୩୬ତମ ଆନ୍ତରାଜ୍ୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖୁଆଡସ୍ଥିତ ଶଚିନ୍ଦ୍ରନାଥ ସ୍ମୃତି କ୍ରିଡା ପରିଷଦ ଆନୁକୂଲ୍ୟରେ ୩୬ତମ ଆନ୍ତରାଜ୍ୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟର ଯୁବଭାରତୀ କ୍ରିଡାଙ୍ଗନ ଷ୍ଟାଡୟମ ପରିସରରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେଇ କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବିଡିଓ ନିତ୍ୟାନନ୍ଦ ସାହୁ, ଅବସରପ୍ରାପ୍ତ ଡାକ୍ତର ମଧୁସୂଦନ ସାହୁ, ଖୁଆଡ ସରପଂଚ ଖୁଲଣା ପାତ୍ର, ସର୍ଦ୍ଦାରବନ୍ଧ ସରପଂଚ ଦିଲ୍ଲିପ ସାମଲ, ଶ୍ୟାମନଗର ସରପଂଚ ସସ୍ମିତା ପାତ୍ର ପ୍ରମୁଖ ସମ୍ମାନୀତ ଅତିଥିରୂପେ ଯୋଗ ଦେଇଥିଲେ । ଫାଇନାଲ ଖେଳ ପଶ୍ଚିମବଂଗର ଝାଡଗ୍ରାମ ଜିଲା ଅନ୍ତର୍ଗତ ଶାଳବଣିସ୍ଥିତ ବୁରୁକୁଛା ଏକାଦଶ ଓ ହରିଣାବନ୍ଧ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଦଳ କାହାରିକୁ ଗୋଲ ଦେଇନପାରିବାରୁ ପେନାଲ୍ଟିକ୍ ଷ୍ଟୋକ୍ର ସାହାଯ୍ୟ ନିଆଯାଇଥିଲା । ମାତ୍ର ଶେଷରେ ଟସ୍ ମାଧ୍ୟମରେ ଗୁରୁକୁଚ୍ଛା ଏକାଦଶକୁ ବିଜୟୀ ଘୋଷଣା କରାଯାଇଥିବା ବେଳେ ହରିଣାବନ୍ଧ ଏକାଦଶକୁ ରନର୍ସଅଫ ଘୋଷିତ କରାଯାଇଥିଲା । ବିଜୟୀ ଟିମ୍ କୁ ନଗଦ ୬ହଜାର ଓ ଚମ୍ପିଆନ୍ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅଫ ଟିମ୍କୁ ନଗଦ ୪ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଫାଇନାଲ ମ୍ୟାଚ୍ରେ ରେଫେରି ରୂପେ ଚୈତନ୍ୟ ହାଁସଦା ଯୋଗ ଦେଇଥିବା ବେଳେ ଲାଇନ୍ମ୍ୟାନ୍ରୂପେ ଦନାର୍ଦ୍ଦନ ପାଳ ଓ ପିଥୋ ହାଁସଦା କାର୍ଯ୍ୟ ତୁଲାଇଥିଲେ । ଗତ ଅକ୍ଟୋବର ୧୦ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟକୁ ଅନୁଷ୍ଠାନର ସମ୍ପାଦକ ଶତୃଘ୍ନ ପାତ୍ର ଉଦ୍ଘାଟନ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ପଶ୍ଚିମବଂଗର ୬ଟି, ମୟୂରଭଂଜର ୪ଟି ଓ ବାଲେଶ୍ୱର ୧୦ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ୧ମାସ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟକୁ ପରିଷଦର ସଭ୍ୟ ରାମେଶ୍ୱର ପାତ୍ର, ଅନନ୍ଦ ମହାନ୍ତି, ଗୌତମ ପାତ୍ର, ଜଗନ୍ନାଥ ପାତ୍ର, ଶିବ ଶଂକର ସାହୁ ଓ ମିହିର ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା