ ନିରୀକ୍ଷକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ଚଢ଼ାଉ କରି ୩୪୦୦ ମହୁଲ ମଦପୋଚ ଓ ୮୦ ଲିଟର ରନ୍ଧା ମଦ ନଷ୍ଟ କରିବା ସହ ରୋଷେଇ ନିମନ୍ତେ ବ୍ୟବହୃତ ରନ୍ଧା ସାମଗ୍ରୀ ଜବତ କରିଛନ୍ତି । ତେବେ ଏହି ଚଢ଼ାଉରେ କାହାରିକୁ ଗିରଫ କରାଯାଇ ପାରିନଥିବା ସୂଚନା ମିଳିଛି । ଏ ନେଇ ଦିଗପହଣ୍ଡି ଅବକାରୀ ପକ୍ଷରୁ ଏକ ମାମଲା ନଂ ୬୧/୨୨ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏହି ଚଢ଼ାଉରେ ଚିକିଟି ଅବକାରୀ ଉପ ଅଧିକ୍ଷକ ବିଜୟ କୁମାର ଧାରୁଆ, ଦିଗପହଣ୍ଡି ଅବକାରୀ ଏଏସ୍ଆଇ ବସନ୍ତ ବେହେରା, କର୍ମଚାରୀ ନିରଞ୍ଜନ ବେହେରା, ଏନ୍.ତ୍ରିପତୀ, ସ୍ବଏମ୍ଭୁ କହଁର, ପଦ୍ମାବତୀ ସେଠୀ, ହରି ମଲ୍ଲିକ, ଆର୍. ଲକ୍ଷ୍ମୀ ରେଡ୍ଡୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା