୩୫୨ କୋଟିର ସହାୟତା ପ୍ୟାକେଜ ଏମ୍‌ଜିଏନ୍‌ଆରଇଜିଏସ୍‌ଙ୍କ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ନିୟୋଜିତ ଶ୍ରମିକଙ୍କ ପାଇଁ କୋଭିଡ୍‌ ସହାୟତା ପ୍ରଦାନ କରିଛନ୍ତି । ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ତିନିମାସ ମଧ୍ୟରେ କାମ କରିଥିବା ଶ୍ରମିକମାନଙ୍କୁ ସେମାନଙ୍କ ପ୍ରତିଦିନ ମଜୁରି ସହିତ ଆଉ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି । ଏହାଦ୍ୱାରା ପ୍ରତ୍ୟେକ ଶ୍ରମିକ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ମଜୁରି ପାଇଛନ୍ତି । ସମୁଦାୟ ୩୨ ଲକ୍ଷ ଶ୍ରମିକ ୩୫୨ କୋଟି ଟଙ୍କାର ସହାୟତା ପାଇଛନ୍ତି । ଗତକାଲି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍‌ଜିଏନ୍‌ଆରଇଜିଏସ୍‌ଙ୍କ ପାଇଁ ପ୍ୟାକେଜ ଘୋଷଣା କରି କହିଛନ୍ତି ଯେ, ମୋ ହୃଦୟରେ ଗରିବ ଲୋକଙ୍କ ପାଇଁ ସବୁବେଳେ ସ୍ଵତନ୍ତ୍ର ସ୍ଥାନ ରହିଛି । ଗରିବ ଲୋକଙ୍କ କାର୍ଯ୍ୟକ୍ରମ ମୋତେ ଅଧିକ ସନ୍ତୋଷ ଦେଇଥାଏ । ଆଜିର ଏହି ସହାୟତା ସେମାନଙ୍କ ପରିବାରର ଆର୍ଥିକ ଅସୁବିଧା ଦୂର କରିବାରେ ସାହାର୍ଯ୍ୟ କରିବା ଗରିବ ଲୋକଙ୍କ ପାଇଁ ଏହିପରି ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କୋଭିଡ୍‌ର ଦ୍ୱିତୀୟ ଲହରରେ ଗରିବ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ୧୬୯୦ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିରେ ଶ୍ରମିକମାନଙ୍କ ପାଇଁ ମଧ୍ୟ ୩୫୨ କୋଟି ଟଙ୍କାର ସହାୟତା ରହିଛି । ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଗତବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଚଳିତବର୍ଷ ଏ ପର୍ଯ୍ୟନ୍ତ ୭ କୋଟି ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି । ବର୍ଷ ଶେଷ ସୁଧା ୨୫ କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖା ଯାଇଛି । ଏହି ଅବସରରେ ପଞ୍ଚାଯତିରାଜ ମନ୍ତ୍ରୀ ପ୍ରତାପ ଜେନା ଗରିବ କୃଷକ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ରାଉରକେଲା ବିଧାୟକ ସାରଦା ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ବିକାଶ ଓ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ । ଏହାସହ ଏଥିରେ ରାଜ୍ୟର ୩୧୪ଟି ବ୍ଲକର ଏମ୍‌ଜିଏନ୍‌ଆରଇଜିଏସ୍‌  ଶ୍ରମିକମାନେ ଭିଡିଓ କନଫରେନସିଙ୍ଗ ଯୋଗେ ଯୋଡି ହୋଇଥିଲେ । ଗଞ୍ଜାମର ନିକି ଆମ୍ମା ଓ କୈଳାଶ ଗଉଡ, କୋରାପୁଟର ସୁରେଶ ବାଖିଆ, ତପନ କୁମାର ନାଗ, କଳାହାଣ୍ଡିର ସିତି ପୂଜାରୀ ଓ ଗଜ ମାଝି ଓ ମୟୂରଭଞ୍ଜର ଶିବରାମ ସୋରେନ ଓ ସୁକାନ୍ତି ମୁର୍ମୁ ପ୍ରମୁଖ କେତେ ଜଣ ହିତାଧିକାରୀ ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର କୃତଜ୍ଞତା ପ୍ରକାଶ କରିଥିଲେ । ଏହି ସହାୟତା କୋଭିଡ ସମୟରେ ସେମାନଙ୍କୁ ବିଶେଷ ସାହାଯ୍ୟ କରିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।